ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ: ଥଣ୍ଡାର ପ୍ରଭାବରେ ଥରୁଛି ଉତ୍ତର ଭାରତ। ରାଜଧାନୀ ଦିଲ୍ଲୀ ସମେତ, ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ ଶୀତର ଲହରୀ ଲାଗି ରହିଛି।

ବଢ଼ୁଥିବା ଶୀତର ପ୍ରଭାବରେ ଏହି ସବୁ ରାଜ୍ୟରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଦିଲ୍ଲୀରେ ପାରଦ ୩ ଡିଗ୍ରୀରୁ ତଳକୁ ଖସିଛି। ଫଳରେ ଲୋକେ ଘରୁ ବାହାରିବା ଏକରକମ ମୁସ୍କିଲ୍ ହୋଇପଡ଼ିଛି। ଘନ କୁହୁଡ଼ିର ଆସ୍ତରଣ ଯୋଗୁ ଯାତାୟତରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି।

କେବଳ ଦିଲ୍ଲୀ ନୁହେଁ ଏହାର ଆଖପାଖ ଅଞ୍ଚଳରେ ଜାଡ଼ ଥଣ୍ଡାର ପ୍ରଭାବ ଲାଗି ରହିଛି। ଜମ୍ମୁରେ ଶୀତ ୧୧ ବର୍ଷର ରେକର୍ଡ ଭାଙ୍ଗିଛି। ଏହି ଅଞ୍ଚଳରେ ରାତିର ତାପମାତ୍ରା ଗତ ଦୁଇ ଦିନ ଧରି ମାଇନସ୍ ୬ ଡିଗ୍ରୀରୁ କମ୍ ରହିଛି। କୁପୱାଡ଼ା, ପହଲଗାମ ଅଞ୍ଚଳରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି।

ସେହିପରି ଉତ୍ତରପ୍ରଦେଶ, ହରିୟାଣା ଏବଂ ପଞ୍ଜାବରେ ବି ଶୀତର ଲହରୀ ଲାଗି ରହିଛି। ଲୁଧିୟାନା, ପଟିଆଲା, ଅଦମପୁର, ଅମୃତସର, ହଲୱାର୍, ସିର୍ସା, ରୋହତକରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି।

ଅନ୍ୟପଟେ ଘନ କୁହୁଡ଼ି ଯୋଗୁ ଆଜି ଦିଲ୍ଲୀରୁ ସମସ୍ତ ବିମାନ ବିଳମ୍ବରେ ଚଳାଚଳ କରୁଛି। ଆଜି ସକାଳ ୯ଟା ପରେ ଦିଲ୍ଲୀ ବିମାନବନ୍ଦରରୁ ବିମାନ ଉଡ଼ିଥିଲା। ତେବେ ଏପରି ଥଣ୍ଡା ଆହୁରି ୨୪ ଘଣ୍ଟା ଯାଏ ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

You might also like