ସର୍ଭିସ ରିଭଲଭରରୁ ଗୁଳି କରି ୨ ସାଥୀଙ୍କୁ ହତ୍ୟା କଲେ ଯବାନ

ରାୟପୁର:ଛତିଶଗଡ଼ର ନକ୍ଲଲ ପ୍ରଭାବିତ ନାରାୟଣପୁର ଜିଲ୍ଲା  ଅମଦଇ ଘାଟି କ୍ୟାମ୍ପରେ ଯବାନମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଲାଗିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ଯବାନ ତାଙ୍କ ସାଥୀ ଯବାନଙ୍କ ଉପରକୁ ଗୁଳି ଚଳାଇ ଦେଇଥିଲେ। ଫଳରେ ୨ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି।

ବସ୍ତର ଆଇଜି ପି.ସୁନ୍ଦର ପି କହିଛନ୍ତି, ନାରାୟଣପୁର ଜିଲ୍ଲାର ଛୋଟଡୋଙ୍ଗର ଥାନାର ଘାଟି ଅଞ୍ଚଳରେ  ଛତିଶଗଡ଼ ସୁରକ୍ଷାକର୍ମୀଙ୍କ ୯ମ ବାଟାଲିଅନର  କ୍ୟାମ୍ପ ପଡ଼ିଥିଲା। କ୍ୟାମ୍ପରେ ଶୁକ୍ରବାର ରାତିରେ ସହାୟକ ପ୍ଲାଟୁନ କମାଣ୍ଡର ଘନଶ୍ୟାମ କୁମେଟି ତାଙ୍କ ସର୍ଭିସ ରିଭଲଭରରୁ ଗୁଳି କରିଥିଲେ। ଏହି ଘଟଣାରେ ପ୍ଲାଟୁନ କମାଣ୍ଡର ବିନ୍ଦଶ୍ୱର ସାହାଣୀ ଏବଂ ହାବିଲଦାର ରାମେଶ୍ୱର ସାହୁଙ୍କର ମୃତ୍ୟୁ ଘଟିଛି। ପ୍ଲାଟୁନ କମାଣ୍ଡର ଲଚ୍ଛୁରାମ ଆହତ ହୋଇଛନ୍ତି।

ଏହି ଘଟଣାରେ ପି.ସୁନ୍ଦର କହିଛନ୍ତି, ପୋଲିସକୁ ଯାହା ସୂଚନା ମିଳିଛି, ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ଘଟିବା ପରେ କୁମେଟି ଉତ୍ତେଜିତ ହୋଇ ଗୁଳି ଚଳାଇଥିଲେ। ପରେ ତାଙ୍କୁ ଗିରଫ କରାଯାଇଛି। ଆହତ ଲଚ୍ଛୁରାମଙ୍କୁ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଚାଲିଛି।

You might also like