ଚୀନରେ ବଢ଼ି ଚାଲିଛି ଅବିବାହିତଙ୍କ ସଂଖ୍ୟା : ବିବାହ କରିବାକୁ ଯୁବକଙ୍କୁ ମିଳୁନି କନ୍ୟାପାତ୍ର

ଚୀନ ଯୁବକଙ୍କୁ ମିଳୁନି କନ୍ୟା । ବଢ଼ି ବଢ଼ି ଚାଲିଛି ଅବିବାହିତଙ୍କ ସଂଖ୍ୟା । ବିବାହ ପାଇଁ ଝିଅ ଟିଏ ମିଳିବା କଷ୍ଟକର ହୋଇପଡ଼ିଛି । ବିଶ୍ୱର ସବୁଠାରୁ ଜନବହୁଳ ଦେଶରେ ବିବାହ ପାଇଁ କନ୍ୟା ମିଳୁନାହାନ୍ତି । ଚାଇନାରେ ପ୍ରାୟ ୩ କୋଟି ଅବିବାହିତ ଥିବା ଜନଗଣନାରୁ ଜଣାପଡିଛି । ପୁଅଙ୍କ ପାଇଁ ଚୀନୀ ଲୋକଙ୍କ ପ୍ରେମ, ଏବେ ବୋହୂ ମିଳିବା ସମୟରେ ସଙ୍କଟ ସୃଷ୍ଟି କରୁଛି । ଲିଙ୍ଗଗତ ବୈଷମ୍ୟ ପାଇଁ ପ୍ରାୟ ୩ କୋଟି ଚୀନୀ ଯୁବକ ଏବେ ବିବାହ ପାଇଁ ଅନେଇ ବସିଛନ୍ତି ।

ଗୋଟିଏ ପଟେ ପୁଅଙ୍କୁ ଝିଅ ମିଳୁନି, ତଥାପି ବାପାମା’ଙ୍କ ପୁତ୍ର ପ୍ରେମ ଉକୁଟି ଉଠୁଛି । ଲିଙ୍ଗଗତ ଅସମାନତା ପ୍ରସଙ୍ଗ ଶୀଘ୍ର ଶେଷ ହେବାର ସମ୍ଭାବନା ଦେଖାଯାଉ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ । ତେବେ ବର୍ତ୍ତମାନ ହୋଇଥିବା ଜନଗଣନାରେ ଝିଅଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି। ଚୀନ ସପ୍ତମ ଜାତୀୟ ଜନସଂଖ୍ୟା ପରିସଂଖ୍ୟାନ ଅନୁଯାୟୀ, ଗତ ବର୍ଷ ଜନ୍ମ ହୋଇଥିବା ଏକ କୋଟି ଦୁଇ ଲକ୍ଷ ପିଲାଙ୍କ ମଧ୍ୟରେ ଚିନ୍ତାଜନକ ତଥ୍ୟ  ସାମ୍ନାକୁ ଆସିଛି । ୧୧୩.୩ ପୁଅଙ୍କ ତୁଳନାରେ ମାତ୍ର ୧୦୦ ଜଣ ଝିଅ ଜନ୍ମ ହୋଇଛନ୍ତି । ୨୦୧୦ରେ ୧୧୮.୧ ପୁଅ ତୁଳନାରେ ଜନ୍ମ ନେଇଥଲେ ମାତ୍ର ୧୦୦ ଝିଅ ।

ଚୀନର ଜଣେ ପ୍ରଫେସରଙ୍କ ହିସାବରେ ଚୀନରେ ନିଜ ଠାରୁ ବହୁ ଛୋଟ ଥିବା ଝିଅଙ୍କୁ ପସନ୍ଦ କରନ୍ତି ଯୁବକ । ଫଳରେ ଆଜି ଦେଶରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ଚୀନ ପରିବାରରେ ଝିଅଙ୍କ ତୁଳନାରେ ପୁତ୍ର ସନ୍ତାନକୁ ଅଧିକ ପସନ୍ଦ କରନ୍ତି । ‘ଗତ ବର୍ଷ ଜନ୍ମ ହୋଇଥିବା ଏକ କୋଟି ୨୦ ଲକ୍ଷ ପିଲାଙ୍କ ମଧ୍ୟରୁ ୬ ଲକ୍ଷ ପିଲାଙ୍କୁ ପତ୍ନୀ ବିନା ବଞ୍ଚିବାକୁ ପଡିବ । ୧୯୭୯ ରେ ଚୀନ୍ ଏକ ଶିଶୁ ନୀତି କାର୍ଯ୍ୟକାରୀ କରିଥିଲା ଏବଂ ୨୦୧୬ ରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା । ଏହି ନୀତି ଝିଅଙ୍କୁ ଗର୍ଭରେ ମାରିବା ଏବଂ ପୁତ୍ର ସନ୍ତାନ ଜନ୍ମ ଦେବା ପାଇଁ ଉତ୍ସାହିତ କରିଥିଲା ।

ସୂଚନାଯୋଗ୍ୟ ୨୦୧୯ ତୁଳନାରେ ଚୀନର ଜନସଂଖ୍ୟା ୦.୫୩ ପ୍ରତିଶତ ବୃଦ୍ଧି ହୋଇ ୧.୪୧୧୭୮ ବିଲିୟନରେ ପହଞ୍ଚିଯାଇଛି । ୨୦୧୯ ରେ ଜନସଂଖ୍ୟା ୧.୪ ବିଲିୟନ ଥିଲା, ତେବେ ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ଏହା ହ୍ରାସ ପାଇବ ବୋଲି ଆଶା କରାଯାଉଛି। ମଙ୍ଗଳବାର ଚୀନ୍ ସରକାରଙ୍କ ଦ୍ୱାରା ପ୍ରକାଶିତ ସପ୍ତମ ଜାତୀୟ ଜନସଂଖ୍ୟା ଅନୁଯାୟୀ , ଚୀନ୍ର ଜନସଂଖ୍ୟା ୧.୪୧୧୭୮ ଆରବ ଥିଲା । ଜାତୀୟ ପରିସଂଖ୍ୟାନ ବ୍ୟୁରୋ (ଏନବିଏସ୍) ଅନୁଯାୟୀ ନୂତନ ଜନଗଣନା ତଥ୍ୟରୁ ଜଣାପଡିଛି ଚାଇନାରେ ଯେଉଁ ସଙ୍କଟ ଦେଖାଦେଇଛି ତାହା ଭବିଷ୍ୟତରେ ଆହୁରି ଆହୁରି ଗଭୀର ହେବାର ଆଶଙ୍କା ରହିଛି । କାରଣ ଦେଶରେ ୬୦ ବର୍ଷରୁ ଅଧିକ ଲୋକଙ୍କ ସଂଖ୍ୟା ୨.୬୪ କୋଟିକୁ ବୃଦ୍ଧି ପାଇଛି ।

You might also like