ଚୀନରେ ଏବେ ତିନୋଟି ପିଲା ଜନ୍ମ କରିପାରିବେ ମହିଳା

ଦୁଇ ସନ୍ତାନ ନୀତିରେ ପରିବର୍ତ୍ତନ ଆଣିଲେ ଜିନପିଙ୍ଗ ସରକାର

ବେଜିଂ : ସାରା ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ଏକ ପ୍ରମୁଖ ସମସ୍ୟା ପାଲଟିଛି । ଜନସଂଖ୍ୟା ବୃଦ୍ଧି କାରଣରୁ ଖାଦ୍ୟ ନିରାପତ୍ତା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସଂଘର୍ଷ ଚାଲିଛି । ଗୋଟିଏପଟେ ସାରା ବିଶ୍ୱରେ ଜନସଂଖ୍ୟାକୁ ନିୟନ୍ତ୍ରଣରେ ଆଣିବାକୁ ପ୍ରୟାସ ଜାରି ରହିଛି , ଅନ୍ୟପଟେ ଚୀନରୁ ଆସିଛି ଆଶ୍ଚର୍ଯ୍ୟଜନକ ଖବର । ଦୁଇ ସନ୍ତାନ ନୀତି ଶେଷ କରିବାକୁ ନିଷ୍ପତ୍ତି ନେଇଛି ଚୀନ । ବର୍ତ୍ତମାନ ଚୀନରେ ଦମ୍ପତି ଦୁଇଟି ବଦଳରେ ତିନି ସନ୍ତାନ ଜନ୍ମ କରିପାରିବେ ବୋଲି ଘୋଷଣା କରିଛନ୍ତି ଜିନପିଙ୍ଗ ସରକାର।

ରାଷ୍ଟ୍ରପତି ଜି ଜିନପିଙ୍ଗ ପୋଲିତ ବ୍ୟୁରୋ ବୈଠକରେ ପୁରୁଣା ନିୟମରେ ପରିବର୍ତ୍ତନ ଆଣିଥିବା ନିଷ୍ପତ୍ତି ଶୁଣାଇଛନ୍ତି । ସରକାରୀ ଗଣମାଧ୍ୟମ ଝିଂହୁଆ ଅନୁଯାୟୀ ନିଷ୍ପତ୍ତି ପଛରେ ରହିଛି ଦଶନ୍ଧିରେ ହେଉଥିବା ଜନଗଣନା । ନିକଟରେ ହୋଇଥିବା ଜନଗଣନା ଅନୁସାରେ ଚୀନ ଜନସଂଖ୍ୟାରେ ଯେତିକି ବୃଦ୍ଧି ଘଟିଛି, ତାହା ବିଗତ ଦଶନ୍ଧିରେ ସବୁଠାରୁ କମ୍ ବୋଲି ଜଣାପଡ଼ିଛି । ଏହାସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଚୀନ ଜନସଂଖ୍ୟାର ଏକ ବଡ଼ ଅଂଶ ବୟସ୍କ ଅଟନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଏହି କାରଣରୁ ଦେଶର ରାଜଧାନୀ ବେଜିଂରେ ଜନସଂଖ୍ୟା ବୃଦ୍ଧି କରିବା ପାଇଁ ଚାପ ପଡ଼ୁଛି । ଦେଶରେ ଜନସଂଖ୍ୟା ବୃଦ୍ଧି କରିବା ପାଇଁ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର, ଯଦ୍ୱାରା ହ୍ରାସ ପାଉଥିବା ଜନସଂଖ୍ୟାରେ ଲଗାମ ଲାଗିବ ।

ମେ ମାସ ଆରମ୍ଭରେ ଚୀନରେ ହୋଇଥିବା ଜନଗଣନା ରିପୋର୍ଟ ଅନୁଯାୟୀ ଗତ ବର୍ଷ ଦେଶରେ ପ୍ରାୟ ଏକ କୋଟି ୨୦ ଲକ୍ଷ ଶିଶୁ ଜନ୍ମ ହୋଇଥିଲେ। ୨୦୧୬ରେ ଏହି ସଂଖ୍ୟା ୧ କୋଟି ୮୦ ଲକ୍ଷ ଥିଲା । ଜନଗଣନା ରିପୋର୍ଟକୁ ଦୃଷ୍ଟିରେ ରଖି ଦୁଇ ସନ୍ତାନ ନୀତିରେ ପରିବର୍ତ୍ତନ ଆଣିଛନ୍ତି ଚୀନ ସରକାର ।

You might also like