ଅଗଷ୍ଟା ୱେଷ୍ଟଲାଣ୍ଡ ଦୁର୍ନୀତି ପ୍ରସଙ୍ଗ : ଇଡିର ତଥ୍ୟକୁ ନେଇ ଜୋରଦାର ରାଜନୀତି

ନୂଆଦିଲ୍ଲୀ : ଭିଭିଆଇପି ହେଲିକପ୍ଟର ଅଗଷ୍ଟା ୱେଷ୍ଟଲାଣ୍ଡ କିଣା ଦୁର୍ନୀତିରେ ସଂପୃକ୍ତ ଥିବା ମଧ୍ୟସ୍ଥି କ୍ରିଷ୍ଟିଆନ୍ ମିସେଲ ଜେରାବେଳେ ମିସେସ୍‌ ଗାନ୍ଧି ଓ ସନ୍ ଅଫ୍ ଇଟାଲୀୟନ ଲେଡିଙ୍କୁ ଇଙ୍ଗିତ କରିଥିବା ନେଇ କୋର୍ଟରେ ତଥ୍ୟ ରଖିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ମିସେଲଙ୍କୁ ରିମାଣ୍ଡରେ ନେବା ଲାଗି ଇଡିର ଏଭଳି ତଥ୍ୟ ଉପସ୍ଥାପନକୁ ନେଇ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛି। ରାଜନୈତିକ ସ୍ୱାର୍ଥ ଲାଗି ମୋଦି ସରକାର ଇଡିକୁ ଆୟୁଧ କରିଥିବା କଂଗ୍ରେସ କହିଛି।

ଇଡି ପରୋକ୍ଷରେ ସୋନିଆ ଓ ରାହୁଲଙ୍କ ଆଡ଼କୁ ଆଙ୍ଗୁଳି ଉଠାଇବାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ। ଯଦିଓ କଙ୍ଗାରୁ କୋର୍ଟରେ ଶୁଣାଣି ହୁଏ, ହେଲେ ବିଜେପି ଗଣମାଧ୍ୟମରେ ହିଁ କାହାକୁ ନା କାହାକୁ ଦୋଷୀ କରିବାରେ ଲାଗିପଡ଼ିଛି ବୋଲି ଚିଦାମ୍ବରମ ଟ୍ୱିଟ କରିଛନ୍ତି। ସେପଟେ ମିସେଲଙ୍କ ସ୍ୱୀକାରୋକ୍ତି ନେଇ ଇଡି କହିବା ପରେ ରାହୁଲଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର।

୩୬ ହଜାର କୋଟି ଟଙ୍କାର ଏହି ଦୁର୍ନୀତିରେ ସଂପୃକ୍ତ ଥିବା ମିସେଲଙ୍କୁ ୟୁଏଇରୁ ପ୍ରତ୍ୟର୍ପଣ କରି ଆଣିବା ପରେ ଇଡି ନିଜ ହେପାଜତରେ ରଖିଛି। ଗତକାଲି ତାଙ୍କର ରିମାଣ୍ଡ ଅବଧି ସରିବାକୁ ଥିବାରୁ, ଇଡି ତାଙ୍କୁ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ହାଜର କରିଥିଲା।

ଏହାସହ ଅଧିକ ୮ ଦିନ ପାଇଁ ରିମାଣ୍ଡରେ ନେବା ଲାଗି ଆବେଦନ କରିଥିଲା। ଆବେଦନରେ ଇଡିର ଓକିଲ ଦର୍ଶାଇଥିଲେ ଯେ, ୨୭ ତାରିଖରେ ଜେରାବେଳେ ମିସେଲ ଦୁର୍ନୀତିରେ ସଂପୃକ୍ତ ଥିବା ନେଇ କୌଣସି ଜଣେ ଗାନ୍ଧିଙ୍କ ନାଁ ନେଇଥିଲେ। ଏହାସହ ଇଟାଲୀୟ ମହିଳାଙ୍କ ପୁଅ, ଯିଏକି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି କହିଥିଲେ। ଏଣୁ ଏ ସଂପର୍କରେ ଖୋଳତାଡ଼ ଲାଗି ରିମାଣ୍ଡରେ ନେବା ଆବଶ୍ୟକ ବୋଲି ଯୁକ୍ତି ଦର୍ଶାଇଥିଲେ। ଏହାପରେ କୋର୍ଟ ଆଉ ୭ ଦିନ ପାଇଁ ରିମାଣ୍ଡ ଅନୁମତି ପ୍ରଦାନ କରିଛି।

You might also like