ପୁଣି ଥରେ ଧୋକା ଦେଉଛି କି ଚୀନ?
ନୂଆଦିଲ୍ଲୀ: ପୁଣି ଥରେ ଧୋକା ଦେଉଛି କି ଚୀନ? ଦୁଇ ଦେଶ ମଧ୍ୟରେ ସୈନ୍ୟ ଅପସାରଣ ନେଇ ସହମତି ସତ୍ତ୍ୱେ ପୂର୍ବ ଲଦାଖର କିଛି ଅଞ୍ଚଳରେ ଏବେବି ହଟିନି ଚୀନ ସେନା। LAC ନିକଟରେ ଏବେବି ଅନେକ ସ୍ଥାନରେ ଚୀନ ସେନାର ଉପସ୍ଥିତି ନଜର ଆସିଛି।
ଗଲୱାନ ଘାଟୀ, ହଟ୍ ସ୍ପ୍ରିଙ୍ଗ, ଏବଂ ପାନଗଙ୍ଗ ହ୍ରଦ ନିକଟର କିଛି ଅଞ୍ଚଳରୁ ଡ୍ରାଗନ ଦେଶ ଏହାର ସେନା ହଟାଇଦେଇଛି। କିନ୍ତୁ ଫିଙ୍ଗର -୫ରୁ ଫିଙ୍ଗର -୮ ଭିତରେ ଥିବା ଅଞ୍ଚଳରେ ଏବେବି ଚୀନ ସେନାର ଯବାନ ମହଜୁଦ ଥିବା ସୂତ୍ରରୁ ଜଣାପଡ଼ିଛି।
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଚୀନ ସେଠାରୁ ହଟିବା ପାଇଁ ଚାହୁଁନାହିଁ। ବରଂ ଫିଙ୍ଗର- ୫ରେ ଏକ ଅବଜର୍ଭେସନ ପୋଷ୍ଟ କରିବା ଯୋଜନାରେ ଅଛି। ଉଭୟ ଆଗୁଆ ଏବଂ ତଳିଆ ଅଞ୍ଚଳରେ ବିଭିନ୍ନ ଯୁଦ୍ଧାସ୍ତ୍ର ସହ ପ୍ରାୟ ୪୦ ହଜାର ଯବାନ ଠୁଳ ହୋଇଥିବା ଜଣାପଡ଼ିଛି।
ଗତ ୧୪ ଓ ୧୫ ତାରିଖରେ ଉଭୟ ଦେଶ ମଧ୍ୟରେ ସାମରିକ ସ୍ତରୀୟ ଆଲୋଚନ ହୋଇଥିଲା। ଏଥିରେ ସୀମା ବିବାଦ ସମାଧାନ ନେଇ ପୂର୍ବା ନିର୍ଦ୍ଧାରିତ ସମସ୍ତ ସହମତି ଭିତ୍ତିକ ପ୍ରୋଟୋକଲ ଅନୁପାଳନ କରିବାକୁ ଚୀନକୁ ଭାରତ ସ୍ପଷ୍ଟ ଶୁଣାଇଥିଲା।