ଜୟପୁର: ରାଜସ୍ଥାନ କଂଗ୍ରେସ ସରକାରଙ୍କ ନୀତିକୁ ନେଇ ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ତୀବ୍ର ସମାଲୋଚନା । ରାଜସ୍ଥାନ କଂଗ୍ରେସରେ ଅସ୍ଥିରତା ଜାରି ରହିଛି । ସରକାର ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ଅବହେଳା କରିଥିବା ଅଭିଯୋଗ କରିଛନ୍ତି ରାଜ୍ୟବର୍ଦ୍ଧନ ।

ଅଶୋକ ଗେହଲଟ୍ ସରକାର ଗଠନକୁ ଅଢେଇ ବର୍ଷ ବିତିଥିଲେ ମଧ୍ୟ ଜନତାଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି । ରାଜସ୍ଥାନବାସୀ ରାଜ୍ୟ ସରକାରଙ୍କ ଉପରେ ବିଶ୍ୱାସ ହରାଇଥିବା କହିଛନ୍ତି ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂ ରାଠୋର । ସେହପରି କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ରାଜ୍ୟବର୍ଦ୍ଧନ । କରୋନା ଟିକା ସହ ଚିକିତ୍ସାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଥିବା ସେ ଅଭିଯୋଗ କରିଛନ୍ତି । ଜନତାଙ୍କ ସେବା ନକରି ନେତାଙ୍କୁ ଆସନ ଚିନ୍ତା ଲାଗିଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂ ରାଠୋର ।

ଅନ୍ୟପଟେ ରାଜସ୍ଥାନ ବିଜେପିରେ ମଧ୍ୟ କନ୍ଦଳ ଦେଖାଯାଇଛି । ପୋଷ୍ଟରକୁ ନେଇ ରାଜସ୍ଥାନ ବିଜେପିରେ ରାଜନୀତି ସରଗରମ ହୋଇଛି । ବିଜେପି କାର୍ଯ୍ୟାଳୟ ବାହାରେ ଲାଗିଥିବା ପୋଷ୍ଟରରୁ ବସୁନ୍ଧରା ରାଜେଙ୍କ ଫଟୋ ଗାୟବ୍ । ରାଜସ୍ଥାନରେ ଦୁଇ ବର୍ଷ ପରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି କାର୍ଯ୍ୟାଳୟରେ ଲାଗିଥିବା ପୋଷ୍ଟର ବଦଳି ଯାଇଛି । ନୂଆ ପୋଷ୍ଟରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଦିଗଜ ନେତ୍ରୀ ବସୁନ୍ଧରା ରାଜେଙ୍କୁ ସ୍ଥାନ ମିଳିନି । ୨୦ ବର୍ଷରେ ପ୍ରଥମ ଥର ପାଇଁ ରାଜସ୍ଥାନ ବିଜେପିର ପୋଷ୍ଟରରେ ରାଜେଙ୍କ ଫଟୋ ନଥିବା ଦେଖିବାକୁ ମିଳିଛି ।

କାର୍ଯ୍ୟାଳୟ ବାହାରେ ଦୁଇଟି ବଡ଼ ବଡ଼ ହୋର୍ଡିଂ ଲାଗିଛି, ଯେଉଁଥିରୁ ବସୁନ୍ଧରା ରାଜେଙ୍କ ଫଟୋ ହଟାଇ ଦିଆଯାଇଛି । ନୂଆ ପୋଷ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବ୍ୟତୀତ ଗୁଲାବ ଚନ୍ଦ କଟାରିଆ, ସତୀଶ ପୁନିଆଙ୍କ ଫଟୋ ଦେଖିବାକୁ ମିଳିଛି । ସେହିପରି ଦ୍ୱିତୀୟ ହୋର୍ଡିଂରେ ଦୀନଦୟାଲ ଉପାଧ୍ୟାୟ ଓ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଫଟୋ ରହିଛି । ବିଗତ ୨୦ ବର୍ଷରେ ରାଜସ୍ଥାନ ରାଜନୀତିରେ ଦଳର ନେତୃତ୍ୱ ନେଉଥିବା ବସୁନ୍ଧରା ରାଜେ ପ୍ରଥମ ଥର ବିଜେପି କାର୍ଯ୍ୟାଳୟର କୌଣସି ବି ହୋର୍ଡିଂ-ବ୍ୟାନର-ପୋଷ୍ଟରରେ ଦେଖାଯାଉ ନାହାନ୍ତି ।

ତେବେ ରାଜସ୍ଥାନ ବିଜେପିର ନୂଆ ପୋଷ୍ଟର ପରେ ବିବାଦ ଆରମ୍ଭ ହୋଇଯାଇଛି । ନୂଆ ପୋଷ୍ଟରକୁ ନେଇ ବିଜେପି କହିଛି, ନୂଆ ଲୋକ ଆସନ୍ତି, ପୁରୁଣା ଯାଆନ୍ତି । ଏହା ଏକ ଚିରାଚରିତ ପ୍ରଥା ତଥା ପରମ୍ପରା । ବିଜେପିର ରାଜ୍ୟ ଅଧ୍ୟକ୍ଷ ସତୀଶ ପୁନିଆଁ କହିଛନ୍ତି, ହୋର୍ଡିଂରେ କାହାର ଫଟୋ ଲାଗିବ, କାହାର ହଟିବ, ତାହା କମିଟି ନିଷ୍ପତ୍ତି ନିଏ । କୌଣସି ନେତା ଉପରେ ଏହାର ଦାୟିତ୍ୱ ନଥାଏ । ହେଲେ ବସୁନ୍ଧରା ରାଜେଙ୍କ ସମର୍ଥକ କିନ୍ତୁ ଭିନ୍ନ ମତପୋଷଣ କରିଛନ୍ତି । ରାଜସ୍ଥାନରେ ରାଜେ ଜରୁରୀ ଅଟନ୍ତି, ତାଙ୍କ ବିନା ବିଜେପି କିଛି ନୁହେଁ ବୋଲି ସେମାନେ ମତ ଦେଇଛନ୍ତି ।

Other Stories