ଡ୍ୟୁଟି ସମୟରେ ‘ଟୁକୁୁରୁ ଟୁକୁରୁ’ ଗୀତରେ ଝୁମିଲେ ଦୁଇ କନେଷ୍ଟବଳ : ଡିସିପି ପଠାଇଲେ କାରଣ ଦର୍ଶାଅ ନୋଟିସ୍

ନୂଆଦିଲ୍ଲୀ : ଟୁକୁୁରୁ ଟୁକୁରୁ ଦେଖତେ ହୋ କ୍ୟା ଚେହରା ତେରା ଚେହରା ତେରା .. . . ମୁହଁରେ ମାସ୍କ ନାହିଁ, ସାମାଜିକ ଦୂରତ୍ୱକୁ କିଏ ପଚାରେ । ଭିଡିଓ ତିଆରି କରିବାରେ ବ୍ୟସ୍ତ ଦୁଇ କନେଷ୍ଟବଳ । ହେଲେ ଭିଡିଓ ଭାଇରାଲ୍ ହେବାପରେ ଉଭୟଙ୍କ ଭିଡ଼ିଓ ବନାଇବା ନିଶା ଉତୁରି ଯାଇଛି । ଡ୍ୟୁଟିରେ ଥାଇ ବଲିଉଡ଼ ଗୀତରେ ଝୁମିବା ପରେ ଦୁଇ ପୋଲିସ କର୍ମଚାରୀଙ୍କ ଅଡ଼ୁଆ ବଢ଼ିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି ଡିସିପି । ଉଭୟେ ମଡେଲ୍ ଟାଉନ୍ ପୋଲିସ୍ ଷ୍ଟେସନରେ କାର୍ଯ୍ୟରତ ଅଛନ୍ତି । ଦିଲ୍ଲୀ ପୋଲିସର ସୂଚନା ଅନୁସାରେ ଡ୍ୟୁଟିରେ ଥିବାବେଳେ ଭିଡିଓ ତିଆରି କରିିଥିବାରୁ ଉଭୟଙ୍କୁ ନୋଟିସ ପଠାଯାଇଛି ।

ଖାକି ବର୍ଦ୍ଦିରେ ଟୁକୁରୁ ଟୁକୁରୁ । ପୋଲିସ୍ ୟୁନିଫର୍ମ ପିନ୍ଧି ଭିଡିଓ ତିଆରି କରି ଫଶି ଯାଇଛନ୍ତି ଦୁଇ ପୋଲିସ୍ କର୍ମଚାରୀ । ଭାଇରାଲ୍ ଭିଡିଓରେ ଜଣେ ମହିଳା ପୋଲିସ୍ ମଧ୍ୟ ନଜର ଆସିଛନ୍ତି । ମଡେଲ୍ ଟାଉନ୍ ପୋଲିସ୍ ଷ୍ଟେସନରେ ମୁତୟନ ଥିବା ମହିଳା ହେଡ କନଷ୍ଟେବଳ ଶଶି ଏବଂ କନଷ୍ଟେବଳ ବିବେକ ମାଥୁର ଲକଡାଉନରେ ଡ୍ୟୁଟି ସମୟରେ ମନୋରଞ୍ଜନ ଧର୍ମୀ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ୧୫ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଲକଡାଉନ୍ ଡ୍ୟୁଟିରେ ଥାଇ ବୋର୍ ହେଉଥିଲେ, ଏବେ ତିଆରି କରିଥିବା ଭିଡିଓ ପାଇଁ ଉଭୟଙ୍କ ଚାକିରି ବିପଦରେ ।

ଜୁନ୍ ୭ ରେ ଡିସିପି ଉଷା ରଙ୍ଗନାନୀଙ୍କ ଦ୍ୱାରା ପଠାଯାଇଥିବା ନୋଟିସରେ କୁହାଯାଇଛି, ଭିଡିଓରେ କନଷ୍ଟେବଳ ବିବେକ ମାସ୍କ ପିନ୍ଧି ନଥିବା ସ୍ପଷ୍ଟ ଦେଖାଯାଉଛି । ଉଭୟେ ଲୋକଙ୍କୁ ସଚେତନ କରୁଛନ୍ତି କିନ୍ତୁ ନିଜେ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ କରୁନାହାନ୍ତି । କର୍ତ୍ତବ୍ୟ ସମୟରେ ଶୃଙ୍ଖଳିତ ପୋଲିସ୍ ଫୋର୍ସର ସଦସ୍ୟ ହୋଇଥିଲେ ସୁଦ୍ଧା ଉଭୟଙ୍କ ଆଚରଣ ଅଣପେଶାଦାର ମନେ ହେଉଛି । ଉଭୟଙ୍କ ଏପରି କାମ ସରକାରୀ କାର୍ଯ୍ୟରେ ଅବହେଳା ବୋଲି କୁହାଯାଇଛି । ଏଥିପାଇଁ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଉଛି । ନୋଟିସ୍ ମିଳିବାର ୧୫ ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି । ଉତ୍ତର ନମିଳିଳେ ଏକପାଖିଆ ଭାବେ ନିଷ୍ପତ୍ତି ନିଆଯିବ ଚେତାଇ ଦିଆଯାଇଛି ।

You might also like