ମଧ୍ୟସ୍ଥି ପ୍ରସ୍ତାବ ଦୋହରାଇଲେ ଟ୍ରମ୍ପ: ଚୀନ କହିଲା, ଦୁଇଦେଶ ସମାଧାନ କରିପାରିବୁ

ବେଜିଂ: ଆମେରିକାର ମଧ୍ୟସ୍ଥି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଚାଇନା। ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦରେ ପୁଣିଥରେ ମଧ୍ୟସ୍ଥି ପ୍ରସ୍ତାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ପରି ଚାଇନା ମଧ୍ୟ ଟ୍ରମ୍ପଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି।

ଦୁଇଦେଶ ପରସ୍ପର ସହିତ ଆଲୋଚନା କରି ବିବାଦର ସମାଧାନ କରିବା ପାଇଁ ସକ୍ଷମ ଅଛନ୍ତି। ତେଣୁ ମଧ୍ୟସ୍ଥତାର ଆବଶ୍ୟକତା ନାହିଁ ବୋଲି ଚୀନ ବୈଦେଶିକ ମନ୍ତ୍ରଣାଳୟ କହିଛି। ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଚୀନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଝାଓ ଲିଜିଆନ୍‌ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଭାରତ ମଧ୍ୟ ସମାନ କଥା କହି ଟ୍ରମ୍ପଙ୍କ ମଧ୍ୟସ୍ଥି ପ୍ରସ୍ତାବକୁ ପ୍ରତ୍ୟାଖାନ କରିସାରିଛି।

ଅନ୍‌ଲାଇନ୍‌ରେ‌ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇ ଭାରତ ବୈଦେଶିକ ମନ୍ତ୍ରାଳୟରେ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଥିଲେ “ ଆମ ମାମଲା ଚାଇନା ସହିତ ରହିଛି। ଶାନ୍ତିପୂର୍ଣ୍ଣ ଭାବେ ଆମେ ଏହାର ସମାଧାନ କରିବୁ।”

ବୁଧବାର ଚାଇନା ଓ ଭାରତ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ମଧ୍ୟସ୍ଥି ହେବାକୁ ପ୍ରସ୍ତାବ ଦେଇଥିଲେ ଟମ୍ପ। ସେ କହିଥିଲେ, ଚାଇନା ଓ ଭାରତ ମଧ୍ୟରେ ମଧ୍ୟସ୍ତି କରିବାକୁ ମୁଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଏଥିପାଇଁ ଆମେ ଉଭୟ ଦେଶକୁ ସୂଚନା ବି ଦେଇଛୁ।” ତେବେ ଶୁକ୍ରବାର ପୁଣିଥରେ ସେଇ ପ୍ରସ୍ତାବ ଦୋହରାଇଛନ୍ତି ଟ୍ରମ୍ପ। ସେ କହିଛନ୍ତି, “ଯଦି ମୁଁ ମଧ୍ୟସ୍ତି କରିବା ବିବାଦ ସମାଧାନର ସହାୟ ହେବ ତେବେ ମୁଁ ଏହା କରିବାକୁ ଚାହିଁବି।” ଏହାର ତୁରନ୍ତ ପରେ ଚାଇନା ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି।

ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଥିଲେ, ସୀମା ବିବାଦ ନେଇ ନେଇ ମୁଁ ଭାରତ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲି। ସେ ଏହି ସମସ୍ୟାକୁ ନେଇ ଟେନ୍‌ସନ୍‌ ମୁଡ୍‌ରେ ଥିଲେ। କିନ୍ତୁ ଟ୍ରମ୍ପଙ୍କର ଏହି ଦାବିକୁ ଅସ୍ୱୀକାର କରିଥିଲା ଭାରତ। ଏ ସମ୍ପର୍କରେ କୌଣସି ଆଲୋଚନା ହୋଇନଥିବା ଭାରତ ସ୍ପଷ୍ଟ କରିଥିଲା। ଏଥିସହିତ ଏପ୍ରିଲ୍‌ ୪ ତାରିଖରେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍ ଔଷଧକୁ ନେଇ ମୋଦି ଟ୍ରମ୍ପଙ୍କ ସହିତ ଶେଷଥର କଥା ହୋଇଥିଲେ ବୋଲି ଭାରତ କହିଛି।

You might also like