କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ୧୯୮୪ ମସିହାରେ ଶିଖ୍‌ ବିରୋଧୀ ଦଙ୍ଗା ଘଟଣାରେ ଜଡ଼ିତ ଏକ ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଆଜି କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏଥିସହ କୋର୍ଟ ସଜ୍ଜନଙ୍କୁ ଡିସେମ୍ବର ୩୧ ସୁଦ୍ଧା ଆତ୍ମସମର୍ପଣ ସହ ଦିଲ୍ଲୀ ଛାଡ଼ି ନଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ସପ୍ତାହରେ ୩ଟି ରାଜ୍ୟରେ କଂଗ୍ରେସର ବିଜୟ ପରେ ଆଜି ଶପଥପାଠ ଉତ୍ସବକୁ ନେଇ ଦଳ ଓ ଦଳୀୟ କର୍ମୀଙ୍କ ମଧ୍ୟରେ ଏକ ପ୍ରକାର ଖୁସିର ମାହୋଲ ଥିବାବେଳେ ଅନ୍ୟପଟେ ହାଇକୋର୍ଟଙ୍କ ଏଭଳି ରାୟ କଂଗ୍ରେସକୁ ଏକ ଶକ୍ତ ଝଟ୍‌କା ଦେଇଛି।

୧୯୮୪ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କ ଶିଖ୍ ଅଙ୍ଗରକ୍ଷୀମାନେ ହତ୍ୟା କରିବାପରେ ଦଙ୍ଗା ସୃଷ୍ଟି ହୋଇଥିଲା।  ବିଭିନ୍ନ ସ୍ଥାନରେ ହିଂସାକାଣ୍ଡରେ ପ୍ରାୟ ୩ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା।

୧୯୮୪ ମସିହା ନଭେମ୍ୱର ମାସରେ ଦିଲ୍ଲୀ ସ୍ଥିତ ରାଜନଗର ଅଞ୍ଚଳରେ ଗୋଟିଏ ପରିବାର ୫ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ତେବେ ଏହି ଘଟଣାରେ ସଜ୍ଜନଙ୍କ ଭୂମିକା ଥିବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ତେବେ ଏହି ମାମଲାରେ ୨୦୧୩ ମସିହାରେ ଟ୍ରାଏଲ୍‌ କୋର୍ଟ ସଜ୍ଜନଙ୍କୁ ଦୋଷମୁକ୍ତ କରିଥିଲେ। ଏଥିସହ ଅବସରପ୍ରାପ୍ତ ନୌସେନା ଅଧିକାରୀ କ୍ୟାପଟେନ୍‌ ଭାଗ୍‌ମଲ୍‌, ପୂର୍ବତନ କଂଗ୍ରେସ କାଉନ୍‌ସିଲର୍‌ ବଲୱାନ୍‌ ଖୋଖର୍‌ ଓ ଅନ୍ୟ ୩ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟଙ୍କ ଏହି ରାୟକୁ ଅଭିଯୁକ୍ତମାନେ ଚ୍ୟାଲେଞ୍ଚ କରିଥିଲେ।

You might also like