ଘରକୁ ଟିମ୍ ଡକାଇ ସମର୍ଥକଙ୍କ ସହ ଟିକା ନେଲେ ସାଂସଦ

  • ସ୍ଲଟ ବୁକିଂ ପାଇଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଜନତା
  • ବିଜେପି କାର୍ଯ୍ୟାଳୟରେ ଟିକାକରଣ କାର୍ଯ୍ୟକ୍ରମ କରାଇଲେ ସାଂସଦ

ଉଜ୍ଜୟନୀ : ସାରା ଦେଶରେ କରୋନାର ତାଣ୍ଡବ ଚାଲିଥିବା ବେଳେ ଟିକା ନେବା ପାଇଁ ନାହିିଁନଥବା ଅସୁବିଧା ଭୋଗୁଛନ୍ତି ଜନତା । ଟିକାକରଣ ପାଇଁ ପୋର୍ଟାଲରେ ପଞ୍ଜିକରଣ କରିବା ସହ ସ୍ଲଟ୍ ବୁକିଂ ପାଇଁ ଅନେକ ଅପେକ୍ଷା କରିବାକୁ ପଡ଼ୁଛି । ତଥାପି ସ୍ଥିର ହୋଇପାରୁନି ଟିକା ନେବା ତାରିଖ । ଏପଟେ ନେତାମାନେ କିନ୍ତୁ ଘରକୁ ଟିମ୍ ଡକାଇ ଟିକାକରଣ କରିନେଉଛନ୍ତି । ମଧ୍ୟପ୍ରଦେଶ ଉଜ୍ଜୟନୀ ବିଜେପି ସାଂସଦଙ୍କ କାର୍ଯ୍ୟାଳୟରେ ଭ୍ୟାକ୍ସିନେସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଟିକାକରଣର ଫଟୋ ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅସଲ କଥା ପଦାରେ ପଡ଼ିଛି ଓ ଏନେଇ ଏବେ ବିବାଦ ଆରମ୍ଭ ହୋଇଛି ।

ଉଜ୍ଜୟନୀ ଜିଲ୍ଲାରୋ ଟିକା ନେବା ପାଇଁ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତି ଏବେ ଅନେକ ହଇରାଣ ହେଉଛନ୍ତି । ଅନ୍ୟପଟେ ୪୫ରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଏଯାଏଁ ସେକେଣ୍ଡ ଡୋଜ୍ ଟିକା ମିଳିପାରିନି । ଏଭଳି ସ୍ଥିତିରେ ବିଜେପି ନେତା, ସେଠୀ ନଗର ସ୍ଥିତ କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ପାଇଁ ଟିକାକରଣ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ବିଜେପି ସାଂସଦଙ୍କ କାର୍ଯ୍ୟାଳୟରେ ମୋଟ୍ ୧୪ ଲୋକଙ୍କର ଟିକାକରଣ କରାଯାଇଛି । ଯାହାର ଫଟୋ ବିଜେପି ସାଂସଦଙ୍କ ନିଜର ଜଣେ ସମର୍ଥକ ସୋସିଆଲ ମିଡିଆରେ ସେୟାର କରିଛନ୍ତି , ଯାହା ଏବେ ଭାଇରାଲ ହେଉଛି । ଫଳରେ ସେ ଏବେ ଯୁବଗୋଷ୍ଠୀଙ୍କ ଟାର୍ଗେଟରେ ଆସି ଯାଇଛନ୍ତି । ଅନ୍ୟପଟେ ଏ ମାମଲାକୁ ନେଇ କଂଗ୍ରେସ ବିଜେପିକୁ ସମାଲୋଚନା କରିଛି ।

ସୂଚନା ଅନୁସାରେ ସାସଦ ଅନୀଲ ଫିରୋଜିଆଙ୍କ କାର୍ଯ୍ୟାଳୟକୁ ୨ ଥର ଯାଇଥିଲା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଏବଂ ଦୁଇଟି ପର୍ଯ୍ୟାୟରେ ତାଙ୍କ ଅଫିସ୍ ଷ୍ଟାଫଙ୍କର ଟିକାକରଣ କରାଯାଇଛି । ତେବେ ଏନେଇ ସାଂସଦଙ୍କୁ ପଶ୍ନ କରାଯିବା ପରେ ସେ କୌଣସି ଉତ୍ତର ଦେଇ ନାହାନ୍ତି । ମିଡିଆ ଠାରୁ ଦୂରତା ବଜାୟ ରଖୁଛନ୍ତି । ଅନ୍ୟପଟେ କୋଭିଡ ପ୍ରଭାରୀ ମନ୍ତ୍ରୀ ଏ ମାମଲା ସମ୍ପର୍କରେ ଜାଣି ନାହାନ୍ତି ବୋଲି ବିତଣ୍ଡା ଯୁକ୍ତି କରୁଛନ୍ତି । ସେହିପରି ଏ ମାମଲା ସହ ଜଡ଼ିତ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

You might also like