ଚୀନ୍‌କୁ ଖୋଲାଖୋଲି ଚେତାବନୀ ଦେଲେ ନରଓ୍ୱାଣେ

ନୂଆଦିଲ୍ଲୀ: ବାକ୍ୟରେ ଚେତାବନୀ। ବୀରତ୍ୱରେ ଚେତାବନୀ। ବାରୁଦରେ ବି ଚେତାବନୀ। ସ୍ଥଳସେନା ଦିବସ ପରେଡ୍‌ରେ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହୋଇଛି ଲଢ଼ୁଆ ଡ୍ରୋନ୍ ପରାକ୍ରମ ନିର୍ଭୁଲ୍ ନିଶାନା, ଯୁଦ୍ଧାସ୍ତ୍ର ବହନ ଓ କ୍ଷେପଣ କ୍ଷମତା ଏବଂ ଶତ୍ରୁର ଦୃଷ୍ଟିରୁ ଲୁଚି ରହିବାର କୌଶଳ। ଏହି ଘାତକ ଡ୍ରୋନ୍ ସମୂହ ସ୍ୱୟଂଚାଳିତ ଭାବେ ସୀମାର ୫୦ କିଲୋମିଟର ଭିତରକୁ ଯାଇ ଶତ୍ରୁ ଶିବିରରେ ଆତଙ୍କ ଖେଳାଇପାରିବେ ଓ ଭୟଙ୍କର ତାଣ୍ଡବ ରଚିପାରିବେ। ଦିଲ୍ଲୀ କରିୟପ୍ପା ଗ୍ରାଉଣ୍ଡ୍‌ରେ ସେନା ଦିବସ ପରେଡ୍‌ରେ ଯୋଗଦେଇ ଡ୍ରୋନ୍ ସ୍ୱାର୍ମର କାରନାମା ଦେଖିଛନ୍ତି ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତ୍ ଓ ୩ ସେନା ମୁଖ୍ୟଙ୍କ ସହ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରଓ୍ୱାଣେ।

ପରେଡ୍‌କୁ ସମ୍ବୋଧିତ କରି ଚୀନ୍‌କୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି, କହିଛନ୍ତି ଆମ ଧୈର୍ଯ୍ୟର ପରୀକ୍ଷା ନିଅନାହିଁ। ଗଲ୍ଓ୍ୱାନ ଘାଟିର ବାହାଦୁରଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛନ୍ତି ଜେନେରାଲ୍ ନରଓ୍ୱାଣେ। ଏଥିସହ ଏଲ୍ଓସି ସେପଟେ ୩୦୦ରୁ ୪୦୦ ଆତଙ୍କୀ ଅନୁପ୍ରବେଶ ଅପେକ୍ଷାରେ ଥିବା ସେ ଚେତାଇ ଦେଇଛନ୍ତି।

ଅଶ୍ୱାରୋହୀ ସମେତ ସେନାର ବିଭିନ୍ନ ରେଜିମେଣ୍ଟ୍‌ର ଶୃଙ୍ଖଳିତ ପରେଡ୍, ବାଇକ୍‌ରେ ଚିତାକର୍ଷକ ଡେୟାର୍ ଡେଭିଲ୍ ସୋ ଏବଂ ବ୍ରହ୍ମୋସ୍ ଓ ଆଣ୍ଟି ଟ୍ୟାଙ୍କ୍ ମିସାଇଲ୍ ଭଳି ବିଭିନ୍ନ ବିଶାଳ ଯୁଦ୍ଧାସ୍ତ୍ରର ପ୍ରଦର୍ଶନ। କେବଳ ଉପସ୍ଥିତ ସେନାଅଧିକାରୀ ଓ ଅତିଥି ନୁହନ୍ତି, ଟିଭି ପରଦାରେ ସାରା ଦେଶ ସଗୌରବେ ଦେଖିଥିଲା ସେନାର ଏହି ପାଓ୍ୱାର୍ ସୋ।

ଏହି ଅବସରରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ବୀରନାରୀଙ୍କୁ ମରଣୋତ୍ତର ସେନା ମେଡାଲ୍, ନାଗା ରେଜିମେଣ୍ଟର ତୃତୀୟ ବାଟାଲିୟନ୍‌କୁ ଉତ୍କୃଷ୍ଟ ଓ ମେଧାବୀ ଯୋଗଦାନ ପାଇଁ ସେନାଧ୍ୟକ୍ଷ ୟୁନିଟ୍ ପ୍ରଶସ୍ତି ପତ୍ର ଆଦି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।

୧୯୪୯ ଜାନୁଆରୀ ୧୫ରେ ଭାରତର ଶେଷ ବ୍ରିଟିଶ କମାଣ୍ଡର ଇନ୍ ଚିଫ୍ ସାର୍ ଫ୍ରାନସିସ ବୁଚରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଭାରତର ଫିଲ୍ଡ ମାର୍ଶଲ କେ.ଏମ୍. କରିୟପ୍ପା, ଆଉ ବନିଥିଲେ ଭାରତୀୟ ସେନାର ପ୍ରଥମ କମାଣ୍ଡର ଇନ୍ ଚିଫ୍। ସେହିଦିନକୁ ମନେପକାଇ ପ୍ରତ୍ୟେକ ବର୍ଷ ସ୍ଥଳ ସେନା ଦିବସ ପାଳିତ ହେଉଛି।

You might also like