ବିଜେପି ବିରୋଧୀ କମିଟିରୁ ଗୁଲାମ ନବି ଓ ଆନନ୍ଦ ଶର୍ମାଙ୍କୁ ବାଦ ଦେଲା କଂଗ୍ରେସ
ନୂଆଦିଲ୍ଲୀ: ମୋଦି ସରକାର ପକ୍ଷରୁ ଜାରି ଅଧ୍ୟାଦେଶ ଉପରେ ବିଚାରବିମର୍ଷ କରିବା ପାଇଁ କଂଗ୍ରେସ ଏକ କମିଟି ଗଠନ କରିଛି। ଏହି କମିଟିରେ ଦଳ ସେଇ ନେତାମାନଙ୍କୁ ସାମିଲ କରିଛି ଯେଉଁମାନେ ଗାନ୍ଧୀ ପରିବାରର ନିକଟତର। ଅନ୍ୟପକ୍ଷେ ଗୁଲାମ ନବି ଆଜାଦ ଏବଂ ଆନନ୍ଦ ଶର୍ମାଙ୍କ ପରି ବରିଷ୍ଠ ନେତାଙ୍କୁ ଏହି କମିଟିରୁ ବାଦ ଦେଇଛି ଦଳ।
ଦୁଇଦିନ ତଳେ କଂଗ୍ରେସ କାର୍ଯ୍ୟସମିତି ବୈଠକରେ ଗୁଲାମ ନବି ଆଜାଦଙ୍କ ଦ୍ୱାରା ଲିଖିତ ଚିଠିକୁ ନେଇ ହଙ୍ଗାମା ହୋଇଥିଲା। ଗୁଲାମ ବିଜେପି ସହ ଲିଙ୍କ୍ରେ ଅଛନ୍ତି ବୋଲି ଆକ୍ଷେପ କରାଯାଇଥିଲା।
କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ଯେଉଁ ନେତାମାନେ ଅଛନ୍ତି ସେମାନେ ହେଲେ ପି.ଚିଦାମ୍ବରମ, ଦିଗ୍ବିଜୟ ସିଂହ, ଜୟରାମ ରମେଶ, ଡା. ଅମର ସିଂହ ଏବଂ ଗୌରବ ଗୋଗୋଇ। ସମିତିର ସଂଯୋଜକ ଦାୟିତ୍ୱ ଜୟରାମ ରମେଶଙ୍କୁ ଦିଆଯାଇଛି। ଏହି କମିଟି କେନ୍ଦ୍ର ପକ୍ଷରୁ ଜାରି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶ ଉପରେ ଚର୍ଚ୍ଚା କରିବ ଏବ ନିଜର ଆଭମୁଖ୍ୟ ସ୍ପଷ୍ଟ କରିବ।
ସୂଚନାଥାଉ କି, କଂଗ୍ରେସ କାର୍ଯ୍ୟସମିତି ବୈଠକରେ ଦଳର ଅନେକ ନେତା ପତ୍ର ଲେଖିଥିବା ନେତାଙ୍କୁ ଭାଜପା ସମର୍ଥକ ବୋଲି କହିଥିଲେ। କୁହାଯାଉଥିଲା ଏପରି ଅଭିଯୋଗ ଗୁଲାମନବିଙ୍କୁ ମର୍ମାହତ କରିଥିଲା। ଏପରିକି ଏପରି ଅଭିଯୋଗ ଭିତ୍ତିହୀନ ବୋଲି କହି ଇସ୍ତଫା ଦେବା କଥା ଉଠାଇଥିଲେ।
ଅବଶ୍ୟ ଏହା ପରେ ଦଳ ତାର ଭାବମୂର୍ତ୍ତି ସଜାଡିବା ପାଇଁ ଚେଷ୍ଟା କରିଥିଲା। ସେଥିପାଇଁ ଗୁଲାମଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । ଏପରିକି ରାହୁଲ ମଧ୍ୟ ଗୁଲାମଙ୍କ ସହ ଆଲୋଚନା କରି ବୁଝାଇବାକୁ ଚେଷ୍ଟା କରିଥିଲେ।