ଉଇଗର ମୁସଲମାନଙ୍କୁ ବିକ୍ରି ପାଇଁ ବାଇଡୁରେ ଅନଲାଇନ ବିଜ୍ଞାପନ, ‘ମୂଳୋତ୍ପାଟନ କରିବାକୁ ଚାହୁଁଛି ଚୀନ’

ଚାଇନା: ଚାଇନାରେ ସବୁବେଳେ ଉଇଗର ମୁସଲମାନମାନଙ୍କୁ ପ୍ରତାଡ଼ିତ କରାଯାଉଛି। ଉଇଗର ମୁସଲମାନଙ୍କ ପାଇଁ ଚାଇନାର ଏକ ସ୍ୱତନ୍ତ୍ର ନୀତି ରହିଛି। ଚାଇନା ସେମାନଙ୍କୁ କେବଳ ଦାସ ବା ଶ୍ରମିକ ଭଳି ବ୍ୟବହାର କରେ। ଉଇଗର ମୁସଲମାନଙ୍କ ପ୍ରତି ଚାଇନାର ଏଭଳି ଆଚରଣ ପାଇଁ ଅନେକ ବିଭିନ୍ନ ଦେଶ ଚାଇନାକୁ ସମାଲୋଚନା କରନ୍ତି। ବିଶ୍ୱ ଦରବାରରେ ଚାଇନାକୁ ଅନେକ ଥର ଏଥିପାଇଁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

Uighur Muslimsଚାଇନାର ସିନଜିଆଙ୍ଗରେ ରହୁଥିବା ଏହି ମୁସଲମାନ ସମ୍ପ୍ରଦାୟକୁ ହଇରାଣ କରିବା ପାଇଁ ଚୀନ୍ ଅନେକ ପନ୍ଥା ଆପଣାଇ ଥାଏ। ଏକ ରିପୋର୍ଟରେ କୁହାଯାଇଛି ଯେ, ଉଇଗର ମୁସଲମାନମାନଙ୍କୁ ଏବେ ଚୀନରେ କାରଖାମାନ ଗୁଡ଼ିକରେ ବିକ୍ରି କରାଯାଉଛି। ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଲାଣି। କେବଳ ଏତିକି ନୁହେଁ, ଏଥିପାଇଁ ଅନଲାଇନ୍ ବିଜ୍ଞାପନ ମଧ୍ୟ ଦିଆଯାଉଛି।

Uighur Muslims

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଇଡୁରେ ଉଇଗର ମୁସଲମାନଙ୍କୁ ବିକ୍ରି ପାଇଁ ବିଜ୍ଞାପନ ଦିଆଯାଇଥିବା ଦେଖାଯାଇଛି। ଗୁଗୁଲ ଭଳି ବାଇଡୁ ଏକ ସର୍ଚ୍ଚଇଞ୍ଜିନ। ଯାହାକୁ ଚାଇନାର ସବୁଠୁ ବଡ଼ ଇଣ୍ଟରନେଟ କମ୍ପାନୀ ବୋଲି କୁହାଯାଏ। ଏହି ଘଟଣା ସାମ୍ନାକୁ ଆସିବା ପରେ ବ୍ରିଟେନର ଅନେକ ସାଂସଦ ଚୀନ୍‌କୁ ସମାଲୋଚନା କରିଛନ୍ତି। ଇଂରାଜୀ ଖବରକାଗଜ ‘ଦ ଇଣ୍ଡିପେଣ୍ଡେଣ୍ଟ’ ଅନୁଯାୟୀ ବ୍ରିଟେନର କଞ୍ଜରଭେଟିଭ୍ ପାର୍ଟି ସାଂସଦ ନୁସରତ ଘାନି ଚୀନର ଏଭଳି ଘୃଣ୍ୟ କାର୍ଯ୍ୟ ପାଇଁ କଡ଼ା ସମାଲୋଚନା କରିଛନ୍ତି। ସେ ସିଧାସଳଖ ଚୀନର ଏଭଳି ନୀତିକୁ ନିନ୍ଦା କରିଛନ୍ତି। ଉଇଗର ମୁସଲମାନମାନଙ୍କୁ ଦାସ ଭାବେ ବିକ୍ରି କରାଯାଉଥିବା ସେ କହିଛନ୍ତି। ଏହାକୁ ସେ ଅତ୍ୟନ୍ତ ଭୟଙ୍କର ପରିସ୍ଥିତି ବୋଲି ମଧ୍ୟ କହିଛନ୍ତି।

