ମତ୍ସ୍ୟଜୀବୀଙ୍କ ସହ ମିଶି ସମୁଦ୍ରକୁ ଡେଇଁଲେ ରାହୁଲ, ଭିଡିଓ ଭାଇରାଲ

କୋଲ୍ଲମ: ସମୁଦ୍ର ଭିତରେ ରାହୁଲ ଗାନ୍ଧି ! ପୁଣି ମତ୍ସ୍ୟଜୀବୀଙ୍କ ଗହଣରେ ! ହଁ, କଂଗ୍ରେସ ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମୁଦ୍ର ଭିତରେ ପହଁରୁଥିବା ଦେଖିବାକୁ ମିଳିଛି । ପ୍ରକୃତ କଥା ହେଲା, ମତ୍ସ୍ୟଜୀବୀଙ୍କ ଜୀବନଶୈଳୀକୁ ଅତି ନିକଟରୁ ଦେଖିବା ପାଇଁ ରାହୁଲ ମତ୍ସ୍ୟଜୀବୀଙ୍କ ସହ ମିଶି ସମୁଦ୍ରକୁ ଯାଇଥିଲେ, ମାଛ ଧରିଥିଲେ ଏବଂ ତାଙ୍କ ସହ ମିଶି ଜଳକ୍ରୀଡା ମଧ୍ୟ କରିଥିଲେ।

କେରଳ ଗସ୍ତରେ ଯାଇଥିବା ରାହୁଲ ଗାନ୍ଧି ପ୍ରଥମେ ନୌକାରେ କେରଳର କୋଲ୍ଲମ ତଟରୁ ସମୁଦ୍ର ଭିତରକୁ ଯାଇଥିଲେ। ଯେତେବେଳେ ମତ୍ସ୍ୟଜୀବୀମାନେ ମାଛ ଧରିବା ପାଇଁ ଜାଲ ପକାଇଲେ ରାହୁଲ ମଧ୍ୟ ମତ୍ସ୍ୟଜୀବୀଙ୍କ ସହ ଡଙ୍ଗାରୁ ଓହ୍ଲାଇ ପାଣି ଭିତରକୁ ଯାଇଥିଲେ। ସେ ଖାଲି ପହଁରି ନ ଥିଲେ, ମତ୍ସ୍ୟଜୀବୀଙ୍କ ସହ ମାଛ ମଧ୍ୟ ଧରିଥିଲେ। କୂଳକୁ ଆସିବା ପୂର୍ବରୁ ସେ ମତ୍ସ୍ୟଜୀବୀଙ୍କ ସହ ସମୁଦ୍ର ଭିତରେ ପ୍ରାୟ ୧୦ ମିନିଟ ପହଁରିଥିଲେ।

ରାହୁଲ ଯେତେବେଳେ ଦେଖିଲେ, ମାଛ ଧରିବା ପାଇଁ ଜାଲକୁ ପାଣିରେ ବିଛାଇ ମତ୍ସ୍ୟଜୀବୀ ଡଙ୍ଗା ଉପରୁ ପାଣିକୁ ଡେଇଁଛନ୍ତି,  ସେ ମଧ୍ୟ ନିଜକୁ ରୋକି ପାରି ନ ଥିଲେ।  ପାଣିକୁ ଡେଇଁ ପଡ଼ିଥିଲେ। ଏହି ସମୟରେ ଡଙ୍ଗରେ ରାହୁଲଙ୍କର ଜଣେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଥିଲେ।

ରାହୁଲଙ୍କ ସହ ଥିବା ଜଣେ କଂଗ୍ରେସ ପଦାଧିକାରୀ କହିଛନ୍ତି, ‘ରାହୁଲ ଆମକୁ କିଛି ସୂଚନା ଦେବା ପୂର୍ବରୁ ପାଣିକୁ ପଶି ଯାଇଥିଲେ। ଆମେ ସମସ୍ତେ ବ୍ୟସ୍ତ ହୋଇ ପଡ଼ିଥିଲୁ। କିନ୍ତୁ ସେ ସ୍ୱାଭାବିକ ଥିଲେ। ସେ ପାଖାପାଖି ୧୦ ମିନିଟ ପାଣିରେ ରହିଥିଲେ। ସେ ଜଣେ ଭଲ ପହଁରାଳି।’

ରାହୁଲ ସମୁଦ୍ରରେ ବୁଡୁଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ରାହୁଲ ନୀଳ ଟି-ଶର୍ଟ ଏବଂ ଖାକି ଟ୍ରାଉଜର ପିନ୍ଧି ସମୁଦ୍ରରେ ଗାଧଉଥିବା ଦେଖିବାକୁ ମିଳିଛି। ଥଙ୍ଗାସେରୀ କୂଳକୁ ଆସିବା ପରେ ରାହୁଲ ନିଜ ଓଦା ପୋଷାକ ବଦଳାଇଥିଲେ। ଏହି ସମୟରେ ଡଙ୍ଗରେ ପ୍ରାୟ ୨୨ ଜଣ ମତ୍ସ୍ୟଜୀବୀ ଥିଲେ। ରାହୁଲଙ୍କ ସହ ଅଖିଳ ଭାରତୀୟ କଂଗ୍ରେସ ସମିତି ମହାସଚିବ କେସି ବେଣୁଗୋପାଳ ଏବଂ ଟିଏନ ପ୍ରତାପନଙ୍କ ଦଳର ୪ ଜଣ ନେତା ମଧ୍ୟ ଥିଲେ।  ମତ୍ସ୍ୟଜୀବୀମାନେ ଡଙ୍ଗାରେ ରୁଟି ଏବଂ ମାଛ ତରକାରୀ ପ୍ରସ୍ତୁତ କରିଥିଲେ ଏବଂ ରାହୁଲଙ୍କୁ ଖାଇବାକୁ ଦେଇଥିଲେ।

You might also like