ପ୍ରଥମ କରୋନା ରୋଗୀଙ୍କୁ ଚିକିତ୍ସା କରିଥିବା ଚୀନ୍‌ ଡାକ୍ତର ବଖାଣିଲେ ତାଙ୍କର ହୃଦୟଥରା ଅନୁଭୂତି

ଉହାନ: କରୋନା ଅଧିକରୁ ଅଧିକ ରାଜ୍ୟରେ ନିଜର କାୟା ବିସ୍ତାର କରିସାରିଲାଣି।  ୟୁରୋପ ଓ ଆମେରିକାରେ ଏହି ଭାଇରସ ଆତଙ୍କ ଖେଳାଇ ଦେଇଛି। ଏହି ଭାଇରସର ଉତ୍ପତିସ୍ଥଳ ଚୀନର ଉହାନ ସହର ସ୍ଥିତ ଭେଟ ମାର୍କେଟ ବୋଲି କୁହାଯାଉଛି।  ତେବେ ଆମେରିକା ସମେତ ଅନେକ ରାଷ୍ଟ୍ର ଉହାନର ଏକ ଲ୍ୟାବକୁ ଏହାର ଉତ୍ପତି ସ୍ଥଳ ବୋଲି ଭାବୁଛନ୍ତ। ଇତିମଧ୍ୟରେ ଚୀନରେ ପ୍ରଥମ କରୋନା ରୋଗୀଙ୍କ ଚିକିତ୍ସା ଯେଉଁ ଡାକ୍ତର କରିଥିଲେ ସେ ତାଙ୍କର ହୃଦୟଥରା ଅନୁଭୂତି ବଖାଣିଛନ୍ତି।

ଚୀନ ସରକାରୀ ମିଡିଆ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କରୋନା ଭାଇରସରେ  ଗତବର୍ଷ ଡିସେମ୍ବରରେ ଉହାନର ଜଣେ ବୃଦ୍ଧ ଦ‍ମ୍ପତି  ଆକ୍ରାନ୍ତ ହୋଇଥିବା ପ୍ରଥମେ ନଜରକୁ ଆସିଥିଲେ। ସେମାନେ ଚିକିତ୍ସା ପାଇଁ ପ୍ରଥମେ ଝାଂଗ ଜିକ୍ସିୟାନ ନାମକ ଜଣେ ମହିଳା ଡାକ୍ତରଙ୍କ ପାଖକୁ ଯାଇଥିଲେ। ତାଙ୍କୁ ଦେଖିବା ପରେ ମହିଳା ଡାକ୍ତରଜଣକ ପ୍ରଶାସନକୁ ଏ ନେଇ ପ୍ରଥମେ ଚେତବନୀ ଦେଇଥିଲେ। କରୋନା ଯୁଦ୍ଧରେ ସେଇ ଡାକ୍ତରଙ୍କ ଯୋଗଦାକୁ ଏବେ ଉହାନ ପ୍ରଶାସନ ପ୍ରଶଂସା କରୁଛି।

ମହିଳା ଡାକ୍ତର ଜଣକ କହିଛନ୍ତି, ଏକ ବୃଦ୍ଧ ଦମ୍ପତି ହୁବେଇ ପ୍ରୋବେନ୍‌ସିଆଲ ହସ୍‌ପିଟାଲ ଅଫ ଇଣ୍ଟିଗ୍ରେଟେଡ୍‌ ଚାଇନିଜ୍‌ ଆଣ୍ଡ ୱେଷ୍ଟର୍ଣ୍ଣ ମେଡିସିନ୍‌ରେ ପହଞ୍ଚିଥିଲେ। ଯାଞ୍ଚ ପରେ ସେମାନଙ୍କର କରୋନା ପଜିଟିଭ ଆସିଥିଲା। ଏହି ଦମ୍ପତି ଜ୍ୱର, କାଶରେ ଆକ୍ରାନ୍ତ ଥିଲେ ଏବଂ ଦୁର୍ବଳ ଅନୁଭବ କରୁଥିଲେ। ଲକ୍ଷଣ ଫ୍ଲୁ କିମ୍ବା ନିମୋନିଆ ପରି ଲାଗୁଥିଲା।  ତେବେ ସେ ସମୟରେ ତାଙ୍କୁ ଜଣା ନ ଥିଲା ଯେ ଏହି ରୋଗ ଦିନେ ଏତେ ଭୟଙ୍କର ରୂପ ନେବ ବୋଲି।

