ଗଲୱାନ ଘାଟିରୁ ହଟିବାକୁ ଚୀନ୍ ରାଜି!

ନୂଆଦିଲ୍ଲୀ: ଭାରତ-ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ସମାଧାନ କରିବା ପାଇଁ ଉଭୟ ଦେଶର କୋର୍ କମାଣ୍ଡରଙ୍କ ମଧ୍ୟରେ ହୋଇଥିବା ତୃତୀୟ ରାଉଣ୍ଡ ଆଲୋଚନାରେ କୌଣସି ସୁଫଳ ମିଳିପାରି ନାହିଁ। ତେବେ ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ଏହା ପୂର୍ବରୁ ହୋଇଥିବା ଆଲୋଚନା ପରେ ଚୀନ୍ ତା’ର ସୈନିକକୁ ଗଲୱାନା ଘାଟିର ଏଲଏସି ସମେତ କିଛି ଅନ୍ୟ ଅଞ୍ଚଳରୁ ହଟିବାକୁ ପ୍ରସ୍ତୁତ ହୋଇଛି, କିନ୍ତୁ ପାଙ୍ଗଙ୍ଗକୁ ନେଇ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନାହିଁ।

ଉଭୟ ଦେଶ ମଧ୍ୟରେ ଏବେବି କିଛି ବିଷୟ ଉପରେ ସହମତି ହୋଇପାରିନାହିଁ। ଚୀନ୍ ଗଲୱାନ ଘାଟିରୁ ହଟିବା ପାଇଁ ନିର୍ଦ୍ଧାରିତ ପାରାମିଟର ଉପରେ ପ୍ରାୟ ସହମତି ହୋଇଛି। କିନ୍ତୁ ପାଙ୍ଗଙ୍ଗ ନିକଟରୁ ଦୁଇ ଦେଶର ସେନା ଏବେବି ପଛକୁ ହଟିନାହାନ୍ତି। ପାଙ୍ଗଙ୍ଗରୁ ଭାରତୀୟ ସେନା ହଟିବାକୁ ଚାହୁଁନାହାନ୍ତି। ଭାରତୀୟ ସେନା ଫିଙ୍ଗର-୪ରେ ଅଛନ୍ତି ଏବଂ ଏହା ଭାରତ ନିୟନ୍ତ୍ରଣରେ ମଧ୍ୟ ରହିଛି। ଭାରତ ଫିଙ୍ଗର-୮ରେ ଏଲଏସି ଥିବା ନେଇ ଦାବି କରିଆସୁଛି। ଏହା ମଧ୍ୟରେ ମଙ୍ଗଳବାର ଚୁସୁଲରେ ଉଭୟ ଦେଶର କମାଣ୍ଡରଙ୍କ ମଧ୍ୟରେ ୧୨ ଘଣ୍ଟା ଧରି ଚାଲିଥିବା ବୈଠକରେ କୌଣସି ଫଳାଫଳ ବାହାରି ପାରିନାହିଁ।

ପାଙ୍ଗଙ୍ଗ ଓ ଗଲୱାନ ଭଳି ଡେପସାଙ୍ଗ ଓ ଡେମଚୋକରୁ ମଧ୍ୟ ଚୀନ୍ ସେନା ହଟୁ ନାହାନ୍ତି। ସେନାର କମାଣ୍ଡରଙ୍କ ମଧ୍ୟରେ ହୋଇଥିବା ପୂର୍ବ ବୈଠକରେ ଚୀନ୍ କହିଥିଲା ଯେ ସେମାନେ ଗଲୱାନରେ ଦାବି କରିଆସୁଥିବା ଘାଟିରୁ ୮୦୦ ମିଟର ଦୂରରେ ଅଛନ୍ତି। ୨୨ ଜୁନରେ ହୋଇଥିବା ଏହି ବୈଠକରେ ଚୀନ୍ କହିଥିଲା ଯେ ଗଲୱାନର ପାଟ୍ରୋଲିଙ୍ଗ୍ ପଏଣ୍ଟ (ପିପି)-୧୪ରୁ କେବଳ ୧୦୦-୧୫୦ ମିଟର୍ ଭିତରକୁ ସେମାନେ ପଶି ଆସିଥିଲେ।

