ପାଖେଇ ଆସୁଛି ଉତ୍ତରପ୍ରଦେଶ ନିର୍ବାଚନ, ମୋଦିଙ୍କୁ ଭେଟିଲେ ଯୋଗୀ

ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ତେଣୁ ଏବେଠୁ ରାଜ୍ୟରେ ଆରମ୍ଭ ହେଲାଣି ଆରୋପ ପ୍ରତ୍ୟାରୋପ । ନିର୍ବାଚନ ଯେତିକି ପାଖୋଉଛି ରାଜନୀତି ସେତିକି ସରଗରମ ହେଉଛି । ନେତାଙ୍କ କଥାରେ ଉଷ୍ମତା ବଢ଼ୁଛି ।

ତେବେ ଗୁରୁବାର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଦେଢ଼ ଘଣ୍ଟାର ଆଲୋଚନା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସକାଳ ପ୍ରାୟ ୧୦.୪୫ରେ ଯୋଗୀ ମୋଦିଙ୍କ ବାସଭବନରେ ପହଞ୍ଚିଥିଲେ । ଏହାପରେ ମୋଦିଙ୍କ ସହ ପ୍ରାୟ ୧୧ଟାରେ ବୈଠକ ଆରମ୍ଭ ହୋଇଥିଲା । ତେବେ ଆଜି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ମଧ୍ୟ ଆଲୋଚନା କରିବେ ଯୋଗୀ ।

କୁହାଯାଉଛି, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏହି ଆଲୋଚନା ହେଉଛି । ଉତ୍ତରପ୍ରଦେଶ ବିଜେପିରେ ଅସନ୍ତୋଷ ବୃଦ୍ଧି ପାଇଥିବା ଚର୍ଚ୍ଚା ହେଉଥିବା ବେଳେ ଏହି ଆଲୋଚନାର ଅନେକ ଗୁରୁତ୍ୱ ରହିଛି । କରୋନା ମୁକାବିଲାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ବିଫଳ ହୋଇଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଗତ ମାସରେ ଦଳର ନେତୃତ୍ୱ ଓ ଦଳର ସ୍ଥିତି ନେଇ ସାଂସଦ, ବିଧାୟକ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ବରିଷ୍ଠ ନେତା ବିକେ ସନ୍ତୋଷ । ହାଇକମାଣ୍ଡଙ୍କୁ ଏନେଇ ଏକ ରିପୋର୍ଟ ଦେବା ପରେ ଯୋଗୀଙ୍କ ସହ ଏହି ଆଲୋଚନା ହେଉଛି । ତେଣୁ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ୟୁପି ପାଇଁ ନିଜ ଷ୍ଟ୍ରାଟେଜି ପରିବର୍ତ୍ତନ କରିବ କି ତାକୁ ନେଇ କଳ୍ପନାଜଳ୍ପନା ବଢ଼ିଛି ।

ଅନ୍ୟପଟେ ଯୋଗୀ ସରକାରର ପୂର୍ବତନ ମନ୍ତ୍ରୀ ତଥା ସୁହେଲଦେବ ଭାରତୀୟ ସମାଜ ପାର୍ଟିର ଅଧ୍ୟକ୍ଷ ଓମ୍‌ପ୍ରକାଶ ରାଜଭର ବିଜେପିକୁ ଟାର୍ଗେଟ କରିଛନ୍ତି । ନିଜ ଟ୍ୱିଟ୍ ହ୍ୟାଣ୍ଡେଲରେ  ସେ ଲେଖିଛନ୍ତି ଯେ, ବିଜେପି ହେଉଛି ଏକ ବୁଡ଼ି ଯାଉଥିବା ଡଙ୍ଗା । ସେଥିରେ ଯିଏ ବସିବାର ଅଛି ବସ । କିନ୍ତୁ ଆମେ ବସିବୁ ନାହିଁ । ନିର୍ବାଚନ ସମୟରେ ବିଜେପି ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା, ସେଥିମଧ୍ୟରୁ ଗତ ୪ ବର୍ଷ ମଧ୍ୟରେ କୌଣସି ବି ପ୍ରତିଶ୍ରୁତି ପୁରଣ କରିନାହିଁ । ନିର୍ବାଚନ ଆସିଲେ ହିଁ ବିଜେପିର ଦଳିତଙ୍କ କଥା ମନେପଡ଼ିଥାଏ । ଯେତେବେଳେ ମୁଁଖ୍ୟମନ୍ତ୍ରୀ କିଏ ହେବ କଥା ଉଠେ, ସେତେବେଳେ ସେମାନେ ବାହାରୁ ଲୋକ ଆଣି ପଦବୀରେ ବସାଇଥାନ୍ତି । ଆମେ ଯେଉଁ ସବୁ ମୁଦ୍ଦାକୁ ନେଇ ବିଜେପି ସହ ମେଣ୍ଟ କରିଥିଲୁ, ଗତ ସାଢ଼େ ଚାରି ବର୍ଷ ମଧ୍ୟରେ ସେସବୁ କିଛି ବି ପୁରଣ ହୋଇନାହିଁ ।

ଖାଲି ସେତିକି ନହେଁ ସେ ଆହୁରି କହିଛନ୍ତି ଯେ, ଶିକ୍ଷକ ନିଯୁକ୍ତିରେ ମଧ୍ୟ ପଛୁଆ ବର୍ଗଙ୍କ ହକ ଛଡ଼ାଇ ନେଇଛି ବିଜେପି । ପଛୁଆବର୍ଗଙ୍କୁ ସେମାନଙ୍କ ଅଧିକାର ନଦେଇଥିବା ବିଜେପି ଏଥର କେଉଁ ମୁହଁ ନେଇ ଭୋଟ ମାଗିବାକୁ ଯିବ ? ବିଜେପି ଦଳକୁ କେବଳ ଭୋଟ ସମୟରେ ପଛୁଆ ବର୍ଗଙ୍କ କଥା ମନେପଡ଼େ । ଏଭଳି ରାଜନୈତିକ ଆକ୍ଷେପ କରି ବିଜେପିକୁ ସମର୍ଥନ ନକରିବା ପାଇଁ ରାଜଭର ଆହ୍ୱାନ ଦେଇଛନ୍ତି ।

You might also like