ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଲେ କଂଗ୍ରେସ ନେତ୍ରୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କଂଗ୍ରେସକୁ ଲାଗିଛି ଜବରଦସ୍ତ ଝଟ୍‌କା । ଏଠାରେ କେତେକ ଆସନରେ ଶେଷ ପର୍ଯ୍ୟାୟରେ ହେବ ନିର୍ବାଚନ। ତା ପୂର୍ବରୁ  କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟବହାରକୁ ନେଇ ଦଳରେ ଦେଖାଦେଇଛି ଅସନ୍ତୋଷ। ଏପରିକି ଏହି କାରଣ ଦର୍ଶାଇ ଜଣେ ନେତ୍ରୀ ଦଳରୁ ଇସ୍ତଫା ମଧ୍ୟ ଦେଇଛନ୍ତି।

ଭଡ଼ୋହି ଲୋକସଭା ଆସନ ପାଇଁ କଂଗ୍ରେସ ପୂର୍ବତନ ବିଜେପି ନେତା ରମାକାନ୍ତ ଯାଦବଙ୍କୁ ପ୍ରାର୍ଥୀ କରିଛି। ଏଠାରେ ଟିକଟ ଆଶାୟୀ ଥିଲେ ନୀଲମ ମିଶ୍ରା। ସେ ସ୍ଥାନୀୟ ଭଡ଼ୋହି ଜିଲ୍ଲା କଂଗ୍ରେସ ସଭାପତି ଥିଲେ। ଏହାକୁ ନେଇ ନୀଲମ ଅସନ୍ତୋଷ ପ୍ରକାଶ କରିଥିଲେ ଓ ପ୍ରିୟଙ୍କାଙ୍କୁ ଭେଟି କ୍ଷୋଭ ପ୍ରକାଶ କରିଥିଲେ। ତେବେ ଜବାବରେ ପ୍ରିୟଙ୍କା ତାଙ୍କୁ ଖରାପ ବ୍ୟବହାର କରିଥିଲେ ବୋଲି ନୀଲମ ଗଣମାଧ୍ୟମକୁ କହିଛନ୍ତି। ପ୍ରିୟଙ୍କାଙ୍କ ବ୍ୟବହାର ତାଙ୍କୁ ଖୁବ୍ ବାଧିଥିଲା ଏବଂ ସେହି କାରଣରୁ ତାଙ୍କ ସମର୍ଥକଙ୍କ ସହିତ ଦଳର ସମସ୍ତ ପଦପଦବୀ ଓ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ନୀଲମ କହିଛନ୍ତି ।

ଅନ୍ୟପକ୍ଷରେ ଗଣମାଧ୍ୟମରେ ନୀଲମଙ୍କ ପ୍ରତିକ୍ରିୟା ଆସିବା ପରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ତା’ ନେତା ଓ କର୍ମୀଙ୍କୁ କେମିତି ସମ୍ମାନ ଦିଏ, ତାହା ନୀଲମଙ୍କ ଇସ୍ତଫାରୁ ସ୍ପଷ୍ଟ ହୋଇଯାଇଛି। ପ୍ରେମ ଓ ସମ୍ମାନ କଥା କହି ବିଜେପି ବିରୋଧରେ ନାରା ଦେଉଥିବା କଂଗ୍ରେସ ପ୍ରଥମେ ନିଜକୁ ସମୀକ୍ଷା କରିବା ଦରକାର।

You might also like