ସ୍କୁଲ୍ ଫି’ ଚାପ ସହି ପାରିଲେନି ! ଚରମ ପଦକ୍ଷେପ ନେଲେ ୧୦ମ ଶ୍ରେଣୀ ଛାତ୍ରୀ
ହାଇଦ୍ରାବାଦ: ସ୍କୁଲ୍ରେ କ୍ଲାସ୍ କରିବାକୁ ଅନୁମତି ନମିଳିବାରୁ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍କୁଲ୍ ଫି’ ନଦେବାରୁ ଛାତ୍ରୀଙ୍କୁ କ୍ଲାସ୍ ପାଇଁ ଅନୁମତି ମିଳିନଥିଲା ଓ ସେ ମାନସିକ ଚିନ୍ତାରେ ଥିଲେ। ଫଳରେ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ହାଇଦ୍ରାବାଦରେ ଏହି ଅଭାବନୀୟ ଘଟଣା ଘଟିଛି।
ଘର ଭିତରେ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ବାପାମା’ ଦିନ ମଜୁରିଆ ବୋଲି ଜଣାପଡ଼ିଛି। ଛାତ୍ରୀଙ୍କ ବାପାଙ୍କ କହିବା ଅନୁଯାୟୀ, ‘ଲକ୍ଡାଉନ୍ରେ ରୋଜଗାର ହରାଇବା ପରେ ଆମେ ମୋଟ୍ ସ୍କୁଲ୍ ଫି’ର ୧୫ ହଜାର ଟଙ୍କା ଦେଇଥିଲୁ। ୨୦ ତାରିଖ ସୁଦ୍ଧା ବାକି ଟଙ୍କା ଦେଇ ଦେବୁ ବୋଲି ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ କହିଥିଲୁ।’
ଛାତ୍ରୀଙ୍କ ବାପା ଅଭିଯୋଗ ଆଣି କହିଛନ୍ତି, ‘ସ୍କୁଲ୍ ଫି’ ଦେବା ପାଇଁ ଝିଅ ଉପରେ ସ୍କୁଲ୍ ମ୍ୟାନେଜମେଣ୍ଟ୍ ଚାପ ପକାଉଥିଲେ। ସେ ଆହୁରି କହିଛନ୍ତି, ‘ଝିଅ ଗତକାଲି ସ୍କୁଲ୍ ଯିବା ପାଇଁ ଚାହୁଁ ନଥିଲେ। ହସ୍ପିଟାଲ୍ ଯାଇଛି ବୋଲି ଶିକ୍ଷକଙ୍କୁ କହିବାକୁ କହିଥିଲେ। ଶିକ୍ଷକମାନେ ମୋତେ ଫୋନ୍ କରିଥିଲେ ଓ ଫି’ ଦେବା ପାଇଁ ମୋ ଉପରେ ଚାପ ପକାଇ ଥିଲେ।
ବାକି ସ୍କୁଲ୍ ଫି’ ନଦେଲେ କ୍ଲାସ୍ ନକରିବାକୁ ସ୍କୁଲ୍ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ବାରମ୍ବାର କହୁଥିଲେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ, ଛାତ୍ରୀଙ୍କ ପିତାମାତାଙ୍କ ଅଭିଯୋଗ ଆଧାରରେ ସ୍କୁଲ୍ ମ୍ୟାନେଜ୍ମେଣ୍ଟ ବିରୋଧରେ ମାମଲା ରୁଜୁ ହୋଇଛି ଓ ପୋଲିସ୍ ଘଟଣାର ତଦନ୍ତ କରୁଛି। କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବା ଜଣାପଡ଼ିଛି।