କାୟା ମେଲାଉଛି କରୋନା: ଛତିଶଗଡ଼ରେ ସ୍କୁଲ୍, କଲେଜ ବନ୍ଦ

ରାୟପୁର: ଛତିଶଗଡ଼ରେ ସ୍କୁଲ୍, କଲେଜ ଓ ଅଙ୍ଗନବାଡ଼ି ବନ୍ଦ ପାଇଁ ନିଷ୍ପତ୍ତି। କରୋନା ସଂକ୍ରମଣ ବଢ଼ୁଥିବାରୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଘୋଷଣା କରାଯାଇଛି। ଏନେଇ ଗଣମାଧ୍ୟମକୁ ମନ୍ତ୍ରୀ ରବୀନ୍ଦ୍ର ଚୌବେ ସୂଚନା ଦେଇଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ବିଭିନ୍ନ ରାଜ୍ୟର ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି।

ଏହି କ୍ରମରେ ରାଜସ୍ଥାନ ସରକାର ୮ଟି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ଆଜମେର, ଭିଲାଓ୍ୱାଡା, ଜୟପୁର, ଯୋଧପୁର, କୋଟା, ଉଦୟପୁର, ସାଗଓ୍ୱାଡା ଏବଂ କୁଶଲଗଡ଼ରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି।

ସୋମବାର (ମାର୍ଚ୍ଚ ୨୨)ରୁ ଏହି ନିୟମ ରାତି ୧୦ଟାରୁ ସକାଳ ୫ଟା ଯାଏ ଲାଗୁ ହେବ ବୋଲି ଜଣାପଡ଼ିଛି। ଏହି ସମୟରେ ସମସ୍ତ ପୌର ପାଳିକାରେ ବଜାର ବନ୍ଦ ରହିବ ବୋଲି ଜଣାପଡ଼ିଛି। ସେହିଭଳି ରାଜସ୍ଥାନ ଆସିଥିବା ବାହାର ରାଜ୍ୟର ଲୋକ କିମ୍ୱା ପର୍ଯ୍ୟଟକଙ୍କର ଆରଟିପିସିଆର ଟେଷ୍ଟ ୭୨ ଘଣ୍ଟା ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ସେହିଭଳି ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପ୍ରାଥମିକ ସ୍କୁଲ ଗୁଡ଼ିକ ବନ୍ଦ ରହିବ ବୋଲି ସରକାର କହିଛନ୍ତି।

ଦେଶରେ କ୍ରମାଗତ ଭାବରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା।୨୪ ଘଣ୍ଟାରେ ଦେଶରେ ୪୩ ହଜାର ୮୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୫ ଲକ୍ଷ ୯୯ ହଜାର ୧୩୦କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୯୭ ରହିଛି। ଏହାସହ ଦେଶରେ ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୯ ହଜାର ୭୫୫କୁ ବୃଦ୍ଧି ପାଇଛି। 
You might also like