ଲିପୁଲେଖରେ ଚୀନ ଠୁଳ କଲା ୧୦୦୦ ସୈନିକ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଭାରତର ବନ୍ଧୁ ରାଷ୍ଟ୍ର ଭାବେ ପରିଚିତ ହେବା ପରେ ଏବେ ଚୀନ ସହ ହାତ ମିଳାଇ ଭାରତ ବିରୋଧରେ ବଡ ଷଡ଼ଯନ୍ତ୍ର ରଚୁଛି ନେପାଳ। ଲିପୁଲେଖ ନିକଟରେ ମୁତୟନ କରାଯାଇଥିବା ଚୀନର ସେନାକୁ ଦେଖିବା ପରେ ଏପରି ପ୍ରଶ୍ନ ଉଠିଛି। ମିଳିଥିବା ସୂଚନାରୁ ଜଣାଯାଇଛି, ଲଦାଖରୁ ଚୀନ ସିନା ସେନା ପ୍ରତ୍ୟାହାର କରିନେଲା କିନ୍ତୁ ଲିପୁଲେଖ ଇଲାକାରେ  LAC ଅତିକ୍ରମ କରି ଚୀନ ତାର ୧୦୦୦ ସୈନିକଙ୍କୁ ମୁତୟନ କରିଛି। ଏଠି କହି ରଖିବୁ ଲିପୁଲେଖ ଇଲାକା ଭାରତ, ନେପାଳ ଏବଂ ଚୀନ ସୀମାକୁ ଲାଗି ରହିଥିବା ଲିପୁଲେଖ ଗତ କିଛିଦିନ ଧରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଏଠାରେ ଚୀନ ତାର ପ୍ରାୟ ୧ ହଜାରରୁ ଅଧିକ ସେନା ମୁତୟନ କରିଛି। ଏହାକୁ ଦେଖିବା ପରେ ଭାରତ ମଧ୍ୟ ନିଜ ଇଲାକାରେ ସୈନ୍ୟ ମୁତୟନ କରିଛି।

ସୂଚନାଥାଉ କି, ଗତ ପ୍ରାୟ ୩ ମାସ ଧରି ଲଦାଖ ସୀମାରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଦୀର୍ଘ ୪୫ ବର୍ଷ ପରେ ସୀମାନ୍ତରେ ଦୁଇ ଦେଶ ସେନା ମୁହାଁମୁହିଁ ହୋଇଥିଲେ। ଏହି ହିଂସାକାଣ୍ଡରେ ଭାରତ ୨୦  ଯବାନଙ୍କୁ ହରାଇଥିବାବେଳେ  ଚୀନର ୪୦ ସେନା ନିହତ ହୋଇଥିଲେ। ତେବେ ଦ୍ୱିପାକ୍ଷିକ ଆଲୋଚନା ପରେ ଚୀନ ଲଦାଖରୁ ସୈନ୍ୟ ହଟାଇ ଏବେ ଲିପୁଲେଖରେ ସେନା ଠୁଳ କରୁଛି।

ଏଠି କହି ରଖିବୁ, ଲିପୁଲେଖର ଏଇ ଅଞ୍ଚଳରେ ଭାରତ ମାନସରୋବର ଯାତ୍ରା ପାଇଁ ରୁଟ୍‌ ନିର୍ମାଣ କରୁଛି। ତେବେ ଏହି ଅଞ୍ଚଳରେ ଭାରତ ନିର୍ମାଣ କରିଥିବା  ୮୦ କିମି ରାସ୍ତାକୁ ନେପାଳ ବିରୋଧ କରୁଛି। ଏହାକୁ ନେଇ ଭାରତ-ନେପାଳ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଛି।

You might also like