କଂଗ୍ରେସର ଭେଟେରାନ ଲିଡର ମୋତିଲାଲ୍‌ ଭୋରାଙ୍କ ଦେହାନ୍ତ

ନୂଆଦିଲ୍ଲୀ: କଂଗ୍ରେସର ଭେଟେରାନ ନେତା ତଥା ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ମୋତିଲାଲ୍ ଭୋରାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ସେ କରୋନା ପଜିଟିଭ୍ ହୋଇ ସୁସ୍ଥ ହୋଇଥିଲେ।

କରୋନାରୁ ସୁସ୍ଥ ହେବା ପରେ ପରିଶ୍ରାଗାରରେ ସଂକ୍ରମଣ ଯୋଗୁ ତାଙ୍କୁ ଦିଲ୍ଲୀର ଏସ୍‌କର୍ଟ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତା ସହିତ ତାଙ୍କର ଫୁସ୍‌ଫୁସ୍ ମଧ୍ୟ ସଂକ୍ରମଣ ହୋଇଥିଲା ଓ ତାଙ୍କୁ ଭ୍ୟାଣ୍ଟିଲେଟର୍‌ରେ ରଖାଯାଇଥିଲା।

ଏହା ପୂର୍ବରୁ ସେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଅକ୍ଟୋବର ମାସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ ଏହାପରେ ତାଙ୍କ ଠାରେ ଅନ୍ୟ କେତେ ସମସ୍ୟା ଦେଖା ଦେଇଥିଲା।

ଛତିଶଗଡ଼ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଏଥିପାଇଁ ଆଜି ନହେଲେ ଆସନ୍ତାକାଲି ତାଙ୍କ ମରଶରୀର ଛତିଶଗଡ଼ ନିଆଯିବ।

ଦୀର୍ଘ ବର୍ଷ ଧରି ରାଜନୀତିରେ ରହିଥିବା କଂଗ୍ରେସ ପକ୍କା ନେତା ଭାବେ ପରିଚିତ ମୋତିଲାଲ ଭୋରା ଗାନ୍ଧି ପରିବାର ଅତି ନିକଟର ଥିଲେ। ଛତିଶଗଡ଼ର ପୂର୍ବତନ ପ୍ରଧାନମନ୍ତ୍ରୀ ଥିବା ମୋତିଲାଲ୍‌ ଭୋରା ଚଳିତ ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ଛତିଶଗଡ଼ରୁ ରାଜ୍ୟସଭା ଏମ୍‌ପି ଥିଲେ। କଂଗ୍ରେସର ହୋଇଥିବା ନୂତନ ପରିବର୍ତ୍ତନ ପର୍ଯ୍ୟନ୍ତ ସେ ଦଳର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ।

ବିଧାୟକରୁ ମୁଖ୍ୟମନ୍ତ୍ରୀ ଓ ପରେ ରାଜ୍ୟପାଳ ପର୍ଯ୍ୟନ୍ତ ରାଜନୈତିକ ଯାତ୍ରା

୧୦୨୭ ମସିହା ରାଜସ୍ତାନର ନଗୌର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ମୋତିଲାଲ୍ ଭୋରା ଜଣେ ସାମ୍ବାଦିକରୁ ପେଷାଗତ ଜୀବନ ଆରମ୍ଭ କରିଥିଲେ। ୧୯୭୧ରେ  ମଧ୍ୟପ୍ରଦେଶରୁ ପ୍ରଥମ ଥର ପାଇଁ କଂଗ୍ରେସର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଅନେକ ଥର ସେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ୧୯୮୫ ମସିହାରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୁଣି ୧୯୯୩ରେ ଦଳ ତାଙ୍କୁ ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲା।

ତାଙ୍କ ବିୟୋଗରେ ଅନେକ ବରିଷ୍ଠ କଂଗ୍ରେସ ନେତା ଶୋକ ପ୍ରକାଶ କରିଛନ୍ତି।

ଦୁଃଖ ପ୍ରକାଶ କରି ରାହୁଲ ଗାନ୍ଧି ଲେଖିଛନ୍ତି  “ ଶ୍ରୀ ଭୋରା ଜଣେ କଂଗ୍ରେସର ବିଶ୍ୱାସୀ ଲୋକ ଓ ଜଣେ ଚମତ୍କାର ବ୍ୟକ୍ତିତ୍ୱର ଅଧିକାରୀ। ଆମେ ସମସ୍ତେ ତାଙ୍କୁ ବହୁତ ମନେ ପକାଇବୁ। ତାଙ୍କ ବନ୍ଧୁ ଓ ପରିବାର ପାଇଂ ମୋର ଭଲପାଇବା ଓ ସମବେଦନା।” ସେହିପରି ପ୍ରିୟଙ୍କା ଗାନ୍ଧି, ରଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ଜୟରାମ ରମେଶ ଓ କପିଲ ଶିବଲ ମଧ୍ୟ ଦୁଃଖ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଶୋକବାର୍ତ୍ତା ଦିଆଯାଇଛି।

 

 

You might also like