ଜେରା ବେଳେ ମିସେଲ ପରୋକ୍ଷରେ ସୋନିଆଙ୍କ ନାଁ ନେଲେ

ଅଗଷ୍ଟା ୱେଷ୍ଟଲାଣ୍ଡ ଦୁର୍ନୀତି ମାମଲା

ନୂଆଦିଲ୍ଲୀ : ଅଗଷ୍ଟା ୱେଷ୍ଟଲାଣ୍ଡ ଭିଭିଆଇପି ଚପ୍‌ର ଦୁର୍ନୀତି ମାମଲାରେ କୋର୍ଟରେ ହାଜର ହୋଇଛନ୍ତି ମଧ୍ୟସ୍ଥି ଖ୍ରୀଷ୍ଟିଆନ୍ ମିସେଲ୍। ଇଡି ପକ୍ଷରୁ ତାଙ୍କୁ ଆଜି ଦିଲ୍ଲୀ ପତିଆଲା ହାଉସ୍ କୋର୍ଟରେ ହାଜର କରାଯାଇଛି। ତେବେ ମାମଲାକୁ ନେଇ ସଙ୍ଗୀନ ଏବଂ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଲଗାଇଛି ଇଡି।

ପଚରାଉଚରା ବେଳେ ଖ୍ରୀଷ୍ଟିଆନ୍ ମିସେଲ୍ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନାଁ ନେଇଥିବା କୋର୍ଟଙ୍କୁ ଜଣାଇଛି ଇଡି। କେବଳ ଏତିକି ନୁହଁ ତଦନ୍ତ ବେଳେ ଇଟାଲିଅନ୍ ମହିଳାଙ୍କ ପୁଅ କହି ରାହୁଲ ଗାନ୍ଧିଙ୍କ ନାଁକୁ ଇଙ୍ଗିତ କରିଥିବା ଇଡି କୋର୍ଟରେ ଜଣାଇଛି।

ତେବେ ଏନେଇ ଠୋସ୍ ପ୍ରମାଣ ପାଇଁ କୋର୍ଟରେ ସମୟ ମାଗିଛି ତଦନ୍ତକାରୀ ସଂସ୍ଥା ଇଡି। ଯାହାକୁ ନେଇ ଆଉ ୭ ଦିନ ରିମାଣ୍ଡ ଅବଧିକୁ ବଢ଼ାଇଛନ୍ତି କୋର୍ଟ। ଅଗଷ୍ଟା ୱେଷ୍ଟଲାଣ୍ଡ ଚପ୍‌ର ଡିଲ୍‌ରୁ ହାଲ୍‌କୁ ବାଦ ଦିଆଯାଇ ଟାଟା କମ୍ପାନିକୁ ଅନୁମତି ଦିଆଯାଇଥିବା ବୋଲି ମଧ୍ୟ କୋର୍ଟଙ୍କୁ ଜଣାଇଛି ଇଡି।

ଏନେଇ ଓଲଟା ଇଡି ଉପରେ ଆରୋପ ଆଣିଛନ୍ତି ଖ୍ରୀଷ୍ଟିଆନ୍ ମିସେଲ୍‌ଙ୍କ ଓକିଲ ଆଲଜିଓ ଜୋସେଫ୍। ଇଡି କରିଥିବା ଅଭିଯୋଗ ଏବଂ କୋର୍ଟଙ୍କ ସମ୍ମୁଖରେ ରଖିଥିବା ତଥ୍ୟ ସମ୍ପର୍କରେ ତାଙ୍କୁ ଅବଗତ କରାଯାଇନି। ଖ୍ରୀଷ୍ଟିଆନ୍ ଶୋଇଥିବା ବେଳେ ତାଙ୍କଠୁ କିଛି ଦସ୍ତଖତ ନିଆଯାଇଛି। ଏପରିକି ଖ୍ରୀଷ୍ଟିଆନ୍‌ଙ୍କ ସହ ଭେଟିବା ପାଇଁ ବି ତାଙ୍କୁ ଅନୁମତି ମିଳିନଥିବା ସେ କହିଛନ୍ତି।

ଅନ୍ୟପଟେ ଖ୍ରୀଷ୍ଟିଆନ୍‌ଙ୍କୁ ତାଙ୍କ ଓକିଲ ସକାଳେ ଏବଂ ସଧ୍ୟାରେ ୧୫ ମିନିଟ୍‌ ଭେଟିବେ ଏବଂ ସାକ୍ଷାତ ବେଳେ ଦୂରତା ରକ୍ଷା କରିବେ ବୋଲି କୋର୍ଟ ଜଣାଇଛନ୍ତି।

You might also like