Uighur Muslims

ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଚାଇନାର ଇଣ୍ଟରନେଟ୍ କମ୍ପାନୀ ବାଇଡୁରେ ଉଇଗର ଶ୍ରମିକଙ୍କ ସହ ଜଡିତ ବିଜ୍ଞାପନ ଦେଖିବାକୁ ମିଳିଛି। ଯେଉଁଠାରେ ଏହି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ୫୦ ରୁ ୧୦୦ ଜଣ ଲୋକଙ୍କୁ ଶ୍ରମିକ ଭାବେ ନେବା ପାଇଁ ଡିଲ ହେଉଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ସିନଜିଆଙ୍ଗର ଉଇଗର ମୁସଲମାନଙ୍କ ଉପରେ ସର୍ବଦା ସ୍ଥାନୀୟ ପ୍ରଶାସନର ରାଜନୈତିକ ଦୃଷ୍ଟି ରହିଥାଏ। ଏହାସହ ସେମାନଙ୍କୁ ବିଭିନ୍ନ ସମୟରେ ଅର୍ଦ୍ଧସୈନ୍ୟ ଭାବେ ବ୍ୟବହାର ମଧ୍ୟ କରାଯାଉଛି।

Uighur Muslims

ତେବେ ଏହି ଘଟଣାକୁ ନେଇ କନଜରଭେଟିଭ ପାର୍ଟିର ପୂର୍ବତନ ନେତା ଇଆନ୍ ଡଙ୍କନ୍ ସ୍ମିଥ୍ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ ସିଧାସଳଖ କହିଛନ୍ତି, ‘ଚୀନ ସେଠାରେ ନରସଂହାର କରୁଛି। ଉଇଗର ମୁସଲମାନମାନଙ୍କୁ ଶେଷ କରି ଏକ ଜାତୀୟ ସମୁହର ମୂଳୋତ୍ପାଟନ କରିବାକୁ ଚେଷ୍ଟା କରୁଛି। ଏଥିରେ କୌଣସି ସନ୍ଦେହ ନାହିଁ।’

Uighur Muslims

ଅନ୍ୟପଟେ, ସିନଜିଆଙ୍ଗ୍ ସରକାର ଏହି ବିଜ୍ଞାପନକୁ ନେଇ ୨୦୧୯ର ଏକ ରିପୋର୍ଟ ସାମ୍ନାକୁ ଆଣିଛନ୍ତି। ଏଥିରେ ସେ କହିଛନ୍ତି ଯେ, ‘ଏହା ବାଇଡୁର ‘ଶ୍ରମ ହସ୍ତାନ୍ତର କାର୍ଯ୍ୟକ୍ରମ’। ଯାହା ପ୍ରତ୍ୟେକ ୫ ବର୍ଷରେ ଥରେ ହୋଇଥାଏ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସର୍ବାଧିକ ଲୋକଙ୍କୁ ରୋଜଗାର ଯୋଗାଇବା। ଏହା ସହିତ ଗ୍ରାମାଞ୍ଚଳରେ ଥିବା ଅନ୍ୟ ଶ୍ରମିକମାନଙ୍କୁ ମଧ୍ୟ ରୋଜଗାର ଯୋଗାଇବା।

ଉଲ୍ଲେଖନୀୟ କଥା ହେଉଛି, ବିଦେଶୀ ବିଶ୍ଳେଷକ ଏବଂ ସରକାରଙ୍କ କହିବାନୁସାରେ, ଚୀନର ସିନଜିଆଙ୍ଗରେ ପ୍ରାୟ ଦଶ ଲକ୍ଷରୁ ଅଧିକ ଲୋକଙ୍କୁ ଶ୍ରମିକ ଭାବେ ଖଟାଇବା ପାଇଁ ବନ୍ଦୀ କରି ରଖାଯାଇଛି। ଏହାସହ ସେମାନଙ୍କୁ ଜବରଦସ୍ତ କାମ କରାଯାଉଛି। ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛି ଉଇଗର ମୁସଲମାନ ସମ୍ପ୍ରଦାୟର। ତେବେ ଚୀନ୍ ଏହି ସତ୍ୟକୁ କେବେବି ସ୍ୱୀକାର କରି ନାହିଁ। ଓଲଟି ଚୀନ ଯୁକ୍ତି ବାଢ଼ିଛି ଯେ, ସିନଜିଆଙ୍ଗରେ ଯେଉଁ ସବୁ ଶିବିର ସ୍ଥାପନ କରାଯାଇଛି ସେଥିରେ ଉଇଗର ମୁସଲମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି।

You might also like