୨୩ ବର୍ଷ ପରେ କାଲି ମହାକାଶରେ ଦେଖିବାକୁ ମିଳିବ ଏହି ବିରଳ ଦୃଶ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତାକାଲି ଦୃଶ୍ୟମାନ ହେବ ଶତାବ୍ଦୀର ପ୍ରଥମ ଧୂମକେତୁ। ଏହା ଖାଲି ଆଖିରେ ଦୃଶ୍ୟମାନ ହେବ। କାଲି ସନ୍ଧ୍ୟା ସମୟରେ ପ୍ରାୟ ଅଧ ଘଣ୍ଟା ଧରି ଉତ୍ତର-ପଶ୍ଚିମ ଦିଗ୍‌ବଳୟର ୨୦ ଡିଗ୍ରୀ ଉପରେ ଦେଖାଯିବ। ୩୦ ତାରିଖ ପର୍ଯ୍ୟନ୍ତ ସବୁ ଦିନ ଧୀରେ ଧୀରେ ଏହା ଉପର ‌ଆଡକୁ ଗତି କରି ମାସ ଶେଷରେ ଦିଗ୍‌ବଳୟର ପ୍ରାୟ ୪୦ ଡିଗ୍ରୀ ଉପରେ ପହଞ୍ଚିବ।

ଦୀର୍ଘ ୨୩ ବର୍ଷ ପରେ ଏମିତି ଖାଲି ଆଖିରେ ଧୂମକେତୁ ଦେଖିବାର ସୁଯୋଗ ପାଇବେ ଲୋକେ। ଏହି ସୁଯୋଗ ହାତଛଡ଼ା ନ କରିବାକୁ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ଶେଷଥର ପାଇଁ ୧୯୯୭ ମସିହାରେ ହେଲ୍ ବପ୍‌ ନାମକ ଧୂମକେତୁ ଖାଲି ଆଖିରେ ଦେଖାଯାଇଥିଲା।

ଚଳିତବର୍ଷ ପ୍ରାରମ୍ଭରେ ଆସିଥିବା ୨ଟି ଧୂମକେତୁ ଆଟଲାସ୍‌ ଓ ସ୍ୱାନ ଖାଲି ଆଖିରେ ଦେଖା ଯାଇ ନ ଥିଲା ଯାହା ଜ୍ୟୋତିର୍ବିଜ୍ଞାନୀଙ୍କୁ ହତାଶ କରିଥିଲା। ହେଲେ ଆସନ୍ତାକାଲି ଦେଖିବାକୁ ଥିବା ଧୂମକେତୁକୁ ନେଇ ଜ୍ୟୋତିର୍ବିଜ୍ଞାନୀମାନେ ଆଶାବାଦୀ ଅଛନ୍ତି।

C/2020 F3 NEOWISE ନାମକ ଏହି ଧୂମକେତୁ ପ୍ରଥମେ  ଗତ ମାର୍ଚ୍ଚ ୨୭ ତାରିଖରେ ସୂର୍ଯ୍ୟ ଠାରୁ ୩୧.୨ କୋଟି କିଲୋମିଟର ଦୂରରେ ଥିଲା। ଏହା ଅତି ବଡ଼ ଦୂରବୀକ୍ଷଣ ଯନ୍ତ୍ରରେ ଦୃଶ୍ୟମାନ ହୋଇଥିଲା।

You might also like