• translate
Chandan Shishu

ନୂଆଦିଲ୍ଲୀ: ସିରମ ଇନ୍‌ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍‌କୁ ଚୀନ ହ୍ୟାକର୍‌ଙ୍କ ଟାର୍ଗେଟ। କୋଭିଡ୍ ଭ୍ୟାକ୍ସିନ ପ୍ରସ୍ତୁତକାରୀ ଦୁଇ ସଂସ୍ଥାକୁ ଚୀନ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ହ୍ୟାକିଂ ଗ୍ରୁପ କିଛି ସପ୍ତାହ ହେଲା ଟାର୍ଗେଟ କରୁଥିବା ସୂଚନା ମିଳିଛି। ସଂସ୍ଥାର ଆଇଟି ସିଷ୍ଟମକୁ ସିଧା ଟାର୍ଗେଟ କରାଯାଉଛି ବୋଲି ସାଇବର ଇଣ୍ଟେଲିଜେନ୍ସ ଫାର୍ମ- ସାଇଫାର୍ମ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥାକୁ ସୂଚନା ଦେଇଥିବା ଜଣାପଡ଼ିଛି।

ଭାରତ ବିଶ୍ୱର ଅନେକ ଦେଶକୁ କୋଭିଡ୍ ଭ୍ୟାକ୍ସିନ ଯୋଗାଉଛି। ଚୀନ ମଧ୍ୟ ଏହି ରେସ୍‌ରେ ଅଛି। ସିରମ ଓ ଭାରତ ବାୟୋଟେକ୍‌ର ଆଇଟି ବ୍ୟବସ୍ଥା ଓ ଭ୍ୟାକ୍ସିନ୍ ଯୋଗାଣ ବ୍ୟବସ୍ଥାକୁ ଟାର୍ଗେଟ କରାଯାଉଥିବା ସୂଚନା ମିଳିଛି। ହ୍ୟାକିଂ ଗ୍ରୁପ୍ ଭିତରେ ରହିଛି ଚୀନର APT 10। ଏହି ଦୁଇ ସଂସ୍ଥାର ସର୍ଭର ଦୁର୍ବଳ ଥିବା ମଧ୍ୟ ସାଇବର ଇଣ୍ଟେଲିଜେନ୍ସ ଫାର୍ମ-ସାଇଫାର୍ମ ସୂଚନା ଦେଇଛି। ତେବେ ଏନେଇ ସିରମ ଇନ୍‌ଷ୍ଟିଚ୍ୟୁଟ୍ କି ଭାରତ ବାୟୋଟେକ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

ଏହି APT10 ହ୍ୟାକିଂ ଗ୍ରୁପ୍ ଷ୍ଟୋନ୍ ପାଣ୍ଡା ନାମରେ ମଧ୍ୟ ଜଣାଶୁଣା। ହ୍ୟାକିଂ ଗ୍ରୁପ୍ ଦୁଇଟି ଯାକ କମ୍ପାନୀର ସପ୍ଲାଏ ଚେନ୍‌ ସଫ୍ଟୱେରକୁ ଭାଙ୍ଗିବାକୁ ଚେଷ୍ଟା କରିଛି। ସାଇବର ଆଟାକର ମୂଳ ଉଦ୍ଦେଶ୍ୟ ଇଣ୍ଟେଲେକଚ୍ୟୁଆଲ ପପରଟିକୁ ଟାର୍ଗେଟ କରିବା ଓ ଭାରତୀୟ କମ୍ପାନୀଗୁଡ଼ିକୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ମାର୍କେଟରେ ପଛରେ ପକାଇବା।

ସୂଚନାଯୋଗ୍ୟ, ଭାରତ ଓ ଚାଇନା ବିଶ୍ୱର ବିଭିନ୍ନ ପ୍ରାନ୍ତକୁ କରୋନା ଟିକା ସପ୍ଲାଏ କରୁଛନ୍ତି। ଭାରତ ଦୁନିଆରେ ଉପଲବ୍ଧ ହେଉଥିବା ୬୦% ଟିକା ଉତ୍ପାଦନ କରୁଛି। ଏଭଳି ସ୍ଥିତିରେ ଚାଇନାର ଚିନ୍ତା ବଢ଼ିଛି। ଏହି କାରଣରୁ ଚାଇନା କରୋନା ଟିକା ପ୍ରସ୍ତୁତ କରୁଥିବା ଭାରତୀୟ କମ୍ପାନୀର ଆଇଟି ସିଷ୍ଟମକୁ ହ୍ୟାକ୍‌ କରି ଏହାର ଫର୍ମୁଲା ଚୋରି କରିବାକୁ ଉଦ୍ୟମ କରୁଥିବା ବିଶେଷଜ୍ଞମାନେ କହିଛନ୍ତି।

Other Stories