ମଧ୍ୟପ୍ରଦେଶରେ ସରକାର ଗଠନ କରିବାକୁ ଦାବି ରଖିଲା କଂଗ୍ରେସ

ଭୋପାଲ: ମଧ୍ୟପ୍ରଦେଶରେ ନିର୍ବାଚନ ଫଳାଫଳକୁ ନେଇ ଏବେବି ଚିତ୍ର ଅସ୍ପଷ୍ଟ। ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁସାରେ, ୧୧୩ଟି ସିଟ୍‌ରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ଏବେ ବି ଗୋଟିଏ ସିଟ୍‌ରେ ଗଣତି ଜାରି ରହିଥିବା ସୂଚନା ମିଳିଛି। ଆଉ ଏଥିରେ ଆଗୁଆ ରହିଛି କଂଗ୍ରେସ।

ଅନ୍ୟପଟେ ବିଜେପି ୧୦୯ଟି ସିଟ୍‌ ଅକ୍ତିଆର କରିଛି। ବିଏସ୍‌ପି ୨ଟି ଓ ଏସ୍‌ପି ଗୋଟିଏ ଆସନ ଜିତିଥିବା ବେଳେ ୪ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟ ହୋଇଛନ୍ତି।

ଅନ୍ୟପଟେ ଗତକାଲି ବିଳମ୍ବିତ ରାତିରେ ହିଁ ସରକାର ଗଠନ ପାଇଁ କଂଗ୍ରେସ ଦାବି କରିଛି। ରାଜ୍ୟପାଳ ଆନନ୍ଦୀ ବେହନ୍ ପଟେଲଙ୍କ ନିକଟରେ ଏନେଇ ଦାବି ଉପସ୍ଥାପନ କରିଛନ୍ତି ମଧ୍ୟପ୍ରଦେଶ ପିସିସି ସଭାପତି କମଲନାଥ। ତେବେ ନିର୍ବାଚନ କମିଶନ୍ ପକ୍ଷରୁ ସମ୍ପୂର୍ଣ୍ଣ ତଥ୍ୟ ଆସିବା ପରେ ଏନେଇ ରାଜ୍ୟପାଳ ନିଷ୍ପତ୍ତି ନେବେ ବୋଲି ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମଧ୍ୟପ୍ରଦେଶରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପାଇଁ ୧୧୬ ସିଟ୍ ଆବଶ୍ୟକ ପଡ଼ୁଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଦଳ ଏହି ମ୍ୟାଜିକ୍ ନମ୍ବରକୁ ହାସଲ କରିପାରିନାହାନ୍ତି। ତେବେ ୨ଟି ସିଟ୍‌ ଦୂରରେ ଥିବା କଂଗ୍ରେସ, ବିଏସ୍‌ପି ଏବଂ ଅନ୍ୟ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି।

 

You might also like