ଭାରତ-ଭିଏତନାମ୍ ଘନିଷ୍ଠତା ବଢିବା ଦେଖି ବିବ୍ରତ କି ଚୀନ୍ ? ଭିଏତନାମ୍ ସୀମାରେ ଚୀନ ମିଜାଇଲ୍ ବେସ୍ !

ନୂଆଦିଲ୍ଲୀ: ଭାରତ-ଭିଏତନାମ୍ ଘନିଷ୍ଠତା ବଢିବା ଦେଖି ବିବ୍ରତ କି ଚୀନ୍ ? ଭିଏତନାମ୍ ସୀମା ନିକଟରେ ଚୀନ୍ ନିଜର ଏକ ସର୍ଫେସ୍-ଟୁ-ଏୟାର୍ ମିଜାଇଲ୍ ବେସ୍ ସ୍ଥାପନ କରିଥିବା ଆଶଙ୍କା କରାଯାଉଛି। ଏହି କ୍ଷେପଣାସ୍ତ୍ର ଘାଟିର ସାଟେଲାଇଟ୍ ଇମେଜ୍ ସାଉଥ ଚାଇନା ସି ନିଉଜ୍ ନାମକ ଏକ ସଂସ୍ଥା ଟ୍ୱିଟ୍‌ କରିବା ପରେ, ଚୀନ୍‌ର ଉଦ୍ଦେଶ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଭିଏତନାମ୍ ସୀମା ଠାରୁ ମାତ୍ର ୨୦ କିଲୋମିଟର ଦୂର ଗୁଆନ୍‌କ୍ସି ପ୍ରଦେଶରେ ଏହି ମିଜାଇଲ୍ ବେସ୍ ତିଆରି ହୋଇଛି। ଏହାଠାରୁ ଅଳ୍ପ ଦୂରରେ ଏକ ହେଲିକପ୍ଟର ବେସ୍ ମଧ୍ୟ ତିଆରି ହୋଇଥିବା ଦେଖିବାକୁ ମିଳିଛି। ସାଟେଲାଇଟ ଫଟୋରେ ରାଡାର୍, ୬ଟି ଲଞ୍ଚର୍ ଏବଂ ଗୋଟିଏ ମିଲିଟାରୀ ରନ୍‌-ୱେ ଦେଖିବାକୁ ମିଳିଛି। ତେବେ ଏସବୁର ସତ୍ୟାସତ୍ୟ ଯାଞ୍ଚ କରାଯିବ ବୋଲି ଭିଏତନାମ୍ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି।

ଭାରତ ସହ ଘନିଷ୍ଠତା ବଢାଉଥିବାରୁ ଭିଏତନାମ୍‌କୁ ଡରାଇବାକୁ ଚୀନ୍ ଏଭଳି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। ଭିଏତନାମ୍ ଭାରତ ଠାରୁ ସୁପର୍‌ସୋନିକ୍‌ ବ୍ରହ୍ମୋସ୍ ମିଜାଇଲ୍ କିଣିବା ପାଇଁ ପ୍ରସ୍ତାବ ଦେଇଛି, ଯାହାକୁ ଭାରତ ପକ୍ଷରୁ ଏଯାଏ ସବୁଜ ସଙ୍କେତ ଦିଆଯାଇନାହିଁ। ଭାରତ ଠାରୁ ଭିଏତନାମ୍ ୧୨ଟି ହାଇସ୍ପିଡ୍ ପାଟ୍ରୋଲ୍ ସିପ୍ ମଧ୍ୟ କିଣୁଛି। ତେଣୁ ଏସବୁ ଚୀନ୍‌ ପାଇଁ ବିବ୍ରତର କାରଣ ବୋଲି କୁହାଯାଉଛି। ଯାହାକୁ ନେଇ ଚୀନ ଏଭଳି ପଦକ୍ଷେପ ନେଇଥିବା ଆଶଙ୍କା କରାଯାଉଛି।

You might also like