ମୋଦିଙ୍କୁ ପ୍ରଶଂସା କରି ଅଡ଼ୁଆରେ ଗୁଲାମନବୀ ଆଜାଦ
ବରିଷ୍ଠ ନେତାଙ୍କ କୁଶପୁତ୍ତଳିକା ଦାହ କଲେ କଂଗ୍ରେସ କର୍ଯ୍ୟକର୍ତ୍ତା
ଶ୍ରୀନଗର: ମୋଦିଙ୍କୁ ପ୍ରଶଂସା କରି ଅଡ଼ୁଆରେ ଗୁଲାମନବୀ ଆଜାଦ। ଏହାକୁ ବିରୋଧ କରି ଦଳରେ ଅସନ୍ତୋଷ ଜୋର ଧରିଛି। କଂଗ୍ରେସର ଅନ୍ତରୀଣ କନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଦଳୀୟ ନେତୃତ୍ୱକୁ ନେଇ ଅନେକ ପୁରୁଖା ନେତାମାନେ ଖୁସି ନଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ଏପରି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କୁ ନିଜ ଦଳର ଲୋକଙ୍କ ରୋଷର ଶିକାର ହେବାକୁ ପଡ଼ିଛି। ରାଜ୍ୟର ପ୍ରମୁଖ ନେତା ମାନେ ବରିଷ୍ଠ ନେତାଙ୍କ ଏପରି ବ୍ୟବହାରକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ବରିଷ୍ଠ ନେତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି କଂଗ୍ରେସ କର୍ଯ୍ୟକର୍ତ୍ତା। ଆଉ ଏଥିପାଇଁ ମଙ୍ଗଳବାର ଦିନ ଜାମ୍ମୁରେ ଗୁଲାମ ନବୀଙ୍କ ବିରୋଧରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏବଂ ତାଙ୍କୁ ଦଳରୁ ହଟାଇବାକୁ ଦାବି କରିଛନ୍ତି।
ଗୁଲାମ ନବୀ ଆଜାଦଙ୍କୁ ଦଳରୁ ବହିଷ୍କାର କରିବାକୁ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିକଟରେ ଦାବି କରିଛନ୍ତି ବିକ୍ଷୋଭ ପ୍ରଦର୍ଶନ କରୁଥିବା କଂଗ୍ରେସ କାର୍ଯ୍ୟକର୍ତ୍ତା। ‘ଗୁଲାମ ନବୀ ଆଜାଦଙ୍କୁ କଂଗ୍ରେସ ବହୁତ କିଛି ଦେଇଛି, କିନ୍ତୁ ଆଜି ଯେତେବେଳେ ଦଳକୁ ସମର୍ଥନ କରିବାର ସମୟ ଆସିଛି, ସେତେବେଳେ ସେ ବିଜେପି ସହିତ ବନ୍ଧୁତା କରିଛନ୍ତି’ ବୋଲି କାର୍ଯ୍ୟକର୍ତ୍ତାମାନେ କହିଛନ୍ତି । ସେ ଡିଡିସି ନିର୍ବାଚନ ପ୍ରଚାର ପାଇଁ ଜାମ୍ମୁ କାଶ୍ମୀରକୁ ଆସିପାରିଲେ ନାହିଁ, କିନ୍ତୁ ବର୍ତ୍ତମାନ ଏଠାକୁ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା କେତେଦୂର ଯୁକ୍ତିଯୁକ୍ତ। ଜମ୍ମୁ-କାଶ୍ମୀର ପିସିସି ସଭାପତି କଂଗ୍ରେସର ବରିଷ୍ଠ ନେତା କେସି ବେଣୁଗୋପାଳଙ୍କୁ ଏ ସଂକ୍ରାନ୍ତରେ ଆଲୋଚନା କରିବାକୁ ସୋମବାର ସାକ୍ଷାତ କରିଛନ୍ତି । ଦିଲ୍ଲୀରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି ।
Congress workers raise slogans against Ghulam Nabi Azad and burn his effigy in Jammu. They say, “Congress held him in high esteem but today when it’s time to support it, he forged friendship with BJP. He didn’t come for DDC election campaigning but now he’s here, praising PM.” pic.twitter.com/cqn3XhxfeP
— ANI (@ANI) March 2, 2021
ସୂଚନାଯୋଗ୍ୟ ଦଳୀୟ ନେତୃତ୍ୱକୁ ନେଇ କଂଗ୍ରେସର ଅସନ୍ତୁଷ୍ଟ ନେତାମାନେ ଏବେ ଖୋଲା ବିଦ୍ରୋହ ଆରମ୍ଭ କରିଦେଇଛନ୍ତି। ନିକଟରେ ଗୁଲାମ ନବୀ ଆଜାଦ ତିନି ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଯାଇଥିଲେ। ଗୁଜ୍ଜର ଦେଶ ଚାରିଟେବୁଲ ଟ୍ରଷ୍ଟର କାର୍ଯ୍ୟକ୍ରମରେ ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ। ଆମ ଦେଶର ପ୍ରଧାନମନ୍ତ୍ରୀ ସବୁବେଳେ ସତ୍ୟ କଥା କୁହନ୍ତି। ବାସନ ସଫା କରିବା ସହ ଚା ବିକ୍ରି କରିବା କଥା କହିବାକୁ କେବେ କେବେ କୁଣ୍ଠାବୋଧ ପ୍ରକାଶ କରିନାହାନ୍ତି। ଆମକୁ ସବୁବେଳେ ସତ୍ୟ କହିବା ଉଚିତ୍, କାରଣ ଏହାହିଁ ଆମର ପ୍ରକୃତ ପରିଚୟ । ପ୍ରଧାନମନ୍ତ୍ରୀଙ୍କ ପାଇଁ ସେ ଗର୍ବିତ ବୋଲି ଆଜାଦ କହିଥିଲେ। ଆଉ ଏହା ପରଠାରୁ ତାଙ୍କୁ ବିରୋଧ କରାଯାଉଛି।