JEE ମେନ୍ ଓ NEET ପରୀକ୍ଷା ସ୍ଥଗିତ ରଖିବା ପାଇଁ ସୋନିଆ ଡାକିଲେ ବୈଠକ

ନୂଆଦିଲ୍ଲୀ: ନାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନିର୍ଦ୍ଧାରିତ ସମୟରେ ଜେଇଇ ମେନ୍ ଓ NEET ପରୀକ୍ଷା ହେବା ପାଇଁ ଘୋଷଣା କରାଯିବା ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଆଜି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡାକିଛନ୍ତି। ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱାମୀ ଏହି ବୈଠକରେ ଯୋଗ ଦେବେ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରୋନ ମଧ୍ୟ ଏଥିରେ ଯୋଗ ଦେବେ ବୋଲି ଜଣାଯାଇଛି। ଏହି ବୈଠକରେ ଜେଇଇ ମେନ୍ ଓ NEET ସ୍ଥଗିତ ରଖାଯିବା ଉପରେ ଆଲୋଚନା କରାଯିବ।  କରୋନା ସଂକ୍ରମଣ ଯୋଗୁଁ ଭିଡିଓ କନଫରେନ୍ସିଂରେ ଏହି ବୈଠକ ହେବ। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଜରୁରୀ କାର୍ଯ୍ୟ ଯୋଗୁଁ ଏହି ବୈଠକରେ ଯୋଗଦେବେ ନାହିଁ।

ଧାର୍ଯ୍ୟ ତାରିଖରେ JEE ମେନ୍ ଓ NEET କରାଯିବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି । ଉଭୟ ପରୀକ୍ଷା ଲାଗି ୯୯ ପ୍ରତିଶତ ଛାତ୍ରଛାତ୍ରୀ ଦେଇଥିବା ପ୍ରଥମ ସେଣ୍ଟର ପସନ୍ଦ ପୂରଣ କରାଯାଇଥିବା ସୂଚନା ଦେଇଛି ଏନଟିଏ । ଏଥିସହ JEE (ମେନ୍)ର ସେଣ୍ଟର ସଂଖ୍ୟା ୫୭୦ରୁ ୬୬୦କୁ ବୃଦ୍ଧି କରାଯାଇଥିବା ବେଳେ NEET ସେଣ୍ଟର ସଂଖ୍ୟା ୨୫୪୬ରୁ ୩୮୪୩କୁ ବୃଦ୍ଧି କରାଯାଇଛି।  JEE (ମେନ୍) ପାଇଁ ୮ ଲକ୍ଷ ୫୮ ହଜାର ଓ NEET ପାଇଁ ୧୫ ଲକ୍ଷ ୯୭ ହଜାର ପରୀକ୍ଷାର୍ଥୀ ପଞ୍ଜୀକରଣ କରିଛନ୍ତି।

You might also like