୧୧୮ଆପ୍ସ ବ୍ୟାନକୁ ଚୀନ୍‌ର ଦୃଢ଼ ବିରୋଧ

ନୂଆଦିଲ୍ଲୀ: ଭାରତ ଗତକାଲି ବ୍ୟାନ କରିଥିବା ୧୧୮ଟି ଚାଇନିଜ୍ ମୋବାଇଲ ଆପ୍ସକୁ ଚୀନ୍ ସରକାର ଜୋରଦାର ବିରୋଧ କରିଛନ୍ତି। ସାମ୍ୱାଦିକ ସମ୍ମିଳନୀ କରି ଚୀନ୍‌ର ବାଣିଜ୍ୟିକ ମନ୍ତ୍ରଣାଳୟ ଭାରତର ଏଭଳି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯିବ ବୋଲି ପ୍ରକାଶ କରିଛି।

ଭାରତ ଚାଇନିଜ ନିବେଶକାରୀ ଏବଂ ସେବା ପ୍ରଦାନକାରୀଙ୍କ ଆଇନଗତ ଅଧିକାରକୁ ଭଙ୍ଗ କରୁଛି। ଚୀନ୍ ପକ୍ଷରୁ ଭାରତକୁ ଏହାର ଭୁଲ ସୁଧାରିବାକୁ ଚୀନର ବାଣିଜ୍ୟିକ ମନ୍ତ୍ରଣାଳୟର ମୁଖପାତ୍ର ଗାଓ ଫେଙ୍ଗ କହିଛନ୍ତି। ଏହି ପଦକ୍ଷେପକୁ ପୁନର୍ବିଚାର କରିବାକୁ ଭାରତକୁ ଅନୁରୋଧ କରି ଗାଓ କହିଛନ୍ତି ଯେ ଚୀନ୍-ଭାରତ ଅର୍ଥନୈତିକ ଏବଂ ବାଣିଜ୍ୟିକ ସହଯୋଗ ପରସ୍ପରକୁ ଲାଭ ପ୍ରଦାନ କରୁଛି।

ସେ କହିଛନ୍ତି ଯେ ଚୀନ୍ ସର୍ବଦା ଏହାର କମ୍ପାନୀଗୁଡିକୁ ସେମାନଙ୍କ ବିଦେଶ କାର୍ଯ୍ୟରେ ଅନ୍ତର୍ଜାତୀୟ ତଥା ସ୍ଥାନୀୟ ନିୟମାବଳୀ ପାଳନ କରିବାକୁ କହିଛି। ଆମେ ଆଶା କରୁଛୁ ଯେ ଭାରତୀୟ ଦଳ ଚୀନ୍ ପକ୍ଷ ସହିତ ମିଳିତ ଭାବେ ଦ୍ୱିପାକ୍ଷିକ ସହଯୋଗ ଏବଂ ବିକାଶକୁ ବଜାୟ ରଖିବା ପାଇଁ କାର୍ଯ୍ୟ କରିବ, ଯାହାଦ୍ୱାରା ଚୀନ୍‌ର କମ୍ପାନୀ ସମେତ ଅନ୍ତର୍ଜାତୀୟ ନିବେଶକ ଏବଂ ସେବା ପ୍ରଦାନକାରୀଙ୍କ ପାଇଁ ଏକ ଖୋଲା ଏବଂ ନିରପେକ୍ଷ ବ୍ୟବସାୟିକ ପରିବେଶ ସୃଷ୍ଟି ହେବ ବୋଲି ସେ କହିଛନ୍ତି।

ସୂଚନା ଥାଉକି ଭାରତ ଗତକାଲି ୧୧୮ଟି ଚାଇନିଜ୍ ଆପ୍ସକୁ ବ୍ୟାନ କରିଥିଲା। ଏଥିରେ ଚୀନର ଟେନସେଣ୍ଟ ହୋଲ୍ଡିଙ୍ଗ ଲିମିଟେଡର ଲୋକପ୍ରିୟ ଭିଡିଓ ଗେମ ‘ପବ୍‌-ଜି’କୁ ମଧ୍ୟ ବ୍ୟାନ କରାଯାଇଥିଲା। ଭାରତୀୟଙ୍କ ତଥ୍ୟର ସୁରକ୍ଷା ଦୃଷ୍ଟିରୁ ଏହି ଆପ୍ସଗୁଡ଼ିକୁ ବ୍ୟାନ କରାଯାଇଥିବା କୁହାଯାଇଥିଲା।

You might also like