ବଢ଼ିଲା ଏଲ୍ପିଜି ଗ୍ୟାସ୍ ଦର
ନୂଆଦିଲ୍ଲୀ: ହୁହୁ ହୋଇ ବଢ଼ୁଥିବା ତେଲ ଦର ଲୋକଙ୍କୁ କନ୍ଦାଉଥିବା ବେଳେ ରନ୍ଧନ ଗ୍ୟାସ୍ ଦର ବି ଏକଥାରେ ୫୦ ଟଙ୍କା ବୃଦ୍ଧି ହୋଇଛି। ଏକାଥରେ ଏତେ ଟଙ୍କା ବୃଦ୍ଧି ହେବାରୁ ଚିନ୍ତାରେ ଖାଉଟି। ଆଜି ଦିଲ୍ଲୀରେ ଏଲ୍ପିଜିର ଘରୋଇ ସିଲିଣ୍ଡର ଗ୍ୟାସ୍ ୫୦ ଟଙ୍କା ବୃଦ୍ଧି ହୋଇଛି। ଦିଲ୍ଲୀରେ ୧୪.୨ କେଜି ଗ୍ୟାସ୍ ସିଲିଣ୍ଡର ଦାମ ବର୍ତ୍ତମାନ ୭୬୯ ଟଙ୍କା ହୋଇଛି। ସୋମବାର ଦିନ ୧୨ଟା ପରେ ଏହି ନୂଆ ମୂଲ୍ୟ ଲାଗୁହେବ। ଏନେଇ ଖବର ସରବରାହ ସଂସ୍ଥା ଏଏନ୍ଆଇରେ ଖବର ପ୍ରକାଶ ପାଇଛି।
ଫ୍ରେବ୍ରୁଆରୀ ମାସରେ ଗ୍ୟାସ୍ ଦରରେ ଏହା ଦ୍ୱିତୀୟ ଥର ବୃଦ୍ଧି ହୋଇଛି। ଏହା ପୂର୍ବରୁ ଫେବ୍ରୁଆରୀ ୪ ତାରିଖରେ ବିନା ସବ୍ସିଡିଯୁକ୍ତ ଗ୍ୟାସ୍ ମୂଲ୍ୟ ୨୫ ଟଙ୍କା ବୃଦ୍ଧି ହୋଇଥିଲା। ଦେଶର ୪ ମେଟ୍ରୋ ସହରରେ ଏହି ବର୍ଦ୍ଧିତ ମୂଲ୍ୟ ଲାଗୁ ହୋଇଥିଲା।
ଗୋଟିଏ ପଟେ ତେଲ ଦର ପାଇଁ ଗଡ଼ିପାରୁନି ଜୀବନ ଜୀବିକାର ଗାଡ଼ି ଅନ୍ୟପଟେ ଗ୍ୟାସ୍ ଦର ବୃଦ୍ଧି ପାଇଁ ଦୁଇ ଓଳା ରୋଷେଇ କରିବାକୁ ଡରୁଛି ଗରିବ ଖଟିଖିଆ ଲୋକ। ଏବେ ଯିବ ତ କୁଆଡ଼େ ଯିବ। ସହରର ସାଧାରଣ ଖଟିଖିଆ ଲୋକ ପାଇଁ ଚଳିବା ଏବ କଷ୍ଟକର ବ୍ୟାପାର ହୋଇପଡ଼ିଛି।
ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ୍ ଦର ୮୮.୭୩ ଟଙ୍କା ରହିଥିବା ବେଳେ ଡିଜେଲ୍ ଦର ୭୯.୦୬ ଟଙ୍କା ରହିଛି। ସେହିପରି ଭାରତୀୟ ତୈଳ ନିଗମର ସୂଚନା ଅନୁସାରେ ମୁମ୍ବାଇର ପେଟ୍ରୋଲ ଦର ୯୫.୨୧ ଟଙ୍କା ରହିଥିବା ବେଳେ ଡିଜେଲ୍ ଦର ୮୬.୦୪ ରହିଛି।
ଏପଟେ ବାରମ୍ବାର ତୈଳ ଦର ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ଓଡ଼ିଶା କଂଗ୍ରେସ। ତୈଳଦର ଅହେତୁକ ବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ କରି ଆସନ୍ତାକାଲି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅଖ ଚକ ଗଡ଼ିବନି।
କେବଳ ତୈଳ ଦର ବୃଦ୍ଧି ପ୍ରସଙ୍ଗ ନୁହେଁ, ମାହାଙ୍ଗା ହତ୍ୟାକାଣ୍ଡ, କୋଟିଆ ଓ ମହାନଦୀ ପ୍ରସଙ୍ଗରେ ବି ବନ୍ଦ ଡାକରା ଦେଇଛି ଓଡ଼ିଶା କଂଗ୍ରେସ। ବରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦକୁ ସମର୍ଥନ କରିବା ଲାଗି ଆଜି ଏକ ସାଇକେଲ ରାଲି କରାଯାଇଥିଲା। ବନ୍ଦ ସମୟରେ ଅତ୍ୟାବଶ୍ୟକ ସେବା ସହ ବାହାଘର କାର୍ଯ୍ୟକ୍ରମ ପ୍ରଭାବିତ ହେବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ଫେବ୍ରୁଆରୀ ପହିଲାରେ ପେଟ୍ରୋଲ ଲିଟର ୮୭ ଟଙ୍କା ଥିବାବେଳେ ଆଜି ଏହା ଛୁଇଁଛି ୮୯ ଟଙ୍କା ୪୨ ପଇସା। ସେହିପରି ଡିଜେଲ ଦର ଫେବ୍ରୁଆରୀ ପହିଲାରେ ୮୩ ଟଙ୍କା ୫୦ ପଇସା ଥିବାବେଳେ ଏବେ ଏହା ୮୬ ଟଙ୍କା ୧୩ ପଇସାରେ ପହଞ୍ଚିଛି।