ଏଣିକି ଶିଶୁଙ୍କ ପାଇଁ ବି ମାସ୍କ ପିନ୍ଧିବା ଜରୁରୀ

ନୂଆଦିଲ୍ଲୀ: ମାଡି ଆସୁଛି କରୋନାର ଦ୍ଵିତୀୟ ଲହର । ପ୍ରଥମ ଲହର ବୟସ୍କମାନଙ୍କ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ୨ୟ ଲହର ଯୁବଗୋଷ୍ଠୀଙ୍କ ପାଇଁ ଘାତକ ସାଜିଛି  । ତୃତୀୟ ଲହର ପାଇଁ ବିଶେଷଜ୍ଞମାନେ ଚେତାବନୀ ଦେଇ ସାରିଲେଣି  । ବିଶେଷକରି ୩ୟ ଲହର ଛୋଟ ପିଲାମାନଙ୍କ ପାଇଁ ବିପଦ ଆଣିବ ବୋଲି ଅନୁମାନ କରାଯାଉଛି  । ଏହାକୁ ଦୃଷ୍ଟିରେ ରଖି ଆଜିଠୁ ପ୍ରସ୍ତୁତି ଆରଂଭ କରି ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

କରୋନାର ୩ୟ ଲହରକୁ ମୁକାବିଲା କରିବାକୁ ହେଲେ ୨ ରୁ ଅଧିକ ବର୍ଷର ଶିଶୁ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଉଛି । ଶିଶୁ, କିଶୋର ଓ ଗର୍ଭବତୀଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଆଡଭାଇଜରିରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି । କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ସରକାର ଏଭଳି ଆଡଭାଇଜରି ଜାରି କରିଛନ୍ତି।

ଏଥିରେ ୨ରୁ ଅଧିକ ବର୍ଷର ଶିଶୁ ପଦାକୁ ବାହାରିବା ପୂର୍ବରୁ ମାସ୍କ ପିନ୍ଧିବାକୁ ପରାମର୍ଶ ସହ ଶିଶୁଠାରେ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟିଂ ପାଇଁ ପରାମର୍ଶ ଦିଆଯାଇଛି । ଟେଷ୍ଟିଂ ସହ ଆଇସୋଲେସନ ଓ ଚିକିତ୍ସା ପରାମର୍ଶ ନେବାକୁ ନିର୍ଦ୍ଦେଶ ରହିଛି ।

ସେହିଭଳି ଝାଡ଼ା, ବାନ୍ତି, ପେଟ ବ୍ୟଥା, ଥଣ୍ଡା, କାଶ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ସାଙ୍ଗକୁ ୨୦ ସେକେଣ୍ଡ ବଦଳରେ ପ୍ରତି ୪୦ ସେକେଣ୍ଡ ଯାଏଁ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଥାଉ କି, କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଭରତ ବାୟୋଟେକର କରୋନା ଟିକା ‘କୋଭାକ୍ସିନ’ର ପରୀକ୍ଷା ୨ ରୁ ୧୮ ବର୍ଷର ପିଲାମାନଙ୍କ ଉପରେ କରିବ। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଗୁରୁବାର ଦିନ ପିଲାମାନଙ୍କ ଉପରେ ଟିକା ପରୀକ୍ଷାକୁ ଅନୁମୋଦନ କରିଛି।  ପୂର୍ବରୁ ୨ରୁ ୧୮ ବର୍ଷ ବୟସ୍କଙ୍କ ଟୀକାର ପ୍ରଥମ ପର୍ଯ୍ୟୟ ଟ୍ରାଏଲ ଶେଷ ହୋଇଛି । ଏବେ ଦ୍ୱିତୀୟ ଓ ତୃତୀୟ ଫେଜ୍ ଟ୍ରାଏଲ କରାଯିବ । ବିଭିନ୍ନ ୫୨୫ଟି ଅଲଗା ଅଲଗା ସ୍ଥାନରେ ଏହାର ଟ୍ରାଏଲ କରାଯିବ । ଦିଲ୍ଲୀ ଏବଂ ପାଟନା ଏମ୍ସ ସହିତ ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ଯୁଟ ଅଫ୍ ମେଡିକାଲ ସାଇନ୍ସରେ ଏହି ଟିକାର କ୍ଲିନିକାଲ ଟ୍ରାଏଲ କରାଯିବ।

You might also like