ଚୀନ ପଠାଇଲା ଡାକ୍ତରୀ ଟିମ୍‌ ! ସୁସ୍ଥ ଅଛନ୍ତି ତ କିମ୍‌ ଜୋଙ୍ଗ ?

ପେଇଚିଂ: କେମିତି ଅଛନ୍ତି ଉତ୍ତର କୋରିଆ ବାଦଶାହ ? ସେ ସୁସ୍ଥ ଅଛନ୍ତି ତ ? ପ୍ରକୃତରେ କୌଣସି ଶାରୀରିକ ରୋଗ ସହ ଲଢୁନାହାନ୍ତି ତ ? ଏମିତି ଅନେକ ପ୍ରଶ୍ନ ଆଜି ସମସ୍ତଙ୍କ ମନରେ। ଏ ନେଇ ମିଡିଆ ପାଖରେ ମଧ୍ୟ କୌଣସି ଖବର ନାହିଁ। କାରଣ କିଛି ଦିନ ତଳେ ଉତ୍ତର କୋରିଆ ବାଦଶାହ କିମ୍‌ ଜୋଙ୍ଗ ଉନ୍‌ ବ୍ରେନ ଡେଡ ଥିବା ମିଡିଆରେ କୁହାଯାଉଥିବାବେଳେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  କିମ୍‌ ଜୋଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଭିନ୍ନ ମତ ରଖିଥିଲେ। କିମ୍‌ ଜୋଙ୍ଗଙ୍କ ସ୍ୱାସ୍ଥ୍ୟ ରିପୋର୍ଟ ଭୁଲ ବୋଲି ଟ୍ରମ୍ପ ସୂଚନା ଦେଇଥିଲା।

ଟ୍ରମ୍ପ କହିଥିଲେ, “ମୁଁ ଭାବୁଛି ଏହି ରିପୋର୍ଟ ଭୁଲ। ମୁଁ ଶୁଣିବାକୁ ପାଇଛି, ସେମାନେ(ସିଏନଏନ) ଭୁଲ ଡକ୍ୟୁମେଣ୍ଟସ ପାଇ ଏଭଳି ଖବର ପ୍ରକାଶ କରୁଛନ୍ତି।” ଏପରିକି  ଟ୍ରମ୍ପ କହିଥିଲେ, “ମୋର ଆଶା କିମ୍‌ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ି ନଥିବେ। ମୋର ତାଙ୍କ ସହ ସମ୍ପର୍କ ବହୁତ ଭଲ।”

ହେଲେ ଏବେ ଏକ ଭିନ୍ନ ଖବର ମିଳିଛି। ଉତ୍ତର କୋରିଆର ବନ୍ଧୁ ଚୀନ କିମ୍‌ ଜୋଙ୍ଗଙ୍କ ଅସୁସ୍ଥତା ଖବର ପାଇ ଏକ ଡାକ୍ତରୀ ଟିମ୍‌ ସେଠାକୁ ପଠାଇଥିବା ଖବର ମିଳିଛି। ଅବଶ୍ୟ କିମ୍‌ ଜୋଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା କେତେ ଖରାପ ସେ ନେଇ ପ୍ରଶାସନିକ ସ୍ତରରେ ତାହାର କୌଣସି ତଥ୍ୟ ଦିଆଯାଇ ନାହିଁ। ତେବେ Cardiovascular ସର୍ଜରୀ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ବୋଲି କୁହାଯାଉଥିଲା।

ନ୍ୟୁଜ ଏଜେନ୍ସ ରଏଟର୍ସ ସୂଚନା ଅନୁଯାୟୀ, ଚୀନ ଏକ ମେଡିକାଲ ଏକ୍ସପର୍ଟ ଟିମ୍‌ ଉତ୍ତର କୋରିଆ ପଠାଇଛି। ଏହି ଟିମ୍‌ କିମ୍‌ ଜୋଙ୍ଗଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ଦେବେ।

ଏହା ପୂର୍ବରୁ ଉତ୍ତର କୋରିଆ ପକ୍ଷରୁ କୁହାଯାଇଥିଲା, କିମ୍‌ ଜୋଙ୍ଗ ଜୀବିତ ଅଛନ୍ତି ଏବଂ ଖୁବ୍ ଶୀଘ୍ର ପବ୍ଲିକଙ୍କ ସାମ୍ନାକୁ ଆସିବେ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ ନାହିଁ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ସେ ବହୁତ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟରେ ପଡ଼ିଛନ୍ତି କିମ୍ବା ସେ ଲୋକଙ୍କ ସାମ୍ନାକୁ ଆସି ପାରିବେ ନାହିଁ।

ସୂଚନାଥାଉ କି, ଚଳିତ ବର୍ଷ ଏପ୍ରିଲ ୧୫ ତାରିଖରେ କିମ୍‌ ଜୋଙ୍ଗ ତାଙ୍କ ଜେଜେବାପା ତଥା ଉତ୍ତର କୋରିଆର ପ୍ରତିଷ୍ଠାତା କିମ-୨ ସୁଙ୍ଗଙ୍କ ଜନ୍ମ ଦିନ ଭୋଜିରେ ଯୋଗଦେଇ ନଥିଲେ। ପ୍ରତିବର୍ଷ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ହେଲେ ଚଳିତ ବର୍ଷ ସେ ଯୋଗ ନ ଦେବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା।

You might also like