ରୂପ ବଦଳାଉଛି କରୋନା, ଚିହ୍ନିବା ବି କଷ୍ଟକର ହେଉଛି

ବେଜିଂ: ଦିନକୁ ଦିନ କରୋନା ତା’ର କାୟା ବିସ୍ତାର କରୁଛି , ତା ସହିତ ରୂପ ବି ବଦଳାଉଛି। ଯାହା ଫଳରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ଏବେ ମୁସ୍କିଲ ହୋଇ ଯାଇଛି। ଉହାନରୁ ସୃଷ୍ଟ ଏହି ଭୂତାଣୁର ପରିବର୍ତ୍ତିତ ରୂପ ଡାକ୍ତରଙ୍କ ପାଇଁ ଚିନ୍ତାର ବିଷୟ ହେଲାଣି।

ଉହାନ ପରେ ଏବେ ଚୀନର ଉତ୍ତରପୂର୍ବାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲଛି। ହେଲେ ଚିନ୍ତାର ବିଷୟ ଯେ, ଉହାନରେ ଦେଖା ଯାଇଥିବା କରୋନା ଲକ୍ଷଣ ଏଠାରେ ଦେଖାଯାଉ ନାହିଁ। ତେଣୁ ଏହାକୁ ଚିହ୍ନଟ କରିବା ମୁସ୍କିଲ ହୋଇଯାଉଛି। ତେଣୁ ସମୟ ଅନୁସାରେ କରୋନା ଯେ ତାର ଆଚରଣ ବଦଳାଉଛି ତାହା ସ୍ପଷ୍ଟ ହେଉଛି।

ଚାଇନାର ଜଣେ ବରିଷ୍ଠ ଡାକ୍ତର ସ୍ଥାନୀୟ ଟେଲିଭିଜନକୁ ସାକ୍ଷାତ ଦେଇ କହିଛନ୍ତି, କରୋନା ଭୂତାଣୁକୁ ଚିହ୍ନଟ କରିବା ପାଇଁ ବହୁତ ସମୟ ଲାଗୁଛି। ସେହିପରି ନେଗେଟିଭ ଟେଷ୍ଟ ମଧ୍ୟ ଅଧିକ ସମୟ ନେଉଛି। ଡାକ୍ତରଜଣକ ଏକଥା ମଧ୍ୟ କହିଛନ୍ତି, ଉହାନରେ ଏହି ଭୂତାଣୁ ସଂକ୍ରମିତ ଲୋକଙ୍କ ପାଖରେ ଗୋଟିଏରୁ ୨ଟି ସପ୍ତାହ ମଧ୍ୟରେ ଜଣା ପଡ଼ି ଯାଉଥିଲା। ଫଳରେ ଅଧିକ ସଂକ୍ରମଣକୁ ରୋକାଯାଇ ପାରୁଥିଲା। ହେଲେ ଏବେ ଚୀନର ଉତ୍ତର ପୂର୍ବାଞ୍ଚଳରେ କରୋନାର  ପରିବର୍ତ୍ତିତ ଲକ୍ଷଣ ଦେଖି ଚିନ୍ତାରେ ପଡ଼ି ଯାଇଛନ୍ତି ଡାକ୍ତର।

ଡାକ୍ତରଙ୍କ କହିବା ଅନୁଯାୟୀ, ଚୀନର ଜିଲିନ ଏବଂ ହିଲୋଙ୍କଜିଆଙ୍ଗର ଉତ୍ତରରେ କରୋନା ଆକ୍ରାନ୍ତ ହେବା ପରେ ମଧ୍ୟ ରୋଗୀଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାଉନି।  ସେହିପରି ଉତ୍ତର-ପୂର୍ବ ଅଞ୍ଚଳରେ ସଂକ୍ରମିତ ହେବାର ଦୁଇ ସପ୍ତାହରୁ ଅଧିକ ଦିନ ପରେ ଲକ୍ଷଣ ପ୍ରକାଶ ପାଉଛି। ତେଣୁ ବିଳମ୍ବରେ ଲକ୍ଷଣ ପ୍ରକାଶ ଯୋଗୁ ସଂକ୍ରମଣକୁ ରୋକିବା କଷ୍ଟକର ହୋଇପଡ଼ିଛି।

ଆଉ ଏକ କରୋନା ଲକ୍ଷଣ ଚିକିତ୍ସକମାନେ ଦେଖିବାକୁ ପାଇଛନ୍ତି। ଉତ୍ତର-ପୂର୍ବ ଅଞ୍ଚଳର ଅଧିକାଂଶ କୋଭିଡ୍-୧୯ ଆକ୍ରାନ୍ତଙ୍କ ଫୁସଫୁସ ଅଚଳ ହୋଇପଡ଼ିଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଉହାନର କିଡନୀ, ହାର୍ଟ ଏବଂ ଅନ୍ତଃନଳୀରେ ଏକାଧିକ ଅଙ୍ଗ ଅଚଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା।
ତେବେ କରୋନା ଭୂତାଣୁର ଏହି ନୂତନ ରୂପ ରୁଷରୁ ଫେରିଥିବା ଲୋକଙ୍କ ସହ ଯୋଗାଯୋଗ ଦ୍ୱାରା ବ୍ୟାପିଥିବା କୁହାଯାଉଛି।  ଏହି ଭୂତାଣୁ ଯୋଗୁ ୟୁରୋପରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ତେବେ ଚୀନରେ ରୁଷ ଲିଙ୍କ୍ ଥିବା କରୋନା ସଂକ୍ରମିତ ଏବଂ ଉତ୍ତର-ପୂର୍ବ ଅଞ୍ଚଳର କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଜେନେଟିକ୍ ମ୍ୟାଚ୍ ଥିବା କ୍ୟୁ କହିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଚୀନ ଉତ୍ତର-ପୂର୍ବ ଅଞ୍ଚଳକୁ ପୁଣି ଲକଡାଉନ ଘୋଷଣା କରାଯାଇଛି। ଏଠାରେ ଶିକ୍ଷାନୁଷ୍ଠାନ ଓ ଟ୍ରେନ ଚଳାଚଳ ବନ୍ଦ କରାଯାଇଛି। 

You might also like