LACରୁ ସେନା ପ୍ରତ୍ୟାହାର କଲେ ଉଭୟ ଭାରତ ଓ ଚୀନ୍

ଭୁବନେଶ୍ୱର: LACରୁ ଉଭୟ ଭାରତ ଓ ଚୀନ୍ ସେନା ପ୍ରତ୍ୟାହାର କରିଛନ୍ତି। ପୂର୍ବ ଲଦାଖରୁ ସେନା ଓ ଯୁଦ୍ଧ ଟ୍ୟାଙ୍କ୍ ପ୍ରତ୍ୟାହାର କରି ନେଇଛନ୍ତି ଉଭୟ ଦେଶ। ପ୍ୟାଙ୍ଗଗଙ୍ଗ୍ ହ୍ରଦ କୂଳରୁ ସମର ସଜ୍ଜା ପାଇଁ ପ୍ରସ୍ତୁତ ହେଉଥିବା ଉଭୟ ଦେଶର ସୈନିକ ଓ ଯୁଦ୍ଧ ଟ୍ୟାଙ୍କକୁ ଖାଲି କରିଛନ୍ତି ଦୁଇ ଦେଶର ସେନା ବାହିନୀ। ଏ ନେଇ ଆଜି ଭାରତୀୟ ସେନା ପକ୍ଷରୁ ପୂର୍ବ ଲଦାଖ ଅନ୍ତର୍ଗତ ଦକ୍ଷିଣ ପ୍ୟାଙ୍ଗଗଙ୍ଗର ନୂଆ ଫଟୋ ଓ ଭିଡିଓ ଜାରି କରାଯାଇଛି।

ଯେଉଁଥିରେ ଚୀନ ପକ୍ଷରୁ ଏ ପ୍ରକ୍ରିୟା ଜାରି ରହିଥିବା ଦେଖିବାକୁ ମିଳିଛି। ଯୁଦ୍ଧ ଟ୍ୟାଙ୍କଗୁଡ଼ିକୁ ଚୀନ ଫେରାଉ ନେଉଥିବା ବେଳେ ସେନାକୁ ଫେରାଇ ନେବା ଲାଗି ବଡ଼ ବଡ଼ ଭାରୀଯାନ ମଧ୍ୟ ଅପେକ୍ଷା କରିଛି। ଭାରତର ଦାବି ଅନୁସାରେ ଚୀନର ସେନା ପ୍ରତ୍ୟାହାର ଫଳରେ LACରେ ବର୍ଷକ ତଳେ ସୃଷ୍ଟି ହୋଇଥିବା ସୀମା ବିବାଦ ଓ ଏହି କାରଣରୁ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତି ଏବେ ଶାନ୍ତ ପଡ଼ିବାକୁ ଯାଉଛି। ଉଭୟ ଦେଶ ପକ୍ଷରୁ LACରେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଗତ ସପ୍ତାହରୁ ଆରମ୍ଭ ହୋଇଛି।

କିଛି ଦିନ ତଳେ ପୂର୍ବ ଲଦାଖ ସ୍ଥିତ ପାଙ୍ଗଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ତଟରୁ ଭାରତ ଓ ଚୀନ୍ ସୈନ୍ୟ ପ୍ରତ୍ୟାହାର କରିଥିଲେ। ଏନେଇ ଚୀନ୍ ପ୍ରତିରକ୍ଷା ମନ୍ତ୍ରାଳୟ ବିବୃତି ଜାରି କରିଥିଲେ ମଧ୍ୟ, ଭାରତ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲା। ସେତେବେଳେ ଚୀନ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, ଉଭୟ ଦେଶର ନବମ କୋର୍ କମାଣ୍ଡର ସ୍ତରୀୟ ବୈଠକରେ ହୋଇଥିବା ସହମତି ଅନୁସାରେ ଫେବୃଆରୀ ୧୦ ଠାରୁ ସୈନ୍ୟ ପ୍ରତ୍ୟାହାର କରାଯାଉଛି।

ସମକାଳୀନ ଓ ବ୍ୟବସ୍ଥିତ ଭାବେ ଭାରତ ଓ ଚୀନ୍ ଆଗଧାଡ଼ିର ସୈନ୍ୟଦଳଙ୍କୁ ପ୍ରତ୍ୟାହାର ଆରମ୍ଭ କରିଛନ୍ତି। ଗଲଓ୍ୱାନ ଘାଟି ସଂଘର୍ଷ ପରେ ଗତବର୍ଷ ମେ ମାସରୁ ଉଭୟ ଦେଶ LACରେ ସାମରିକ ଗତିବିଧି ଜୋରଦାର କରିଥିଲେ। ବାରମ୍ବାର ସାମରିକ ଓ କୂଟନୈତିକ ଆଲୋଚନା ସତ୍ତ୍ୱେ ସ୍ଥିତିରେ ସେଭଳି ସୁଧାର ଆସିନଥିଲା। ବିବାଦର ସମାଧାନ ପାଇଁ ବାରମ୍ବାର କୋର୍ କମାଣ୍ଡର୍ ସ୍ତରୀୟ ବୈଠକ ବସିଥିଲା।

You might also like