ଭାରତ-ଭିଏତନାମ୍ ଘନିଷ୍ଠତା ବଢିବା ଦେଖି ବିବ୍ରତ କି ଚୀନ୍?

ନୂଆଦିଲ୍ଲୀ: ଭାରତ-ଭିଏତନାମ୍ ଘନିଷ୍ଠତା ବଢିବା ଦେଖି ବିବ୍ରତ କି ଚୀନ୍? ଭିଏତ୍‌ନାମ ସୀମା ନିକଟରେ ଚୀନ୍ ନିଜର ଏକ ସରଫେସ୍-ଟୁ-ଏୟାର୍ ମିଜାଇଲ୍ ବେସ୍ ସ୍ଥାପନ କରିଥିବା ଆଶଙ୍କା କରାଯାଉଛି। ଏହି କ୍ଷେପଣାସ୍ତ୍ର ଘାଟିର ସାଟେଲାଇଟ୍ ଇମେଜ୍ ସାଉଥ ଚାଇନା ସି ନିଉଜ୍ ନାମକ ଏକ ସଂସ୍ଥା ଟୁଇଟ୍ କରିବା ପରେ, ଚୀନ୍‌ର ଉଦ୍ଦେଶ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଭିଏତନାମ ସୀମା ଠାରୁ ମାତ୍ର ୨୦ କିଲୋମିଟର ଦୂର ଗୁଆନ୍‌ଟି ପ୍ରଦେଶରେ ଏହି ମିଜାଇଲ୍ ବେସ୍ ତିଆରି ହୋଇଛି। ଏହାଠାରୁ ଅଳ୍ପ ଦୂରରେ ଏକ ହେଲିକପ୍ଟର ବେସ୍ ମଧ୍ୟ ତିଆରି ହୋଇଥିବା ଦେଖିବାକୁ ମିଳିଛି। ସାଟେଲାଇଟ ଫଟୋରେ ରାଡାର୍, ୬ଟି ଲଞ୍ଚର୍ ଏବଂ ଗୋଟିଏ ମିଲିଟାରୀ ରନ୍‌ୱେ ଦେଖିବାକୁ ମିଳୁଛି। ଏସବୁର ସତ୍ୟାସତ୍ୟ ଯାଞ୍ଚ କରାଯିବ ବୋଲି ଭିଏତନାମ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି।

ସୌଜନ୍ୟ: ଇଣ୍ଟରନେଟ୍
ସାଟେଲାଇଟ୍‌ରୁ ଉତ୍ତୋଳିତ ଚିତ୍ର

ସେପଟେ ଭାରତ ସହ ଘନିଷ୍ଠତା ବଢାଉଥିବାରୁ ଭିଏତନାମକୁ ଡରାଇବାକୁ ଚୀନ୍ ଏଭଳି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। ଭିଏତନାମ ଭାରତ ଠାରୁ ସୁପରସୋନିକ ବ୍ରହ୍ମୋସ୍ ମିଜାଇଲ୍ କିଣିବା ପାଇଁ ପ୍ରସ୍ତାବ ଦେଇଛି, ଯାହାକୁ ଭାରତ ପକ୍ଷରୁ ଏଯାଏଁ ସବୁଜ ସଂକେତ ଦିଆଯାଇନାହିଁ। ଭାରତ ଠାରୁ ଭିଏତନାମ୍ ୧୨ଟି ହାଇସ୍ପିଡ୍ ପାଟ୍ରୋଲ୍ ସିପ୍ ମଧ୍ୟ କିଣୁଛି। ତେଣୁ ଏସବୁ ଚୀନ୍‌କୁ ଅସହ୍ୟ ହେଉଥିବା ଆଶଙ୍କା କରାଯାଉଛି।

ଚୀନ୍‌ ଓ ଭାରତ ଏଇ ୨ ଦେଶ ମଧ୍ୟରେ ଅନେକ ଥର ବୈଠକ ହୋଇସାରିଥିଲେବି କିନ୍ତୁ ଲଦାଖ ଉତ୍ତେଜନା ବାବଦରେ କୌଣସି ନିସ୍କର୍ଷ ବାହାରି ପାରିନାହିଁ। ଶେଷଥର ପାଇଁ ନଭେମ୍ବର ୬ରେ ଉଭୟ ଦେଶ ମଧ୍ୟରେ ଲଦାଖ ଠାରେ କୋର୍ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା। ଦୀର୍ଘ ୬ ମାସ ହେଲାଣି ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଲଦାଖର ତାପମାତ୍ରା କମ୍‌ ଥିଲେବି ତଥାପି ସୀମାରେ ସୈନ୍ୟ ମୁତୟନ ଅଛନ୍ତି।

ଭାରତୀୟ ବାୟୁ ସେନାର ଶକ୍ତି ବୃଦ୍ଧି ଯୋଗୁଁ ଚୀନ୍ ବାୟୁସେନା ଭୟଭୀତ ଅବସ୍ଥାରେ ରହିଛି। ଯଦି କୌଣସି ମୂହୁର୍ତ୍ତରେ ଭାରତ ଆକ୍ରମଣ କରି ଦିଏ, ତେବେ ହାରିବା ନିଶ୍ଚିତ ବୋଲି ଜାଣି ସାରିଛି ଚୀନ। ଏଥି ପାଇଁ ଶକ୍ତିଶାଳୀ ରାଫେଲ ଆକ୍ରମଣକୁ ଏଡାଇବା ପାଇଁ ଚୀନ୍ ବର୍ତ୍ତମାନ ନୂଆ ପ୍ରକାର ହ୍ୟାଙ୍ଗର ନିର୍ମାଣ କରୁଛି। ଯେଉଁଠାରେ ତିଆରି ହୋଇପାରିବ ଯୁଦ୍ଧ ଜାହାଜ। ଏହା ସହ ଏୟାର ଷ୍ଟ୍ରିପକୁ ମଧ୍ୟ ଅପଡେଟ୍ କରିବା ଯୋଜନା ରଖିଛି। ଏସବୁ କାମ ପାଇଁ ଚୀନ୍ ପଡୋଶୀ ପାକିସ୍ତାନର ସାହାଯ୍ୟ ନେଉଛି। ବାଲାକୋଟ ଏୟାର ଷ୍ଟ୍ରାଇକରୁ ଶିକ୍ଷା ଗ୍ରହଣ କରି ଚୀନ୍ ପରିବର୍ତ୍ତନ କରୁଛି ବୋଲି ଗୁଇନ୍ଦା ରିପୋର୍ଟରେ ଦର୍ଶାଯାଇଛି।

You might also like