‘ଚୀନ ସରକାର ଜାରି କରିଥିବା କରୋନା ମୃତକଙ୍କ ସଂଖ୍ୟାକୁ ନେଇ ସନ୍ଦେହ’

ଓ୍ୱାଶିଂଟନ: ଭାରତୀୟ ବଂଶୋଦ୍ଭବ ତଥା ଆମେରିକାର ନେତା ନିକୀ ହେଲି ଚୀନରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କରୋନା ମୃତକଙ୍କ ସଂଖ୍ୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

ଚୀନ କରୋନା ମୃତ୍ୟୁ ସଂଖ୍ୟା ୩,୩୦୦ ବୋଲି ପ୍ରକାଶ କରିଛି। ଯାହାକି ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଏହାପୂର୍ବରୁ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ମଧ୍ୟ ଚାଇନା ପ୍ରକାଶ କରିଥିବା କରୋନା ମୃତ୍ୟୁ ସଂଖ୍ୟାକୁ ବିଶ୍ୱାସ ନ କରିବାକୁ ହ୍ଵାଇଟ ହାଉସକୁ କହିଥିଲା।

ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା 6,095ରେ ପହଞ୍ଚିଛି। 245, 341 ଜଣ ଆକ୍ରାନ୍ତ ହୋଇଛନ୍ତି। 228, 843 ଜଣ ଏବେ ଚିକିତ୍ସିତ ହେଉଛନ୍ତି ଏବଂ 10, 403 ଜଣ ସୁସ୍ଥ ହୋଇ ହସ୍ପିଟାଲକୁ ଫେରିଛନ୍ତି। ଆଗକୁ ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆକଳନ କରାଯାଉଛି। ଯାହାକି ଆଗାମୀ ଦିନରେ ଆମେରିକାର ଅର୍ଥନୀତିକୁ ପ୍ରଭାବିତ କରିବ।

ଚୀନର ହୁବେଇ ପ୍ରଦେଶରେ ଥିବା ଉହାନ ସହରରୁ ଏହି ମହାମାରୀ ଭାଇରସ ପ୍ରଥମେ ବ୍ୟାପିଛି। ଏହି ଭାଇରସ ଏବେ 204 ଦେଶକୁ ବ୍ୟାପିଛି। କରୋନା ମୃତ୍ୟୁ ସଂଖ୍ୟା ଅନ୍ୟ ଦେଶମାନଙ୍କରେ ଚୀନ ଅପେକ୍ଷା ଅଧିକ ହୋଇଛି। ତେଣୁ ଚୀନ ଏବେ ନିଜ ଦେଶର ମୃତକଙ୍କ ସଂଖ୍ୟା ଲୁଚାଇ ନିଜର ଆତ୍ମ ସମ୍ମାନ ରକ୍ଷା କରିବାକୁ ସମସ୍ତ ପ୍ରକାର ପ୍ରୟାସ କରୁଛି ବୋଲି ନିକୀ ହେଲି କହିଛନ୍ତି।

ବେଜିଂ ସରାକାର ଦ୍ୱାରା ଜାରି ହୋଇଥିବା ରିପୋର୍ଟକୁ ନେଇ ହ୍ୱାଇଟ୍ ହାଉସକୁ ସିଆଇଏ ଅବଗତ କରାଇବା ପରେ ଆମେରିକା ରାଷ୍ଟ୍ରପତି ପ୍ରତିକ୍ରିୟା ରଖିଥିଲେ।

ଗତ ବୁଧବାର ପ୍ରେସ କନଫରେନସ କରି ଟ୍ରମ୍ପ କହିଥିଲେ, କରୋନା ମୃତକଙ୍କ ସଂଖ୍ୟା ନେଇ ଚାଇନା ଯେଉଁ ରିପୋର୍ଟ ଦେଇଛି ତାହା ବିଶ୍ୱାସଯୋଗ୍ୟ ନୁହେଁ। ଗତ ବୁଧବାର (ଏପ୍ରିଲ ୧) ଚାଇନାର ନ୍ୟାଶନାଲ ହେଲଥ କମିଶନଙ୍କ (ଏନଏଚସି) ରିପୋର୍ଟ ଅନୁଯାୟୀ ମୋଟ୍ ୮୧, ୫୮୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩,୩୧୮ ଜଣଙ୍କର ମୃତ୍ୟୁ ଘଟିଛି।

ବିଶ୍ୱରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ମହାମାରୀ କରୋନା ପୃଥିବୀର ୨୦୪ଟି ଦେଶ ଓ ଭୂଖଣ୍ଡକୁ କାବୁ କରିସାରିଥିବା ବେଳେ, ମୋଟ ୧୦ ଲକ୍ଷ ୧୬ ହଜାର ୧୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୫୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଲକ୍ଷ ୧୨ ହଜାର ୯୯୫ ଜଣ ଆରୋଗ୍ୟ ଲାଭ କରିଛନ୍ତି।

You might also like