”ଯେତେବେଳେ ସମୟ ଥିଲା କେବଳ ୨ଟି କାହିଁକି, ୨୦ ପିଲା ଜନ୍ମ କଲନି’

ଫଟା ଜିନ୍ସ ବିବାଦ ଥମିନି, ଆଉ ଏକ ବିବାଦୀୟ ବୟାନ ଦେଲେ ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ

ଡେରାଡୁନ୍: ”ଅଧିକ ଛୁଆ ଜନ୍ମ କଲନି , ଅଧିକ ଚାଉଳ ପାଇଥାଆନ୍ତ’ । ମହିଳାଙ୍କ ଫଟା ଜିନ୍ସ ପିନ୍ଧିବା ଉପରେ ଦେଇଥିବା ବିବାଦ ଥମିନଥିବା ବେଳେ ପିଲାଜନ୍ମ ପାଇଁ ଲୋକଙ୍କୁ ଜ୍ଞାନ ବାଣ୍ଟୁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଆଜି ପୁଣି ଏକ କାର୍ଯ୍ୟକ୍ରମରେ ବିବାଦୀୟ ବୟାନ ଦେଇଛନ୍ତି ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ । ମହାମାରୀ ସମୟରେ ଲୋକଙ୍କୁ ଯଦି ଅଧିକ ରାସନ ପାଇବାର ଇଚ୍ଛା ଥିଲା, ତେବେ ସେମାନେ ପୂର୍ବରୁ ଅଧିକ ପିଲା ଜନ୍ମ କଲେନି କାହିଁକି ? କୋଭିଡ -୧୯ ପ୍ରଭାବିତଙ୍କୁ ସରକାରଙ୍କ ପକ୍ଷରୁ ପ୍ରତି ପ୍ରତି ସଦସ୍ୟ ପାଞ୍ଚ କିଲୋଗ୍ରାମ ରାସନ ଦିଆଯାଇଛି। ଯେଉଁ ପରିବାରରେ ୨୦ ସଦସ୍ୟ ଥିଲେ ତାଙ୍କୁ ଗୋଟିଏ କ୍ୱିଣ୍ଟାଲ ରାସନ ଦିଆଯାଇଛି। ଆଉ ଦୁଇ ସନ୍ତାନ ଥିବା ପରିବାରକୁ ୧୦ କିଲୋ ଚାଉଳ ମିଳିଛି। ଅସୁବିଧା ସମୟରେ ବି ଲୋକେ ଈର୍ଷା କରୁଛନ୍ତି ।

ଗତକାଲି ନୈନିତାଲ ଜିଲ୍ଲାର ରାମନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ତିରଥ ସିଂ ରାୱତ କହିଛନ୍ତି, ଯେଉଁ ମାନଙ୍କର ୧୦ ସନ୍ତାନ ଥିଲେ, ସେମାନେ ୫୦ କିଲୋଗ୍ରାମ ରାସନ ପାଇଥିଲେ। ଯାହାର ୨୦ ପିଲା ଥିଲେ ସେମାନେ ପାଇଲେ ଏକ କ୍ୱିଣ୍ଟାଲ ଚାଳଉ।  ଆଉ ଦୁଇ ସଦସ୍ୟ ଥିବା ପରିବାରକୁ ମିଳିଲା ୧୦ କିଲୋଗ୍ରାମ । ମହାମାରୀ ସମୟରେ କିଲୋ କିଲୋ ଚାଉଳ ପାଇ ଘରେ ହିଁ ଚାଉଳ ଗୋଦାମ ବନାଇଦେଲେ, ଆଉ ବିକ୍ରି କରିବାକୁ ଲାଗିଲେ। ଏତେ ଭଲ ଚାଉଳ ଲୋକେ ପୂର୍ବରୁ ଦେଖି ନଥିଲେ କି ଖାଇନଥିଲେ । କିଲୋ କିଲୋ ଚାଉଳ ଦେଖି ଏବେ ଲୋକେ ଇର୍ଷା କରୁଛନ୍ତି। ହେଲେ ଭାଇ, ଏଥିପାଇଁ  କିଏ ଦାୟୀ?  ଯେବେ ସମୟ ଥିଲା ୨ ହିଁ ପିଲା କାହିଁକି ଜନ୍ମ କଲ, ୨୦ ପିଲା ଜନ୍ମ କରିଥିଲେ ଅଧିକ ଚାଉଳ ମିଳିଥାଆନ୍ତା ବୋଲି ସେ କହିଛନ୍ତି ।

