ଲକଡାଉନରେ ଯୁବକଙ୍କୁ ଚାପୁଡ଼ା ମାରିଲେ ଜିଲ୍ଲାପାଳ : ଦାଦାଗିରି ପାଇଁ ଦାୟିତ୍ୱରୁ ହଟାଇଲେ ମୁଖ୍ୟମନ୍ତ୍ରୀ

ଦାଦାଗିରି କରି ଦାୟିତ୍ୱରୁ ହଟିଲେ ଜିଲ୍ଲାପାଳ

 

  • ଲକଡାଉନରେ ଜିଲ୍ଲାପାଳଙ୍କ ଦାଦାଗିରି
  • ଫୋନ୍ ଭାଙ୍ଗିବା ସହ ଯୁବକଙ୍କୁ ମାଡ଼ ମାରିଲେ
  • ତୁରନ୍ତ ଦାୟିତ୍ୱରୁ ହଟାଇଲେ ମୁଖ୍ୟମନ୍ତ୍ରୀ

ସୁରଜପୁର : ଲକଡାଉନରେ ଯୁବକଙ୍କୁ ମାଡ଼ ମାରିବା କଲେକ୍ଟରଙ୍କୁ ମହଙ୍ଗା ପଡ଼ିଲା । ବଡ଼ ବାବୁଙ୍କ ଦାଦାଗିରି ପାଇଁ ତାଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମାମଲାକୁ ଗୁରୁତର ସହ ନେଇ ସୁରଜପୁର କଲେକ୍ଟର ରଣବୀର ଶର୍ମାଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ବି ସରକାରୀ କର୍ମଚାରୀଙ୍କ ଏପରି ଆଚରଣ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଘଟଣାରେ କ୍ଷୁବ୍ଧ ଯୁବକଙ୍କ ଓ ତାଙ୍କ ପରିବାରକୁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଟ୍ୱିଟ କରି କହିଛନ୍ତି, “ସୋସିଆଲ ମିଡିଆ ଜରିଆରେ ସୁରଜପୁର କଲେକ୍ଟର ରଣବୀର ଶର୍ମାଙ୍କ ଜଣେ ଯୁବକଙ୍କୁ ଦୁର୍ବ୍ୟବହାର କରିଥିବା ମାମଲା ମୋ ନଜରକୁ ଆସିଛି। ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ନିନ୍ଦନୀୟ। ଛତିଶଗଡରେ ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ। କଲେକ୍ଟରଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଶନିବାର ଦିନ ସୁରଜପୁର ତାଲାବନ୍ଦରେ ଥିବା ସମୟରେ ଜଣେ ଯୁବକ ଔଷଧ ପାଇଁ ମେଡିକାଲକୁ ଯାଇଥିଲେ। ଏହି ସମୟରେ କଲେକ୍ଟର ରାସ୍ତାରେ ଛିଡ଼ା ହୋଇ ଲକଡାଉନ୍ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରୁଥିଲେ । ହେଲେ  ରାସ୍ତାରେ ଲୋକେ ଯିବାଆସିବା କରୁଥିବା ଦେଖି ଉତକ୍ଷିପ୍ତ ହୋଇ ଯାଇଥିଲେ । ଏହି ସମୟରେ ତାଙ୍କ ନଜର ଜଣେ ଯୁବକଙ୍କ ଉପରେ ପଡ଼ିଥିଲା ଏବଂ ତାଙ୍କୁ ଅଟକାଇବାକୁ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯୁବକ ଜଣକ କଲେକ୍ଟରଙ୍କ ନିକଟକୁ ଆସିବା ପରେ ସେ ମୋବାଇଲରେ ପ୍ରେସକ୍ରିପସନ୍ ଦେଖାଇଥିଲେ ।

ହେଲେ କିଛି ନବୁଝି ନସୁଝି ରାଗିଯାଇ କଲେକ୍ଟର ରଣବୀର ଶର୍ମା ତାଙ୍କୁ ଚାପୁଡ଼ା ମାରି ମୋବାଇଲକୁ ଫୋପାଡି ଦେଇଥିଲେ। କିଛି ସମୟ ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେପଟେ ମୁଖ୍ୟମନ୍ତ୍ରୀଙ୍କ ନଜରରେ ଆସିବା ପରେ ତାଙ୍କୁ ତଦାୟିତ୍ୱରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

You might also like