ଲଦାଖରୁ ଜବାବ ପାଇବା ପରେ ଭୁଟାନ ସୀମା କବ୍‌ଜା କରିବାକୁ ଚୀନ୍‌ର ଚକ୍ରାନ୍ତ‌

ନୂଆଦିଲ୍ଲୀ: ଲଦାଖରେ ଚୀନର ଦାଦାଗିରିର କଡା ଜବାବ୍‌ ଦେଇଛି ଭାରତ। ସାମରିକ, ରାଜନୈତିକ, ଅର୍ଥନୈତିକ ଏଂବ କୂଟନୈତିକ ଜବାବ ପାଇବା ପରେ ଏବେ ଚୀନ ଭାରତର ଘନିଷ୍ଠ ବନ୍ଧୁମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି। ଭୁଟାନର ଭାରତ ସୀମାକୁ ଲାଗି ରହିଥିବା ଜମିକୁ ତା’ର ଦାବି କରିଛି ଡ୍ରାଗନ୍। ସାରା ବିଶ୍ୱ ବେଜିଂକୁ ଚାରି ଦିଗରୁ ଘେରିଥିବାବେଳେ ଭାରତ ଉପରେ ଚାପ ପକାଇବା ପାଇଁ ଚୀନ ଏପରି ପଦକ୍ଷେପମାନ ନେଉଥିବା କୁହାଯାଉଛି । ବାସ୍ତବରେ ଏହା ଭାରତର ଘନିଷ୍ଠ ବନ୍ଧୁମାନଙ୍କୁ ହଇରାଣ କରିବା ପାଇଁ ଚୀନ୍‌ର ନୂତନ ରଣନୀତି ଭାବରେ ମଧ୍ୟ ବିବେଚନା କରାଯାଉଛି।

ଶନିବାର ଚୀନ୍  ବୈଦେଶିକ ମନ୍ତ୍ରଣାଳୟ କହିଛି, ଚୀନ୍ ଏବଂ ଭୁଟାନ ମଧ୍ୟରେ ସୀମା କେବେ ସ୍ଥିର କରାଯାଇ ନାହିଁ । ପୂର୍ବ, ମଧ୍ୟ ଏବଂ ପଶ୍ଚିମ ଅଞ୍ଚଳରେ ଦୀର୍ଘ ଦିନ ଧରି ସୀମା ବିବାଦ ଚାଲିଆସୁଛି। ଚୀନ୍ ଭାରତକୁ ସୂଚାଇ କହିଛି ଯେ, ଚୀନ୍-ଭୁଟାନ ସୀମା ବିବାଦରେ କୌଣସି ତୃତୀୟ ପକ୍ଷ ଆଙ୍ଗୁଠି ଉଠାଇବା ଉଚିତ୍ ନୁହେଁ। ଚୀନ୍ ଏବଂ ଭୁଟାନ ଏପର୍ଯ୍ୟନ୍ତ ୧୯୮୪ ରୁ ୨୦୧୬ ମଧ୍ୟରେ 24 ରାଉଣ୍ଡ ଆଲୋଚନା କରିଛନ୍ତି। ଏହି ଅବଧି ମଧ୍ୟରେ କେବଳ ପାଶ୍ଚାତ୍ୟ ଏବଂ କେନ୍ଦ୍ରୀୟ ଅଞ୍ଚଳ ବିବାଦ ଉପରେ ଆଲୋଚନା ହୋଇଥିଲା।ଳ ହେଲେ ଏହି ଅଞ୍ଚଳ କଥା କେବେ ବି ଆଲୋଚନାକୁ ଆସିନାହିଁ।

ସୂଚନାଥାଉ କି, ଜୁନ୍ ୨୯ ତାରିଖ ଦିନ ଭୁଟାନର Global Environment Facility (GEF) ପରିଷଦର ସହାୟତା ପାଇଁ ଆବେଦନକୁ ଚୀନ୍ ବିରୋଧ କରିଥିଲା। ଦେଶର ପୂର୍ବ ଭାଗରେ ଅବସ୍ଥିତ ଏକ ବନ୍ୟଜନ୍ତୁ ଅଭୟାରଣ୍ୟ ପାଇଁ ଭୁଟାନ ଏହି ସାହାଯ୍ୟ ଲୋଡିଥିଲା। ଏହା ଏକ ବିବାଦୀୟ ଅଂଶ ବୋଲି କହି ଚୀନ୍ ଏହାକୁ ବିରୋଧ କରିଥିଲା।

ଯଦିଓ ଚୀନ୍‌ର ବିରୋଧ ପରେ ମଧ୍ୟ ଭୁଟାନକୁ ସାହାଯ୍ୟ କରାଯାଇଥିଲା, ଏହା ଭୁଟାନ ପ୍ରତି ଚୀନର ଧମକ ଥିଲା ବୋଲି କୁହାଯାଉଛି।  କାରଣ ଦୁଇ ଦେଶ ମଧ୍ୟରେ ପୂର୍ବ ସୀମାକୁ ନେଇ କେବେ ବିବାଦ ଦେଖା ଦେଇ ନ ଥିଲା।  ଚୀନ୍‌ର ଏହି ଦାବି ପରେ ଭୁଟାନ ନୂଆଦିଲ୍ଲୀରେ ଥିବା ଚୀନ୍ ଦୂତାବାସକୁ ଏକ  ବାର୍ତ୍ତାରେ କହିଛି,  ‘ସାକେଟେଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଭୁଟାନର ଏକ ଅବିଚ୍ଛେଦ୍ୟ ଅଙ୍ଗ।‘ ତେବେ  ଭାରତ ସହ ଭୁଟାନର ବନ୍ଧୁତା ହେତୁ ଚୀନ ଭୁଟାନକୁ ଏପରି ଅସୁବିଧାରେ ପକାଉଥିବା ଆଲୋଚନା କରାଯାଉଛି।

ସୂତ୍ରରୁ ଜଣାପଡିଛି, ଏପରି ଦାବି କରି ଚୀନ୍‌ ଭାରତର ଘନିଷ୍ଠ ବନ୍ଧୁ ଭୁଟାନ ଉପରେ ଚାପ ପକାଇବା ପାଇଁ ଉଦ୍ୟମ କରୁଛି ।  ତେବେ ଭାରତ ପକ୍ଷରୁ ଏନେଇ କୌଣସି   ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

You might also like