କେବଳ ଏତିକି ନୁହେଁ  ଆଜି ଆମ ଦେଶ ଭାରତ ସମ୍ପର୍କରେ ମଧ୍ୟ ବିବାଦୀୟ ଟିପ୍ପଣୀ ଦେଇଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ୨୦୦ ବର୍ଷ ପର୍ଯ୍ୟନ୍ତ ଭାରତ ଆମେରିକାର ଦାସ ଥିଲା। ହେଲେ ମହାମାରୀ ସମୟରେ ସବୁଠାରୁ ଶକ୍ତିଶାଳୀ ତଥା ବିକଶିତ ଦେଶ ତୁଳନାରେ ଭାରତର କରୋନା ମୁକାବିଲା ଉନ୍ନତ ସ୍ଥିତିରେ ରହିଥିଲା । ବିକଶିତ ଦେଶ ଯାହା କରିପାରିଲେନି, ଭାରତ ତାହା କରି ଦେଖାଇଲା।  ଭାରତ ଏବେ ସାରା ବିଶ୍ୱକୁ ନୂଆ ରାହା ଦେଖାଇଛନ୍ତି। ହେଲେ ଅନ୍ୟପଟେ ଆମେରିକା କରୋନା ସହ ଏବେ ବି ସଂଘର୍ଷ ଜାରି ରଖିଛି।

ସୂଚନାଯୋଗ୍ୟ ମାର୍ଚ୍ଚ ୧୭ ତାରିଖରେ ମହିଳାଙ୍କ ପୋଷାକ ପରିଧାନ ଶୈଳୀକୁ ନେଇ ବିବାଦୀୟ ବୟାନ ଦେଇଥିଲେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ । ଫଟା ବା ରପ୍ଟ ଜିନ୍ସ ପିନ୍ଧୁଥିବା ମହିଳା ନିଜ ପିଲାମାନଙ୍କ ପାଇଁ  ଘରେ ଠିକ ପରିବେଶରେ ସୃଷ୍ଟି କରିପାରୁ ଥିବେ ବୋଲି ମୋର ବିଶ୍ୱାସ ନାହିଁ ବୋଲି କହିଥିଲେ।  ଗୋଟିଏ ପଟେ ପାଶ୍ଚାତ୍ୟ ଦେଶ ଭାରତର ଯୋଗ ଏବଂ ନିଜର ଶରୀର ଘୋଡାଇବା ପରମ୍ପରାକୁ ଦେଖୁଥିବାବେଳେ କିନ୍ତୁ ଆମେ ନଗ୍ନତା ପଛରେ ଧାଉଁଛୁ ବୋଲି ମନ୍ତବ୍ୟ ଦେଇଥିଲେ । ତେବେ ଏହି ବିବାଦୀୟ ଟିପ୍ପଣୀ ଦେଇ ସାରା ଦେଶର ଲୋକଙ୍କ ଆକ୍ରୋଷର ଶିକାର ହୋଇଥିଲେ। ସେଲିବ୍ରିଟି ଠାରୁ ଆରମ୍ଭ କରି ନେତା ଓ ସାଧାରଣ ଜନତା ତାଙ୍କ ଏପରି ମାନସିକତା ପାଇଁ ତିରସ୍କାର କରିଥିଲେ।  ତଥାପି ସୁଧୁରିଲେନି ନୂଆ ମୁଖ୍ୟମନ୍ତ୍ରୀ। ମନ ଇଚ୍ଛା, ପାଟିକୁ ଯାହା ଆସୁଛି କହି ଯାଉଛନ୍ତି।

 

You might also like