ପଶ୍ଚିମବଙ୍ଗରେ ନିଜର ସବୁ ରାଲି-ସଭା ସମିତିକୁ ବାତିଲ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଏମିତି ବି ପରିସ୍ଥିତି ଉପୁଜିଲାଣି ଯେ, ବିଭିନ୍ନ ରାଜ୍ୟରେ ଭ୍ୟାକ୍ସିନ ଶେଷ ଅବସ୍ଥାରେ। ଆଉ କିଛି ରାଜ୍ୟ ଲକଡାଉନ କରିବାକୁ ପ୍ରସ୍ତୁତି କଲେଣି। ତେବେ ଏଭଳି ପରିସ୍ଥିତିରେ ବି ଜୋରଦାର ଚାଲିଛି ପଶ୍ଚିମ‍ବଙ୍ଗ ନିର୍ବାଚନୀ। ଏଠାରେ ଘନ ଘନ ଚାଲିଛି ରାଲି ଓ ସଭା ସମିତି।

ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି, ଲୋକଙ୍କୁ ବିପଦଠୁ ଦୁରେଇ ରଖିବା ଉଦ୍ଦେଶ୍ୟରେ ପଶ୍ଚିମବଙ୍ଗରେ ଆଉ ନିର୍ବାଚନୀ ରାଲି କରିବେ ନାହିଁ କଂଗ୍ରେସ ନେତା ରାହୁଲ ଗାନ୍ଧି। ଏନେଇ ରବିବାର ନିଜ ଟ୍ୱିଟ ହ୍ୟାଣ୍ଡେଲରେ ସେ ସ୍ପଷ୍ଟ କରିଛନ୍ତି। କରୋନା ସଙ୍କଟ ସମୟରେ ପଶ୍ଚିମବଙ୍ଗରେ ବାକି ଥିବା ତିନିଟି ପର୍ଯ୍ୟାୟ ମତଦାନ ପାଇଁ କୌଣସି ରାଲି କିମ୍ବା ରୋଡ ଶୋ’ କରିବେ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି।

କୋଭିଡ୍ ସଙ୍କଟକୁ ଦୃଷ୍ଟିରେ ରଖି, ସେ ପଶ୍ଚିମବଙ୍ଗରେ ହେବାକୁ ଥିବା ସମସ୍ତ ନିର୍ବାଚନୀ ସଭା ଓ ରାଲିକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ସହ ରାହୁଲ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନର କରୋନା ସ୍ଥିତିକୁ ଗୁରୁତର ସହ ନେଇ ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ଏଦିଗରେ ଚିନ୍ତା କରିବା ଆବଶ୍ୟକ। ରାଜନୈତିକ ଦଳମାନଙ୍କୁ ଚିନ୍ତା କରିବାକୁ ପଡ଼ିବ ଯେ, ଏଭଳି ସମୟରେ ବଡ଼ ବଡ଼ ରାଲି କରିବା ଦ୍ୱାରା ଜନତା ଏବଂ ଦେଶକୁ ବିପଦ ରହିଛି।

ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ସେଥିମଧ୍ୟରୁ ମାତ୍ର ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ସରିଛି। ଆଉ ତିନୋଟି ପର୍ଯ୍ୟାୟରେ ମତଦାନ ଗ୍ରହଣ ହେବ। ତେବେ ଦେଶରେ ଯେଉଁଭଳି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି, ତାହା ଅତ୍ୟନ୍ତ ଚିନ୍ତା ଜନକ।

କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି ବଡ଼ ନିର୍ବାଚନୀ ରାଲି କିମ୍ବା ସଭାସମିତି କରିବେ ନାହିଁ ବୋଲି ଘୋଷଣା କରିଥିବା ବେଳେ ଏପଟେ କିନ୍ତୁ ବିଜେପି ଓ ଟିଏମସି ମଧ୍ୟରେ କଡ଼ା ଟକ୍କର ଚାଲିଛି। ବିଜେପି ପକ୍ଷରୁ ଗୋଟିଏ ପରେ ଗୋଟିଏ ରୋଡ ସୋ କରାଯାଉଥିବା ବେଳେ ଏହାକୁ ତାଳ ଦେଇ ଟିଏମସି ମଧ୍ୟ ରୋଡ ସୋ କରୁଛି। ଖାଲି ସେତିକି ନୁହେଁ ବିଜେପି ଯେଭଳି ଜଣକ ପରେ ଜଣେ ଫିଲ୍ମ ଅଭିନେତା ଅଭିନେତ୍ରୀଙ୍କୁ ଧରି ରୋଡ ଶୋ’ କରୁଛି। ଠିକ ସେହିଭଳି ମମତା ବାନାର୍ଜୀ ମଧ୍ୟ ଫିଲ୍ମ ଷ୍ଟାରମାନଙ୍କୁ ଧରି ରୋଡ ଶୋ’ କରୁଥିବା ଦେଖାଯାଇଛି। ଷଷ୍ଠ ପଯର୍ୟାୟ ମତଦାନ ପାଇଁ ବିଜେପି ଓ ଟିଏମ୍ସି ପକ୍ଷରୁ ଜୋରଦାର ରାଲି କରାଯାଇ ଭୋଟ ଭିକ୍ଷା କରାଯାଉଛି।

You might also like