ଶ୍ମଶାନରେ ଆଉ ଲିଭୁନାହିଁ ଜୁଇ, ଏକାସାଙ୍ଗରେ ଦାହ ହେଉଛି ଶତାଧିକ ଶବ

ଚିନ୍ତା ବଢାଉଛି କରୋନା

ରାୟପୁର: ବୋଲ ମାନୁନାହିଁ କରୋନା। ସ୍ଥିତି ଭୟଙ୍କର ହେଲାଣି। କରୋନା କବଳରେ ତ୍ରାହି ତ୍ରାହି ଡାକିଲେଣି ଲୋକେ। କିନ୍ତୁ ମହାମାରୀ କୋପରୁ କାହାକୁ ମିଳୁନାହିଁ ରକ୍ଷା। ନିଜର ମାୟାବୀ ପଞ୍ଝାରେ ସମସ୍ତଙ୍କୁ ଘାଂଟିଟକଟି ପକାଉଛି କରୋନା। ତେବେ ଛତିଶଗଡ଼ର ଦୃଶ୍ୟକୁ ଟିକିଏ ଯିଏ ପାଖରୁ ଦେଖିବ ସିଏ ବୁଝିପାରିବ। ଶବ ଗୁଡ଼ିକ ଏମିତି ଶୋଇଛନ୍ତି ଯାହାକୁ ଦେଖିବା ପରେ ମୁଣ୍ଡ ବୁଲାଇ ଦେବ। କରୋନା ସହ ଲଢେଇ କରି କରି ଏମାନେ ସମସ୍ତେ ହାରିଯାଇଛନ୍ତି। ସ୍ଥିତି ଏମିତି ହେଲାଣି ଯେ, ଶ୍ମଶାନରେ ବି ଶବଦାହ ଲାଗି ଜାଗା ନାହିଁ। ଶବଦାହ ଲାଗି ଘଂଟା ଘଂଟା ନୁହେଁ ବରଂ ଦିନ ଦିନ ଅପେକ୍ଷା କରି ରହୁଛନ୍ତି ଆତ୍ମୀୟସୋଜନ। ପରିବା ପତ୍ର ପରି ଟ୍ରକ୍‌ରେ ଲଦା ହୋଇ ଆସୁଛି ଶବ। ଏତେ ମାତ୍ରାରେ ଶବ ଆସୁଛି ଯେ, କେମିତି ଓ କିଏ ତାକୁ ଦାହ କରିବ ସେନେଇ ଅନିଶ୍ଚିତତା ଦେଖାଗଲାଣି। କାରଣ କରୋନା ଏମିତି ଦାଉ ସାଧୁଛି ଯେ, ପରିବାର ଲୋକ ବି  ନିଜ ସମ୍ପର୍କୀୟଙ୍କ ଶବ ଦାହର ସୁଯୋଗ ପାଉନାହାନ୍ତି। ସରକାରଙ୍କ କଟକଣା ଓ ଗାଇଡ୍‌ଲାଇନ ଅନୁସାରେ ଶ୍ମଶାନରେ ଦାହ ହେଉଛି କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ଶବ।

ରାୟପୁରରେ ଗୋଟିଏ କୋଠରୀରେ ପ୍ୟାକ୍‌ ହୋଇ ରହିଛି କରୋନାରେ ଆଖି ବୁଜିଥିବା ବ୍ୟକ୍ତିଙ୍କର ଶବ। ଦାହ ପାଇଁ ଲାଗିଛି ଲମ୍ବା ଲାଇନ୍‌। ବାହାରେ ପରିବାର ଲୋକ ଅପେକ୍ଷା କରି ବସିଛନ୍ତି କେତେବେଳେ ସେମାନଙ୍କ ପରିବାର ଲୋକଙ୍କ ଦାହ ହେବ ଶବ। ଅପେକ୍ଷା କରିବା ଛଡା ବି ଆଉ  କିଛି ଉପାୟ ହିଁ ନାହିଁ। କେବଳ ରାୟପୁର ନୁହେଁ ଦେଶର ଅନେକ ରାଜ୍ୟରେ ସ୍ଥିତି ସଙ୍ଗୀନ ହେଲାଣି।

ଆଉ ଶ୍ମଶାନରେ ହୁତୁହୁତୁ ହୋଇ ଜଳୁଛି ଶବ। ଦିନେ ଯେଉଁ ଶ୍ମଶାନରେ ଗୋଟିଏ କିମ୍ବା ୨ ଟି ଶବ ଦାହ ହେବା ଲାଗି ଆସୁଥିଲା ସେଠାରେ ଏବେ ଶତାଧିକ ଶବ ଦାହ ହେବା ଲାଗି ଲାଇନ୍‌ ଲାଗୁଛି। ପିପିଇ କିଟ୍‌ ସହ ମାସ୍କ ପିନ୍ଧି ଚାଲିଛି ଶବସତ୍କାର। ସ୍ଥିତି ଏମିତି ହେଲାଣି ଜୁଇ ଲିଭିବାରେ ନା ହିଁ ନେଉନାହିଁ। ଏ ଦୃଶ୍ୟ ସବୁକୁ ଯିଏ ଦେଖିଛୁ ସିଏ ବି ନିର୍ବାକ ହୋଇଯାଉଛି। ସତରେ କରୋନା ଯେ, ଏତେ ଭୟଙ୍କର ଚିତ୍ର ଦେଖାଇବ ତାହାକୁ କିଏ କଳ୍ପନା କରିନଥିଲେ। କିନ୍ତୁ କରୋନା ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି ଆଉ ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେବାରେ ଲାଗିଛି ମହାମାରୀ। ଆଗାମୀ ଦିନରେ ଆମେ ଯଦି ସଚେତନ ନହେବା ତେବେ ସ୍ଥିତି କେତେ  ଭୟଙ୍କର ହେବ ତାହା ଚିନ୍ତା କରିବାର ସମୟ ଆସିଯାଇଛି।

You might also like