ଏଲ୍‌ଏସିରୁ ୧୦ ହଜାର ସୈନ୍ୟ ପ୍ରତ୍ୟାହାର କଲା ଚୀନ

ଲଦାଖ: ପୂର୍ବ ଲଦାଖର ତାପମାତ୍ରା ଧୀରେ ଧୀରେ କମିବାରେ ଲାଗିଛି। ଏବେ ୨୦ ଡିଗ୍ରୀ ତଳେ ତାପମାତ୍ରା ରହିଛି। ଏହାକୁ ସହି ପାରୁ ନାହିଁ ଚୀନ ସେନା। ଶେଷରେ ୧୦ ହଜାରରୁ ଅଧିକ ସୈନିକ ଏଲଏସିରୁ ପଛକୁ ଘୁଞ୍ଚିବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ଭାରତୀୟ ଯବାନଙ୍କର ଏଭଳି ସ୍ଥିତିକୁ ସାମ୍ନା କରିବାର ପୂର୍ବରୁ କ୍ଷମତା ରହିଛି। ଚୀନ ସେନା ଏହି ଥଣ୍ଡାକୁ ସହ୍ୟ ନ କରିପାରି ପଛଘୁଞ୍ଚା ଦେବା ନେଇ ପୂର୍ବରୁ ଅନୁମାନ କରିଥିଲେ ବିଶେଷଜ୍ଞ। ଶେଷରେ ସେୟା ହେଲା। ପଛଘୁଞ୍ଚା ଦେଲା ଚୀନ ସେନା।

ଚୀନକୁ ଭାରତ ସହ ପଙ୍ଗା ନେବା ମହଙ୍ଗା ହୋଇଛି। ଲଦାଖରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିବା ଚୀନକୁ ଏବେ ଭାରି ପଡ଼ିଛି। ସେଠାକାର ପ୍ରତିକୂଳ ପାଣିପାଗର ପ୍ରଭାବ ଚୀନ ସୈନିକଙ୍କ ଉପରେ ପଡ଼ିଛି। ଏଥି ପାଇଁ ତରବରିଆ ଭାବେ ବାସ୍ତବିକ ନିୟନ୍ତ୍ରଣ ରେଖା ଏଲଏସିରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛି ଚୀନ।

ପୂର୍ବ ଲଦାଖରେ ଚୀନ ନିଜର ୧୦ ହଜାର ସୈନିକଙ୍କୁ ହଟାଇ ଦେଇଛି। ଭାରତୀୟ ସୀମାରେ ପାରମ୍ପରିକ ଭାବେ ଯେଉଁଠି ଚୀନ ସେନା ପ୍ରଶିକ୍ଷଣ ନେଉଥିଲେ, ସେହି ସ୍ଥାନ ଏବେ ଖାଲି ରହିଛି। ଏମିତିକି ଭାରତୀୟ ସୀମା ସଂଲଗ୍ନ ୨୦୦ କିଲୋମିଟର ଅଞ୍ଚଳରୁ ଚୀନ ନିଜ ସୈନିକଙ୍କୁ ହଟାଇ ଦେଇଛି। ଏସବୁ ଅଞ୍ଚଳରେ ହେଉଥିବା ହାଡଭଙ୍ଗା ଶୀତ କାରଣରୁ ଚୀନ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା କୁହାଯାଉଛି।

ପୂର୍ବ ଲଦାଖର ତାପମାତ୍ର ଦିନକୁ ଦିନ କମିବାରେ ଲାଗିଛି। ଏବେ ଏଠାକାର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି। ଏଭଳି ସ୍ଥିତିରେ ଚୀନ ସୈନିକମାନେ ଅସୁସ୍ଥ ହୋଇ ପଡୁଛନ୍ତି। କାରଣ ଏତେ ଉଚ୍ଚତା ବିଶିଷ୍ଟ ସ୍ଥାନରେ ଏତେ କମ ତାପମାତ୍ରାରେ ଚୀନର ସୈନିକ ରହିବାରେ ଅଭ୍ୟସ୍ତ ନାହାନ୍ତି। ଯାହା ଚୀନ ପାଇଁ ବୁମେରାଂ ହୋଇଛି।

କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ଭାରତୀୟ ଯବାନମାନେ ଲଦାଖରେ ଜାଗ୍ରତ ହୋଇ ରହିଛନ୍ତି। କୌଣସି ବି ସମୟରେ ଚୀନର ମୁହଁ ଭାଙ୍ଗିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି ସେନା। ଅକ୍ଟୋବର ମାସ ଆରମ୍ଭରୁ ସୀମାନ୍ତରେ ପ୍ରବଳ ଥଣ୍ଡା ପଡ଼ିବା ଯୋଗୁ ପାଙ୍ଗଙ୍ଗ ହ୍ରଦର ଉତ୍ତର କୂଳରେ ନିଜର ଅନେକ ସୈନିକଙ୍କୁ ହରାଇଛି ଚୀନ। ହଠାତ ଅନେକ ଅସୁସ୍ଥ ହୋଇ ପଡ଼ିବାରୁ ସେମାନଙ୍କୁ ଚିକିତ୍ସା ଦେବା ପାଇଁ ନିମ୍ନ ଅଞ୍ଚଳକୁ ପଠାଯାଉଥିବା ଦେଖିବାକୁ ମିଳିଥିଲା।

ଅନ୍ୟପଟେ ଲଦାଖରେ ଚୀନ ସାମ୍ନାରେ ମୁତୟନ ଭାରତୀୟ ସେନା ଦୁନିଆର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚେନ୍‌ରେ ନିଜର ଅନୁଭବରୁ ପରିସ୍ଥିତି ଅନୁଯାୟୀ ନିଜକୁ ଦୃଢ଼ କରି ପାରିଛନ୍ତି। ଚୀନ ସେନା ଥଣ୍ଡା ପରିବେଶରେ କେବେ ମଧ୍ୟ ଏତେ ଉଚ୍ଚତାରେ ମୁତୟନ ହୋଇ ନାହାନ୍ତି। ଏମିତି ସ୍ଥିତିରେ ଏହାର ସୈନିକଙ୍କ ସ୍ଥିତି ଖରାପ ହେବ ସହିତ ନିଜେ କବଜା କରିଥିବା ଅଞ୍ଚଳ ହାତରୁ ଯିବାର ଭୟ ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମିକୁ ଘାରିଛି।

 

You might also like