ନେତା ହେବ ତ ଏମିତି : ହାତରେ ଘସି ଘସି କୋଭିଡ ସେଣ୍ଟରର ଶୌଚାଳୟ ସଫା କଲେ ବିଜେପି ସାଂସଦ

  • କୋଭିଡ ସେଣ୍ଟର ପରିଦର୍ଶନ ସମୟରେ ମଇଳା ଶୌଚାଳୟ ଦେଖିଲେ ବିଜେପି ସାଂସଦ
  • ବ୍ରସ ନମିଳିବାରୁ ହାତରେ ଘସି ଘସି ଟଏଲେଟ୍ ସଫା କଲେ ଜନାର୍ଦ୍ଦନ ମିଶ୍ରା

ରିୱା : ଜନତାଙ୍କ ନେତା ଜନାର୍ଦ୍ଦନ । ଭୋଟ ପାଇବା ପରେ ଭୋଟରଙ୍କୁ ଭୁଲିଯାଉଥିବା ଜନପ୍ରତିନିଧିଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମଧ୍ୟପ୍ରଦେଶର ରିୱା ଲୋକସଭା ସାଂସଦ ଜନାର୍ଦ୍ଦନ ମିଶ୍ରା ପୁଣି ଥରେ ଚର୍ଚ୍ଚାରେ । ସ୍ୱଚ୍ଛ ଭାରତ ଅଭିଯାନକୁ ଗୁରୁତ୍ୱ ଦେଉଥିବା ନେତା କୋଭିଡ୍ ସେଣ୍ଟର ନୀରିକ୍ଷଣ ସମୟରେ ଅପରିସ୍କାର ଶୌଚାଳୟ ଦେଖି ନିଜକୁ ରୋକିପାରିଲେନି । ଜଣେ ସାଂସଦ ହୋଇଥିଲେ ସୁଦ୍ଧା ଶୌଚାଳୟ ସଫା କରିବାକୁ ନିଜେ ଆଗେଇ ଆସିଥିଲେ । ବ୍ରସ ନମିଳିବାରୁ ହାତରେ ଗ୍ଲୋବସ ପିନ୍ଧି ଶୌଚାଳୟ ସଫା କାମରେ ଲାଗିଗଲେ । ତେବେ ସେହି ସମୟର ଭିଡିଓ ଉତ୍ତୋଳନ କରିନେଇଥିଲେ କିଛି ବିଜେପି କାର୍ଯ୍ୟକର୍ତ୍ତା, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରିୱାରେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ଜନାର୍ଦ୍ଦନ ମିଶ୍ରା ନିତି ପ୍ରତିଦିନ ନିଜ ନିର୍ବାଚନ ମଣ୍ଡଳୀ ପରିଦର୍ଶନରେ ବାହାରି ଯାହାନ୍ତି । ଏହି କ୍ରମରେ ଗତ ସେମାବାର ଦିନ ମଉଗଞ୍ଜ ଜନପଦ ପଞ୍ଚାୟତ ପରିଦର୍ଶନ ପାଇଁ ପହଞ୍ଚିଥିଲେ ସାଂସଦ । ଆଉ ଏହି ସମୟରେ ସେ ବିଭିନ୍ନ କୋଭିଡ ସେଣ୍ଟର ପରୀକ୍ଷଣ କରି ଚିକତ୍ସା ସମ୍ପର୍କରେ ଓ ରୋଗୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝାସୁଝା କରଥିଲେ । ତେବେ ଶେଷର କୁଞ୍ଜ ବାହାରୀ କୋଭିଡ ସେଣ୍ଟରରେ ପହଞ୍ଚିଥିଲେ ଜନାର୍ଦ୍ଦନ ମିଶ୍ରା । ଆଉ ସେଠାରେ ଶୌଚାଳୟ ସଫା ହେଉନଥିବା ଅଭିଯୋଗ କରିଥିଲେ ଲୋକେ । ଲୋକଙ୍କ ଅଭିଯୋଗ ଶୁଣି ସେ ନିଜେ ଶୌଚଳାୟ ଯାଇ ଦେଖିଲା ବେଳକୁ ନାକ ଫାଟି ପଡ଼ୁଥିଲା । ଭିତରକୁ ଯିବା ଏକ ପ୍ରକାର ଅସମ୍ଭବ ଥିଲା । ଲାଗୁଥିଲ ସତେ ଯେମିତି ବର୍ଷ ବର୍ଷ ଧରି ସଫା ହୋଇନି ଶୌଚାଳୟ ।

ଅପରିସ୍କାର ଶୌଚାଳୟ ଦେଖି ଅଧିକାରୀଙ୍କ କ୍ଲାସ ନେବା ସହ ନିଜେ ପରିସ୍କାର କରିବାରେ ଲାଗାଯାଇଥିଲେ ସାଂସଦ । ଗ୍ଲୋବସ ପିନ୍ଧି ଘସି ଘସି ଶୌଚାଳୟ ସଫା କରିଥିଲେ । କଳା ପଡ଼ିଯାଇଥିଲା ଶୌଚାଳୟକୁ ନିଜ ହାତରେ ସଫା କରି ଚକାଚକ୍ କରିଦେଲେ । ହେଲେ ସେଠରେ ଉପସ୍ଥିତ ଥିବା କୋଭିଡ ସେଣ୍ଟରର କୌଣସି ଅଧିକାରୀଙ୍କ ମନରେ ତିଳେମାତ୍ର ଅନୁଶୋଚନା ନଥିଲା । ତେବେ ସାଂସଦଙ୍କ ଏହି ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଜଣେ ବିଜେପି କାର୍ଯ୍ୟକର୍ତ୍ତା , ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସ୍ୱଚ୍ଛତାକୁ ନେଇ ସବୁବେଳେ ଚର୍ଚ୍ଚାରେ ଜନାର୍ଦ୍ଦନ ମିଶ୍ରା। ଜାତୀୟ ଗଣମାଧ୍ୟମରେ ମଧ୍ୟ ଅନେକ ଥର ତାଙ୍କର ସ୍ୱଚ୍ଛତା ସମ୍ମନ୍ଧୀୟ ଅଭିଯାନକୁ ପ୍ରଶଂସା କରାଯାଇଛି। ପୂର୍ବରୁ କରୋନା ମହାମାରୀ ସମୟରେ ଗାଁ ଗାଁ ବୁଲି ସ୍ଥିତି ସମ୍ପର୍କରେ ଖବର ନେଉଥିଲେ । କରୋନାର ପ୍ରଥମ ଲହରୀ ସମୟରେ ସେ କୋଭିଡ ୱାର୍ଡ ସଫା କରିଥିଲେ । ସ୍ୱଚ୍ଛତା ପ୍ରତି ତାଙ୍କର ଉତ୍ସର୍ଗୀକରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଛନ୍ତି।

You might also like