ସିସିଟିଭିରେ କଏଦ୍ ହେଲା ଖାକିବର୍ଦ୍ଦିର ବର୍ବରତା : ମାସ୍କ ଚେକିଂ ଆଳରେ ଅକଥନୀୟ ଅତ୍ୟାଚାର

ଭାଇଙ୍କୁ ପିଟିବା ପରେ ମା’ ଓ ଭଉଣୀଙ୍କୁ ମାଡ଼ ମାରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ ପୋଲିସ୍ ବାବୁ, ଭିଡିଓ ଭାଇରାଲ୍‌

ମୁରାଦାବାଦ : ଖାକି ବର୍ଦ୍ଦିର ଦାଦାଗିରି । ମାସ୍କ ଚେକିଂ ଆଳରେ ଅକଥନୀୟ ଅତ୍ୟାଚାର । କରୋନା ମହମାରୀ ଭିତରେ ପୋଲିସ୍ ଭୁଲିଗଲା ମାନବିକତା । ଯୁବକଙ୍କୁ ନିର୍ଧୁମ ମାଡ଼ ମାରିବା ସହ ପୋଷାକ ଫାଡ଼ିଦେଲେ । ତେବେ ଏଥିରୁ ବର୍ତ୍ତି ପାରିଲେନି ପାଖରେ ଥିବା ମା’ ଓ ଭଉଣୀ । ଉଭୟଙ୍କୁ ମଧ୍ୟ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛନ୍ତି ପୋଲିସ ବାବୁ । ଉତ୍ତରପ୍ରଦେଶ ଜନପଥ ମୁରାଦାବାଦରେ ଏକ ସିସିଟିଭିରେ ପୁଲିସର ଏଭଳି ବର୍ବରତା କଏଦ୍ ହୋଇଛି ।

ଚେକିଂ ସମୟରେ ବିନା ମାସ୍କରେ ଯୁବକ ଜଣକ ବୁଲୁଥିବା କହିଛି ପୋଲିସ୍ । ତାଙ୍କୁ ଅଟକ ରଖି ପଚରାଉଚରା କରିବା ସମୟରେ ଯୁବକ ଜଣକ ଅଭଦ୍ର ବ୍ୟବହାର କରିଥିଲେ । ମାମଲା ଏତେ ଆଗକୁ ବଢ଼ିଗଲା ଯେ ପୋଲିସ ସଂପୃକ୍ତ ଯୁବକଙ୍କୁ ନିୟମ ଉଲ୍ଲଂଘନ କରିଥିବା କହି ପ୍ରବଳ ଛେଚିଥିଲା । ସିସିଟିଭି ଓ କ୍ୟାମେରାରେ କଏଦ୍ ହୋଇଥିବା ଭିଡ଼ିଓରୁ ଜଣାପଡ଼ୁଛି, କୌଣସି ପେଶାଦାର ଅପରାଧୀଙ୍କୁ ଧରି ଯେପରି ମାଡ଼ ମାରନ୍ତି, ଠିକ୍ ସେହିପରି ଯୁବକଙ୍କୁ ମାଡ଼ ମାରୁଛି ପୋଲିସ୍ ।

ମାଡ଼ରୁ ବଞ୍ଚିବା ପାଇଁ ଯୁବକ ଜଣକ ଖସି ପଳାଇ ଯିବାକୁ ଚେଷ୍ଟା କରିଥିଲେ । ହେଲେ ମାଡ଼ ମାରି ପୋଲିସ ବାବୁ ମାନଙ୍କର ମନ ମାନିନଥିଲା, ଯୁବକଙ୍କୁ  ଥରେ ଧରିବା ସହ ତା’ର ପୋଷାକ ଫାଡ଼ି ପୁଣି ନିର୍ଧୁମ ଛେଚିଥିଲେ । ଯୁବକଙ୍କୁ ପ୍ରବଳ ମାଡ଼ ମାରୁଥିବା ଦେଖି ତାଙ୍କ ମା’ ଓ ଭଉଣୀ ପୋଲିସ ବାବୁଙ୍କ ଆଗରେ ନେହୁରା ହେଉଥିଲେ । ଛାଡ଼ି ଦେବାକୁ ଗୁହାରୀ କରୁଥିଲେ । ହେଲେ ପୋଲିିସବାବୁ ମାନେ ସେମାନଙ୍କୁ ମଧ୍ୟ ଛାଡ଼ିଲେ ନାହିଁ । ଉଭୟଙ୍କୁ ମାଡ଼ ମାରିବା ସହ ଅଶ୍ରାବ୍ୟ ଭାଷାରେ ଗାଳି କରିଥିଲେ ଓ ସ୍ଥାନ ଛାଡ଼ି ଯିବାକୁ କହିଥିଲେ । ଯୁବକଙ୍କୁ ଓ ଉଭୟ ମହିଳାଙ୍କୁ ମାଡ଼ ମାରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ମାଡ଼ ଖାଇଥିବା ଯୁବକଙ୍କ ଭଉଣୀ କହିଛନ୍ତି, ଭାଇ ନମାଜ ପଢ଼ି ଫେରିବା ବେଳେ ମାସ୍କ ପିନ୍ଧିନଥିଲେ । ତାଙ୍କୁ ଦେଖି ପୋଲିସ ପେଶାଦାର ଅପରାଧୀ ପରି ବ୍ୟବହାର କରିବା ସହ ଗାଈଗୋରୁ ପରି ବାଡେଇଛି । ଭଇକୁ ବଞ୍ଚାଇବାକୁ ଯାଇ ମା’ ଏବଂ ମୋତେ ବି ମାଡ଼ ମାରିଛି ପୋଲିସ । ଏଭଳି କାଣ୍ଡ ଘଟାଇଥିବା ପୋଲିସ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି । କରୋନା ସଙ୍କଟ ମଧ୍ୟରେ ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ସଚେତନା କରାଯାଉଛି । ହେଲେ ନିୟମ ନାଁରେ ଲୋକଙ୍କୁ ଆକ୍ରୋଶମୂଳକ ଭାବେ ହଇରାଣ କରିବା କେତେ ଦୂର ଯୁକ୍ତିଯୁକ୍ତ ?

You might also like