କର୍ଣ୍ଣାଟକ କଂଗ୍ରେସ ପାଇଁ ବଢ଼ୁଛି ଚିନ୍ତା

ବେଙ୍ଗାଲୁରୁ: କର୍ଣ୍ଣାଟକରେ କ୍ଷମତା ହାସଲ ପାଇଁ ଶାସକ ଦଳ କଂଗ୍ରେସ-ଜେଡି(ଏସ୍) ମେଣ୍ଟ ଓ ବିରୋଧୀ ଦଳ ବିଜେପି ମଧ୍ୟରେ ଚାଲିଥିବା ସଂଘର୍ଷରେ ଏକ ନୂଆ ଟ୍ୱିଷ୍ଟ୍‌। କଂଗ୍ରେସର ୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ନେଇ କୌଣସି ଠୋସ୍ ସୂଚନା ମିଳିପାରିନାହିଁ।

ଗତକାଲି କଂଗ୍ରେସ ବିଧାୟକ ଦଳ ବୈଠକରେ ୪ଜଣ ବିଧାୟକ ଅନୁପସ୍ଥିତ ଥିଲେ। ଯାହା ପରେ ୪ ବିଧାୟକଙ୍କୁ ନେଇ ସସ୍‌ପେନ୍ସ ଜାରି ରହିଛି। ଅନ୍ୟପଟେ ବିଜେପିଠୁ ଦୂରରେ ରଖିବା ପାଇଁ କଂଗ୍ରେସ ତା’ର ଅନ୍ୟ ବିଧାୟକଙ୍କୁ ବୈଠକ ପରେ ଦୁଇଟି ବସ୍‌ରେ ବେଙ୍ଗାଲୁରୁ ନିକଟସ୍ଥ ଏକ ରିସୋର୍ଟରେ ରଖିଥିବା ଜଣାପଡ଼ିଛି। ତେବେ ନିଖୋଜ ଥିବା କଂଗ୍ରେସର ୪ ଜଣ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।

ବିଜେପି ଭଳି କଂଗ୍ରେସ ମଧ୍ୟ ହୋଟେଲ୍‌ରେ ନିଜ ବିଧାୟକଙ୍କୁ ରଖିଛି। ଅନ୍ୟପଟେ ବିରୋଧୀ ଦଳ ନେତା ବିଏସ୍ ୟେଦୁରପ୍ପାଙ୍କ ନେତୃତ୍ୱରେ ବିଜେପି ବିଧାୟକ ଗୁରୁଗ୍ରାମର ଏକ ହୋଟେଲ୍‌ରେ ଡେରା ପକାଇଛନ୍ତି। ଉଭୟ ଦଳ ନିଜ ନିଜ ବିଧାୟକଙ୍କୁ ନଜରରେ ରଖିଛନ୍ତି।

You might also like