ସାରା ଦେଶରେ ଏବେ ବାର୍ଡ଼ ଫ୍ଲୁ ଆତଙ୍କ, ଚଣ୍ଡିଗଡ଼ରେ ୪୦ ଟଙ୍କା ପର୍ଯ୍ୟନ୍ତ କମିଲା ଚିକେନ୍ ଦର
ଭୟରେ ଚିକେନ୍ ଖାଉନାହାନ୍ତି ଲୋକେ, ଚିନ୍ତାରେ କୁକୁଡ଼ା ବ୍ୟବସାୟୀ
- ବାର୍ଡ଼ ଫ୍ଲୁ ମାମଲା ସାମ୍ନାକୁ ଆସିବା ପରେ ଦେଶର ଅନେକ ସ୍ଥାନରେ ଖସିଲା ଚିକେନ୍ ଦର
- ଚଣ୍ଡିଗଡ଼ରେ ୪୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା ଚିକେନ୍, ଅନ୍ୟ ରାଜ୍ୟରେ ବି ସମାନ ଅବସ୍ଥା
- ହିମାଚଳ ସମେତ ବିଭିନ୍ନ ରାଜ୍ୟରେ ବାର୍ଡ଼ ଫ୍ଲୁ ମାମଲା ଆସିବା ପରେ ଚିନ୍ତାରେ ସରକାର
- ମଧ୍ୟପ୍ରଦେଶ ସରକାର ଦକ୍ଷିଣ ଭାରତ ସହ କୁକୁଡ଼ା ବ୍ୟବସାୟ ଉପରେ ରୋକ ଲଗାଇଲେ
ଚଣ୍ଡିଗଡ଼ : ସାରା ଦେଶବାସୀଙ୍କୁ ଘାରିଛି ବାର୍ଡ ଫ୍ଲୁ ଭୟ। ବିଭିନ୍ନ ରାଜ୍ୟର ବାର୍ଡ ଫ୍ଲୁ ଯୋଗୁଁ ଲକ୍ଷ ଲକ୍ଷ ପକ୍ଷୀ ମରି ପଡିଛନ୍ତି । ତେବେ ଚାରିଆଡ଼ୁ ବାର୍ଡ ଫ୍ଲୁ ମାମଲା ସାମ୍ନାକୁ ଆସିବା ପରେ ସାଧାରଣ ଲୋକ ଚିକେନ ଖାଇବା ପାଇଁ ଭୟ କରୁଛନ୍ତି । ଫଳରେ ଚିକେନ୍ ଦର ଆଶାତୀତ ଭାବେ କମିଯାଇଥିବା ସୂଚନା ମିଳିଛି । ଏବଂ ସାରା ଦେଶରେ କୁକୁଡ଼ା ଫାର୍ମିଂ ବ୍ୟବସାୟ ପ୍ରଭାବିତ ହୋଇଛି ।
ବାର୍ଡ଼ ଫ୍ଲୁ ପାଇଁ ଚଣ୍ଡିଗଡ଼ ପରି ସହରରେ ବ୍ରଏଲର କୁକୁଡା ମାଂସ କିଲୋ ପିଛା ୪୦ ଟଙ୍କା ପର୍ଯ୍ୟନ୍ତ ଖସି ଆସିଛି। କେବଳ ଚଣ୍ଡିଗଡ଼ ନୁହେଁ ପଞ୍ଜାବ, ହରିୟାଣା, ଦିଲ୍ଲୀ, ହିମାଚଳ ପ୍ରଦେଶ ଓ ଜାମ୍ମୁ-କାଶ୍ମୀର ପରି ରାଜ୍ୟଗୁଡିକରେ ମଧ୍ୟ ଚିକେନ୍ ଦର ଖସିଆସିଛି। ସେପଟେ ବାର୍ଡ ଫ୍ଲୁ ବ୍ୟାପିଥିବା ରାଜ୍ୟ ଗୁଡ଼ିକରେ ପ୍ରତିଦିନ ପରିସ୍ଥିତି ସମୀକ୍ଷା କରିବା ପାଇଁ ନୂଆଦିଲ୍ଲୀରେ ଏକ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ ପାଇଁ କେନ୍ଦ୍ର ସରକାର ଡିପାର୍ଟମେଣ୍ଟ୍ ଅଫ୍ ଆନିମଲ୍ ହଜ୍ବ୍ୟାଣ୍ଡ୍ରି ଆଣ୍ଡ୍ ଡାଇରିଙ୍ଗକୁ ନିର୍ଦ୍ଦେଶ ଦେଇଛନ୍ତି।
ଚଣ୍ଡିଗଡ଼ ସମେତ ଅନେକ ସହରର ବଜାରରେ ଚିକେନ୍ ଦାମ ହ୍ରାସ ପାଇବା କାରଣରୁ କୁକୁଡ଼ା ବ୍ୟବସାୟୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବାର୍ଡ ଫ୍ଲୁ ପ୍ରଭାବିତ ରାଜ୍ୟଗୁଡିକରେ କୁକୁଡ଼ାକୁ କିପରି ବଞ୍ଚାଇବେ ସେ ଚିନ୍ତାରେ ରହିଛନ୍ତି ବ୍ୟବସାୟୀ ।
ସେପଟେ ବାର୍ଡ ଫ୍ଲୁ ପାଇଁ ବ୍ୟସ୍ତ ନହେବାକୁ କେନ୍ଦ୍ର ପଶୁସମ୍ପଦ ମନ୍ତ୍ରୀ ଗିରିରାଜ ସିଂହ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଦେଶବାସୀ ଅଣ୍ଡା ଓ ମାଂସ ବେଶ ଆରାମରେ ଖାଇପାରିବେ। କିନ୍ତୁ ଏହାକୁ ଭଲ ଭାବେ ଶିଝାଇ ଓ ରାନ୍ଧିବା ପରେ ଖାଇଲେ, ବାର୍ଡ ଫ୍ଲୁର ପ୍ରଭାବ ରହିବ ନାହିଁ ବୋଲି ସେ କହିଛନ୍ତି।
ଅନ୍ୟପେଟ ଆମ ରାଜ୍ୟ ଓଡ଼ିଶାରେ ଏଯାଏଁ ବାର୍ଡ ଫ୍ଲୁ ଚିହ୍ନଟ ହୋଇନି ବୋଲି ଜଣାପଡ଼ିଛି । ଆଜି ବାର୍ଡ ଫ୍ଲୁ ସତର୍କତା ନେଇ ମୁଖ୍ୟ ଶାସନ ସଚିବ ରିଭ୍ୟୁ ବୈଠକ ଡାକିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ୧୧ ହଜାର ସାମ୍ପଲ ପରୀକ୍ଷା ହୋଇଛି । ଏଥିରୁ କୌଣସି ଠାରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇନାହିଁ ବୋଲି ସେ କହିଛନ୍ତି ।