ଭାରତର ଲେହରେ ୩୫ତମ କୋର୍ କମାଣ୍ଡର ଲ୍ୟୁଟନାଣ୍ଟ ଜେନରାଲ୍ ହରିନ୍ଦର ସିଂହ ଓ ତାଙ୍କ ଚୀନ୍ ସମକକ୍ଷ ମେଜର୍ ଜେନେରାଲ୍‌ ଲିୟୁ ଲିନ୍ ଦୀର୍ଘ ସମୟ ଧରି ଏହା ଉପରେ ଆଲୋଚନା କରିଥିଲେ। ଉଭୟ ପକ୍ଷ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ ସହ କିଛି ଅଞ୍ଚଳରେ ସୈନିକକୁ ଫେରାଇ ଆଣିବା ପାଇଁ ବ୍ୟାପକ ମାପଦଣ୍ଡ ଉପରେ ସହମତି ମଧ୍ୟ ବ୍ୟକ୍ତ କରିଛନ୍ତି।

ମିଳିଥିବା ସୂତ୍ର ଅନୁଯାୟୀ, ଗଲୱାନ ଘାଟିରୁ ହଟ୍ ସ୍ପ୍ରିଙ୍ଗ୍ ଅଞ୍ଚଳରେ ପିପି-୧୪, ୧୫ ଓ ୧୭ରେ ସୈନିକଙ୍କୁ ହଟାଇବା ପାଇଁ ସହମତି ବ୍ୟକ୍ତ କରାଯାଇଛି। ଏଥିରେ ଭାରତ ପକ୍ଷରୁ କୁହାଯାଇଛି ଯେ ପ୍ରଦେଶର ୧୦୦ ମିଟର ଦୂରରେ ପିଏଲଏ ମଧ୍ୟ ସାମିଲ୍‌ ଅଛି। ପିପି-୧୪ ସେହି ସ୍ଥାନ, ଯେଉଁଠାରେ ଜୁନ୍ ୧୫ ତାରିଖରେ ଉଭୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଭାରତର ୨୦ଜଣ ଯବାନ୍ ଶହିଦ୍ ହୋଇଥିଲେ, ଯେଉଁଥିରେ ୧୬-ବିହାର ରେଜିମେଣ୍ଟ କମାଣ୍ଡର ଅଫିସର କର୍ଣ୍ଣେଲ ବି ସନ୍ତୋଷ ବାବୁ ସାମିଲ୍‌ ଥିଲେ।

ସରକାରୀ ସୂତ୍ରରେ କୁହାଯାଇଛି ଯେ, ଏବେ ପାଙ୍ଗଙ୍ଗ ମାମଲାରେ ସାମାନ୍ୟ ସମାଧାନର ବାଟ ଧୀରେ ଧୀରେ ଖୋଲିବାରେ ଲାଗିଛି। ସେହି ସ୍ଥାନରେ ଜୁନ୍ ୧୫ ତାରିଖରେ ହୋଇଥିବା ସଂଘର୍ଷରେ ଉଭୟ ପଟୁ ସୈନିକ ଗୁରୁତର ଆଘାତ ହୋଇଥିଲେ।

ଏ ନେଇ ଜଣେ ଅଧିକାରୀ କହିଛନ୍ତି, ପିଏଲଏ କମାଣ୍ଡର ଏପର୍ଯ୍ୟନ୍ତ ପାଙ୍ଗଙ୍ଗରେ କୌଣସି ନମନୀୟତା ଦେଖାଇନାହାନ୍ତି। ମୋତେ ଲାଗୁଛି, ଆମେ ସମୟ ହିସାବରେ ଧୀରେ ଧୀରେ ଆଗକୁ ବଢ଼ୁଛୁ। ଏଭଳି ମାମଲାରେ ୱାନ୍ ଶଟ୍ ସେଟଲମେଣ୍ଟର ଆଶା କରାଯାଇପାରିବ ନାହିଁ।

You might also like