ସିଟି ସ୍କାନ ରିପୋର୍ଟ ଯେତେବେଳେ ଆସିଲା ସେତେବେଳେ ନିମୋନିଆ ବା ଫ୍ଲୁ଼ ଠାରୁ କିଛି ଭିନ୍ନ ଆସିଥିଲା। ୨୦୦୩ରେ ସାର୍ସ ମହାମାରୀ ସମୟରେ ଉହାନରେ ମେଡିକାଲ ବିଶେଷଜ୍ଞ ଭାବେ କାମ କରୁଥିବା ଡାକ୍ତର ଝାଂଗ ସେତେବେଳେ ବି ରୋଗୀଙ୍କର ପରୀକ୍ଷା କରୁଥିଲେ। ସେଦିନର ସେଇ ଅନୁଭୂତି ଏଥର ତାଙ୍କୁ ବହୁତ କିଛି ଶିଖାଇଥିଲା। ସେ ଜାଣି ପାରିଥିଲେ ପୁଣି ଏକ ମହାମାରୀ ଆସୁଛି। ସେ ତୁରନ୍ତ ଏହି ଦମ୍ପତିଙ୍କ ପୁଅକୁ ଡକାଇଥିଲେ ଏବଂ ତାଙ୍କର ମଧ୍ୟ ସିଟି ସ୍କାନ କରାଇଥିଲେ।  ପ୍ରଥମେ ତ ତାଙ୍କର ପୁଅ ରାଜି ହେଉ ନ ଥିଲେ। ବରଂ ଡାକ୍ତରଙ୍କର ଟଙ୍କା ଆଦାୟର ଏହା ଏକ ମାଧ୍ୟମ କହି କଥାକୁ ଏଡାଇ ଦେଉଥିଲେ। ହେଲେ ଝାଂଗ ବାଧ୍ୟ କରିବାରୁ ସେ ଏଥିରେ ରାଜି ହୋଇଥିଲେ। ଆଉ ପରୀକ୍ଷାରୁ ତାଙ୍କ ପାଖରେ ମଧ୍ୟ ସମାନ ଲକ୍ଷଣ ଦେଖା ଦେଲା। ଝାଂଗ ନିଶ୍ଚିତ ହୋଇଗଲେ ଯେ, ଏହା ସଂକ୍ରାମକ ରୋଗ ଯେଉଁଥିପାଇଁ ପରିବାରର ସମସ୍ତେ ଆକ୍ରାନ୍ତ ହୋଇଛନ୍ତି।

ଏହାର ଠିକ୍‌ ପରଦିନ ଅର୍ଥାତ ଡିସେମ୍ବର ୨୭ ତାରିଖରେ ଅନ୍ୟଜଣେ ରୋଗୀ ଆସିଥିଲେ ଏବଂ ତାଙ୍କ ପାଖରେ ମଧ୍ୟ ସମାନ ଲକ୍ଷଣ ଥିଲା। ୪ ଜଣଙ୍କ ରକ୍ତ ପରୀକ୍ଷାରୁ ଏହା ସଂକ୍ରମଣ ରୋଗ ବୋଲି ସ୍ପଷ୍ଟ ହୋଇଥିଲା। ଝାଂଗ ଏ ନେଇ ଜିଲ୍ଲା ସ୍ତରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରକୁ ଏକ ରିପୋର୍ଟ ଦେଇଥିଲେ। ରିପୋର୍ଟରେ ଏହାର ଭୟାବହତା ବିଷୟରେ ସେ ଯାହା ଅନୁମାନ କରୁଥିଲେ ତାହା ଉଲ୍ଲେଖ କରିଥିଲେ।

You might also like