୧୯ ମାସର ଶିଶୁକୁ ଫୁଟନ୍ତା ପାଣିରେ ଫିଙ୍ଗିଦେଲେ ମା’

ଲଣ୍ଡନ- ଇଂଲଣ୍ଡର ନଟିଙ୍ଗମଶାୟର (Nottinghamshire) ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଖାଲି ଆଶ୍ଚର୍ଯ୍ୟ ହେବେନି ବରଂ ମାନବିକତା ପରି ଏକ ଶବ୍ଦ ଉପରୁ ବିଶ୍ୱାସ ତୁଟିଯିବ । ଏଠାରେ ୧୯ ମାସର ଏକ ଶିଶୁକୁ ତା’ର ନିଶାଗ୍ରସ୍ତ ମା’ ଫୁଟନ୍ତା ପାଣିରେ ପକାଇ ଦେଇଛି । କୋକିନ ନିଶାରେ ପିଲାଟିକୁ ଖାଲି ଫୋପାଡ଼ି ଦେଇନି, ବରଂ ଏକ ଘଣ୍ଟା ପର୍ଯ୍ୟନ୍ତ ପିଲାଟିକୁ ସେମିତି କଷ୍ଟରେ ଛଟପଟ ହେବାକୁ ଛାଡି ଦେଇଛି । ଏହାପରେ ଶିଶୁଟିର ମୃତ୍ୟୁ ଘଟିଛି । ଏହି ଘଟଣା ଜଣାପଡ଼ିବା ପରେ କୋର୍ଟ ମହିଳାଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ।

୨୬ ବର୍ଷୀୟ ଏହି ମହିଳାଙ୍କ ନାଁ କେଟି କ୍ରାଉଡର । ୧୯ ମାସର ଝିଅ ଗ୍ରେସୀକୁ ସେ ଫୁଟନ୍ତା ଗରମ ପାଣିରେ ପକେଇ ଦେଇଥିଲେ । କୋର୍ଟରେ ସରକାରୀ ଓକିଲ କହିଥିଲେ, କେଟି କୋକେନ ନିଶାରେ ଏହି କାଣ୍ଡ କରିଛନ୍ତି । ନଟିଂହୋମର କ୍ରାଉନ୍‌ କୋର୍ଟ କେଟିଙ୍କୁ ୨୧ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ଜଜ୍‌ ରାୟ ଶୁଣାଣି ସମୟରେ କହିଥିଲେ, ଏହି ପୁରା ଘଟଣା ମଣିଷପଣିଆ ପ୍ରତି ଶକ୍ତ କୁଠାରଘାତ । ଏହି ଘଟଣା ଶୁଣିବା ପରେ ମାନବିକତା ପ୍ରତି ମଣିଷର ବିଶ୍ୱାସ ରହିବନି । ନିଶାଗ୍ରସ୍ତ ହେବା ପରେ ବାପା-ମା’ ନିଜ ସନ୍ତାନ ପ୍ରତି ବି କେତେ ବିପଜ୍ଜନକ ହୋଇପାରନ୍ତି ତାହା ପ୍ରମାଣିତ ହୋଇଛି ।

ଗ୍ରେସୀର ପୋଷ୍ଟ ମୋର୍ଟମ ରିପୋର୍ଟରୁ ଜଣାଯାଇଛି, ଗରମ ପାଣିରେ ପଡ଼ିବା ପରେ ଗ୍ରେସୀ ଶରୀରର ୬୫ ପ୍ରତିଶତ ଜଳି ଯାଇଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ଏହା ଏକ ଅତି ଯନ୍ତ୍ରଣାଦାୟକ ମୃ୍‌ତ୍ୟୁ ଥିଲା । ପାଣିରେ ପଡ଼ିବା ପରେ ଶିଶୁଟି ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ବଞ୍ଚିଥିଲା । ଠିକ୍ ସମୟରେ ଚିକିତ୍ସା କରିଥିଲେ ହୁଏତ ଗ୍ରେସୀ ବଞ୍ଚି ଯାଇପାରିଥାନ୍ତା । ହେଲେ କେଟି ତାହା ହେବାକୁ ଦେଇ ନ ଥିଲେ ।

କେଟିଙ୍କ ମା’ ବାପା ବି ତାଙ୍କ ଘର ନିକଟରେ ରହୁଥିଲେ । କେଟି ଚାହିଁଥିଲେ ତା’ଙ୍କ ସାହାଯ୍ୟ ବି ନେଇ ପାରିଥାନ୍ତେ । କୋର୍ଟ ଦଣ୍ଡାଦେଶ ଶୁଣାଇବାବେଳେ କେଟିଙ୍କ ମାନସିକ ଅବସ୍ଥା ବି ଆକଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

You might also like