ଆରମ୍ଭ ହେଲା ଭୋଟ୍‌ ଗଣତି; ରାଜସ୍ଥାନରେ କଂଗ୍ରେସ ଆଗୁଆ, ମଧ୍ୟପ୍ରଦେଶରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରେ ୫ ରାଜ୍ୟର ଭୋଟ୍‌ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଚାଲିଛି।

ଆସନ୍ତୁ ଜାଣିବା ବିଧାନସଭା ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଟ୍ରେଣ୍ଡ୍‌ ଅନୁଯାୟୀ କିଏ କେଉଁଠି ଆଗୁଆ ରହିଛି।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଟ୍ରେଣ୍ଡ୍‌ ଅନୁଯାୟୀ ବିଜେପି ଆଗୁଆ ଥିବା ବେଳେ କଂଗ୍ରେସ ବିଜେପିର ପାଖାପାଖି ରହିଛି। ସେହିପରି ରାଜସ୍ଥାନରେ ବିଜେପିକୁ ପଛରେ ପକାଇ କଂଗ୍ରେସ ଆଗୁଆ ରହିଛି। ତେଲେଙ୍ଗାନାରେ ଟିଆର୍‌ଏସ୍‌ ଆଗୁଆ ରହିଥିବା ବେଳେ କଂଗ୍ରେସ ଓ ବିଜେପି ଟିଆର୍‌ଏସ୍‌ର ପଛରେ ଅଛନ୍ତି। ସେହିପରି ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଅନ୍ୟପଟେ ମିଜୋରାମରେ କଂଗ୍ରେସ ଓ ଏମ୍‌ଏନ୍‌ଏଫ୍‌ ଖାତା ଖୋଲିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ସୁଦ୍ଧା ବିଜେପି ଏବେ ସୁଦ୍ଧା ଖାତା ଖୋଲି ନାହିଁ।

ସେପଟେ ନିର୍ବାଚନ ଫଳାଫଳକୁ ନେଇ ସାରା ଦେଶରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ୨୦୧୯ ନିର୍ବାଚନ ପୂର୍ବରୁ ଏହି ୫ ରାଜ୍ୟର ଫଳାଫଳକୁ ସେମି ଫାଇନାଲ୍‌ ବୋଲି କୁହାଯାଉଛି। ତେବେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ସବୁଠୁ ଅଧିକ ଫୋକସ୍ ରହିଛି।  ଏକ୍‌ଜିଟ୍‌ ପୋଲ୍ ସର୍ଭେ ଅନୁଯାୟୀ, ଏ ଦୁଇ ରାଜ୍ୟରେ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ। ତେଣୁ ଫଳାଫଳ କ’ଣ ହେବ ତା’ ଉପରେ ସମସ୍ତଙ୍କ ନଜର।

 

You might also like